ସାଧାରଣତନ୍ତ୍ର ଦିବସରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଶେଷ ପର୍ଯ୍ୟାୟରେ ବାଦ୍‌ ପଡ଼ିଲା

Copy Editor AH | Published On: Dec 08, 2017 06:37 AM IST |   1423

ଭୁବନେଶ୍ୱର : ଏଥର ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀ ରାଜପଥରେ ଗଡ଼ିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ଲଗାତାର ଦୁଇବର୍ଷ ଧରି ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇ ଆସିଥିବା ବେଳେ ଚଳିତ ବର୍ଷ କିନ୍ତୁ ବାଦ୍‌ ପଡ଼ିଛି । ପ୍ରତିରକ୍ଷା ବିଭାଗର ୧୬ ଜଣିଆ ବିଚାରକମଣ୍ଡଳୀ ଦ୍ୱାରା ୫ଟି ପର୍ଯ୍ୟାୟ ବୈଠକରେ ଡିଜାଇନ୍‌ ଉଚ୍ଚ ପ୍ରଶଂସିତ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ଓଡ଼ିଶାର ମେଢ଼ ଡିଜାଇନ୍‌କୁ ବାଦ୍‌ ଦେଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି । ୬ ତାରିଖରେ ନୂଆଦିଲ୍ଲୀଠାରେ ବସିଥିବା ବୈଠକରେ ବିଭିନ୍ନ ରାଜ୍ୟ ଓ ସରକାରୀ ବିଭାଗର ୧୯ଟି ପ୍ରଜ୍ଞାପନ ମେଢ଼ ଡିଜାଇନ୍‌କୁ ଆମନ୍ତ୍ରଣ କରାଯାଇଥିବାବେଳେ ଓଡ଼ିଶାର ଡିଜାଇନ୍‌କୁ ଡକା ଯାଇନଥିଲା । ରାଜ୍ୟର ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ ଗତ ଦୁଇବର୍ଷ ହେଲା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଅଂଶ୍ରଗହଣ କରି ଆସୁଥିଲା । ଚଳିତ ବର୍ଷ ଶ୍ରୀ ସାହୁ ମନୋନୀତ ହୋଇ ଦକ୍ଷିଣ ଓଡ଼ିଶା (ବ୍ରହ୍ମପୁର)ର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ଓ ବାଘନାଚ ଥିମ୍‌କୁ ନେଇ ଡିଜାଇନ୍‌ ପ୍ରସ୍ତୁତ କରିଥିଲେ । ପ୍ରତିରକ୍ଷା ବିଭାଗ ଦ୍ୱାରା ଗଠିତ ବିଚାରକମଣ୍ଡଳୀ ଶ୍ରୀ ସାହୁଙ୍କ ଏହି ଡିଜାଇନ୍‌କୁ ବେଶ୍‌ ପ୍ରଶଂସା ମଧ୍ୟ କରିଥିଲେ । ଲଗାତାର ୫ଟି ବୈଠକରେ ଓଡ଼ିଶାର ଡିଜାଇନ୍‌, ମଡେଲ ଓ ସଙ୍ଗୀତକୁ ମନୋନୟନ ଦୌଡ଼ରେ ରଖାଯାଇଥିଲା । ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ୬ଷ୍ଠ ବୈଠକରେ ଓଡ଼ିଶାର ମେଢ଼ ଡିଜାଇନ୍‌କୁ ବାଦ୍‌ ଦିଆଯିବା ପରିତାପର ବିଷୟ । ପ୍ରତିରକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଆସାମ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, କେରଳ, ଲାକ୍ଷାଦ୍ୱୀପ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତି୍ରପୁରା, ଉତ୍ତରାଖଣ୍ଡ, ଅଲ ଇଣ୍ଡିଆ ରେଡିଓ, କେନ୍ଦ୍ରୀୟ ପୂର୍ତ୍ତ ବିଭାଗ (ସିପିଡବ୍ଲୁଡି), କ୍ରୀଡ଼ା ବିଭାଗ, ଇଣ୍ଡୋ ତିବ୍‌ବତାନ୍‌ ବର୍ଡର ପୁଲିସ (ଆଇଟିବିପି), ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଓ ପ୍ରତିରକ୍ଷା ବିଭାଗର ଡିଜାଇନ୍‌ ମନୋନୀତ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ ୨୦୧୬ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବୋଇତ ବନ୍ଦାଣକୁ ନେଇ ଶିଳ୍ପୀ ଶ୍ରୀ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଜ୍ଞାପନ ମେଢ଼ ଓଡ଼ିଶାର ପ୍ରତିନିଧିତ୍ୱ କରିଥିବା ବେଳେ ୨୦୧୭ରେ ଦୋଳ ମେଲଣ ଥିମ୍‌ ସ୍ଥାନ ପାଇ ପ୍ରଶଂସିତ ହୋଇଥିଲା । ପ୍ରତିରକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ସାଂସଦମାନେ ଏ ଦିଗରେ ଅନୁଧ୍ୟାନ କଲେ ଓଡ଼ିଶାର ସାଂସ୍କୃତିକ ଚିତ୍ରପଟକୁ ବିଶ୍ୱବାସୀ ପୁଣିଥରେ ଦେଖିବାର ସୁଯୋଗ ପାଇପାରନ୍ତେ ବୋଲି କେତେକ ମତ ଦେଇଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ