ବ୍ୟାଙ୍କ ମାଧ୍ୟମରେ ଭତ୍ତା ଟଙ୍କା ବଣ୍ଟନକୁ ନବୀନଙ୍କ ବିରୋଧ

ରାଜ୍ୟର ସମସ୍ତ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ

Copy Editor AH | Published On: Dec 08, 2017 05:40 AM IST |   548

ଭୁବନେଶ୍ୱର : ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍‌ଏସ୍‌ଏପି)ରେ ହିତାଧିକାରୀଙ୍କୁ ବ୍ୟାଙ୍କ ଜମାଖାତା ମାଧ୍ୟମରେ ଭତ୍ତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଓଡ଼ିଶା ସରକାର ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ସେ ବ୍ୟାଙ୍କ ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଭତ୍ତା ଟଙ୍କା ପ୍ରଦାନ ବ୍ୟବସ୍ଥା କାର୍ଯ୍ୟକାରୀ ନକରିବାକୁ ନିବେଦନ କରିଛନ୍ତି। ରାଜ୍ୟର ସମସ୍ତ ପଞ୍ଚାୟତରେ ବ୍ୟାଙ୍କ ଶାଖା ନଥିବାରୁ ସାଧାରଣ ହିତାଧିକାରୀ ଭତ୍ତା ଟଙ୍କା ପାଇବାରେ ଘୋର ସମସ୍ୟାର ସମ୍ମୁଖୀନ ହେବେ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଭତ୍ତା ବଣ୍ଟନରେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ମାର୍ଗକୁ ପୂର୍ବରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଭତ୍ତା ବଣ୍ଟନରେ ‘ଓଡ଼ିଶା ମଡେଲ’ ସର୍ବୋତ୍କୃଷ୍ଟ ବୋଲି ୨୦୧୪ରେ କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ମୁଖ୍ୟମନ୍ତ୍ରୀ ଉଦ୍ଧୃତ୍ତ କରିଛନ୍ତି। ଏଭଳି ସ୍ଥିତିରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ପ୍ରଦାନ କରାନଗଲେ ଏ ବାବଦ ଦ୍ୱିତୀୟ କିସ୍ତି ଟଙ୍କା କେନ୍ଦ୍ର ସରକାର ଦେବେ ନାହିଁ ବୋଲି ଯେଉଁ ସର୍ତ୍ତ ଆରୋପ କରାଯାଇଛି ତାହାକୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ପ୍ରତି ମାସ ୧୫ତାରିଖରେ ହିତାଧିକାରୀଙ୍କୁ ଏନ୍‌ଏସ୍‌ଏପି ମାର୍ଗଦର୍ଶିକା ଆଧାରରେ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ କରାଯାଉଛି। ଅତ୍ୟନ୍ତ ସ୍ୱଚ୍ଛତାର ସହ ଏହି କାର୍ଯ୍ୟକ୍ରମ ଜାରି ରହିଛି। ରାଜ୍ୟର ୪୩୭୬ ପଞ୍ଚାୟତରେ ବ୍ୟାଙ୍କ ଶାଖା ନଥିବାରୁ ସରକାର ବ୍ୟାଙ୍କରୁ ସୁରକ୍ଷିତ ଭାବେ ଟଙ୍କା ଆଣି ପଞ୍ଚାୟତ କାର୍ଯ୍ୟାଳୟରେ ସର୍ବସମ୍ମୁଖରେ ଲୋକଙ୍କୁ ନଗଦ ପ୍ରଦାନ କରାଯାଉଛି। ଅପରପକ୍ଷରେ ଲୋକଙ୍କୁ ବ୍ୟାଙ୍କ ମାଧ୍ୟମରେ ଅର୍ଥ ପ୍ରଦାନ ନେଇ ନାନା ସମସ୍ୟା ରହିଛି। ସାଧାରଣ ଜନତା ଅନେକାଂଶରେ ବ୍ୟାଙ୍କ କାରବାର ସହିତ ଅଭ୍ୟସ୍ତ ନଥିବାବେଳେ ଅଧିକାଂଶ ବ୍ୟାଙ୍କରେ କର୍ମଚାରୀ ଅଭାବ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ। ତା’ଛଡ଼ା ନଗଦ ଭତ୍ତା ବଣ୍ଟନରେ ଲୋକେ ବେଶ୍‌ ଉପକୃତ ହେଉଛନ୍ତି। ଏହା ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରୁଛି; ଯାହା ବ୍ୟାଙ୍କ ଏକାଉଣ୍ଟରେ ଟଙ୍କା ଜମାରୁ ମିଳିବ ନାହିଁ। ସରକାରଙ୍କ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ହିତାଧିକାରୀ ବ୍ୟାଙ୍କ ମାଧ୍ୟମରେ ଭତ୍ତା ଟଙ୍କା ନେବାକୁ ଅନିଚ୍ଛୁକ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୧୫ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥ ପରାମର୍ଶଦାତା ବ୍ୟାଙ୍କ ଖାତା ମାଧ୍ୟମରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବାକୁ ପରାମର୍ଶ ଦେଇ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଥିଲେ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ