ଜାତୀୟ ମାନବାଧିକାର ଆୟୋଗଙ୍କ ରିପୋର୍ଟ ତଲବ

ହୁଦ୍‌ହୁଦ୍‌କୁ ପୂରିଲା ୩ ବର୍ଷ ,କ୍ଷତିଗ୍ରସ୍ତଙ୍କୁ ମିଳିଲାନି ସହାୟତା ରାଶି

Copy Editor AH | Published On: Dec 08, 2017 06:34 AM IST |   144

ଭୁବନେଶ୍ୱର : ୨୦୧୩ ବର୍ଷା ଓ ୨୦୧୪ ହୁଦ୍‌ହୁଦ୍ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ଏପର୍ଯ୍ୟନ୍ତ ସହାୟତା ମିଳିନି । ଏହାକୁ ନେଇ ଜାତୀୟ ମାନବାଧିକାର କମିଶନ ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ଏକ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । ୨୦୧୩ ଜୁନ୍ ୧୩ ଓ ୧୪ରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡା ଜିଲାରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏଥିରେ ୫୦ ହଜାର ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହେବା ସହ ହଜାରେରୁ ଅଧିକ ଘର ଭାଙ୍ଗିଥିଲା । କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ମାନବାଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କମିଶନ ମୁଖ୍ୟ ଶାସନ ସଚିବଙ୍କୁ ବାରମ୍ବାର ନୋଟିସ୍ ଜାରି କରିଥିଲେ ମଧ୍ୟ କ’ଣ କ୍ଷତିପୂରଣ ମିଳିଛି, ତା’ର ରିପୋର୍ଟ ମୁଖ୍ୟ ଶାସନ ସଚିବ ଦାଖଲ କରିପାରିନାହାନ୍ତି । ଫଳରେ କମିଶନ ଅସନ୍ତୋଷ ପ୍ରକାଶ କରିଛନ୍ତି । କ୍ଷତିଗ୍ରସ୍ତଙ୍କ ଥଇଥାନ, ଗୃହ ନିର୍ମାଣ, ଖାଦ୍ୟଶସ୍ୟ ନଷ୍ଟର ଭରଣା, ଆର୍ଥିକ ସହାୟତା ଆଦି ବିଷୟରେ ସବିଶେଷ ରିପୋର୍ଟ ଦାଖଲ ପାଇଁ ଆୟୋଗ ପୁଣି ଥରେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । ସେହିପରି ୨୦୧୪ ଅକ୍ଟୋବର ୧୨ରେ ହୋଇଥିବା ହୁଦ୍‌ହୁଦ୍‌ ବାତ୍ୟାର ତିନିବର୍ଷ ପୂରିଯାଇଥିଲେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ଘର ଓ କୃଷକମାନଙ୍କୁ ସହାୟତା ଯୋଗାଇଦେବାରେ ସରକାର ବିଫଳ ହୋଇଛନ୍ତି । କୋରାପୁଟ, ନବରଙ୍ଗପୁର, ରାୟଗଡା ଓ ମାଲକାନାଗିରି ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏ ସମ୍ପର୍କରେ ଆବେଦନକାରୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପିଟିସନ୍ ଦାଏର କରିଥିଲେ । ହୁଦ୍‌ହୁଦରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କୋରାପୁଟ ଜିଲାପାଳ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଭାଙ୍ଗି ଯାଇଥିବା ଘରଗୁଡିକୁ ତୋଳିବା ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି । ବିଶ୍ୱବ୍ୟାଙ୍କ୍ ସହାୟତାରେ କ୍ଷତିଗ୍ରସ୍ତଙ୍କୁ ଏହି ଘର ଯୋଗାଇ ଦିଆଯିବ । ସେହିପରି ଗୃହ ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କଠାରୁ ଅର୍ଥ ମିଳିବା ପରେ ମାଛଚାଷୀ ଓ ଧୀବରମାନଙ୍କୁ ସହାୟତା ପ୍ରଦାନ କରାଯିବ । ତେବେ ବର୍ତ୍ତମାନ ଏହାର ସ୍ଥିତି କ’ଣ ସେ ସମ୍ପର୍କରେ ରିପୋର୍ଟ ଦାଖଲ ପାଇଁ କୋରାପୁଟ ଜିଲାପାଳ ଓ ଗୃହ ବିଭାଗ ଯୁଗ୍ମ ସଚିବଙ୍କୁ ମାନବାଧିକାର ଆୟୋଗ ନିର୍ଦେଶ ଦେଇଛନ୍ତି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ