ମମତା ପାଇବେ ଜାତୀୟ ସାହସିକତା ପୁରସ୍କାର

କୁମ୍ଭୀର ମୁହଁରୁ ସାଙ୍ଗକୁ ଟାଣି ଆଣିଥିଲେ

Copy Editor AH | Published On: Dec 08, 2017 01:45 AM IST |   455

କେନ୍ଦ୍ରାପଡା : କୁମ୍ଭୀର ସହ ଲଢ଼ି ଭଉଣୀର ଜୀବନ ବଞ୍ଚାଇଥିବା ରାଜନଗର ବ୍ଲକ ଅନ୍ତର୍ଗତ ବାଙ୍କୁଆଳ ଗ୍ରାମର ମମତା ଦଳାଇ (୮)ଙ୍କୁ ଆସନ୍ତା ଜନରାଜ୍ୟ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀରେ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରିବେ। ଏ ସଂକ୍ରାନ୍ତ ଚିଠି ଜିଲା ଶିଶୁ କଲ୍ୟାଣ ବିଭାଗକୁ ଆସିଛି। ଏପ୍ରିଲ ୪ ତାରିଖରେ ମମତା ଓ ସମ୍ପର୍କୀୟ ଭଉଣୀ ଅଶାନ୍ତି ଦଳାଇ (୯) ଗ୍ରାମ ପୋଖରୀରେ ଶୌଚ ହେଉଥିବାବେଳେ ଏକ କୁମ୍ଭୀର ଅଶାନ୍ତିକୁ ଟାଣି ନେଉଥିଲା। ଏହା ଦେଖି ମମତା ଗୋଟିଏ ହାତରେ ଅଶାନ୍ତିକୁ ଭିଡ଼ି ଧରିବା ସହ ଅନ୍ୟ ହାତରେ ଏକ ବାଡ଼ିରେ କୁମ୍ଭୀରର ଆଖିକୁ ବାରମ୍ବାର ଆଘାତ ଦେଇଥିଲେ। ଫଳରେ କୁମ୍ଭୀରଟି ଆଘାତ ପାଇ କିଛି ସମୟ ପରେ ଅଶାନ୍ତିଙ୍କୁ ଛାଡ଼ି ଦେଇଥିଲା। ରକ୍ତାକ୍ତ ଅବସ୍ଥାରେ ଅଶାନ୍ତିକୁ ପାଣିରୁ ଉଦ୍ଧାର କରି ମମତା କୂଳକୁ ନେଇ ଆସିଥିଲେ। ମମତାଙ୍କ ଏହି ସାହସିକ କାର୍ଯ୍ୟ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ମମତା ଓ ଅଶାନ୍ତିଙ୍କୁ ସଚିବାଳୟ ଡକାଇ ଦୁଇଟି ସାଇକଲ ଉପହାର ଦେବା ସହ ସେଲ୍‌ଫି ନେଇଥିଲେ। ଅକ୍ଟୋବର ୨୯ ତାରିଖରେ ମହାବାତ୍ୟା ପୂର୍ତ୍ତି ପାଳନ ଅବସରରେ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ଓ ଅଶାନ୍ତିକୁ ସମ୍ବର୍ଦ୍ଧିତ କରିଥିଲେ। ଡିସେମ୍ବର ୪ ତାରିଖରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଶିଶୁ କଲ୍ୟାଣ ପରିଷଦର ସଭାପତି ଗୀତା ସିଦ୍ଧାର୍ଥ ପତ୍ର ଲେଖି ମମତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ମମତାଙ୍କୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିସ କରାଯାଇଥିଲା। ଜାତୀୟ ସାହସିକତା ପୁରସ୍କାର ପାଇଁ ଆମନ୍ତ୍ରଣ ପରେ ବାଙ୍କୁଆଳ ଗ୍ରାମରେ ଖୁସି ପ୍ରକାଶ ପାଇଛି। ମମତାଙ୍କ ବାପା ନିର୍ମଳ ସୁରଟରେ ଦିନ ମଜୁରିଆ କାମ କରନ୍ତି। ସେ ଜାନୁଆରୀ ୧୬ ସୁଦ୍ଧା ଝିଅ ମମତାକୁ ନେଇ ଦିଲ୍ଲୀ ଯିବେ ବୋଲି ମମତାର ମା’ ଚିମା ପ୍ରକାଶ କରିଛନ୍ତି।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ