ବନ୍ଦ ହେବନି ପୋଲାଭରମ୍‌ ପ୍ରକଳ୍ପ

ଛତିଶଗଡ଼ ପରେ କେନ୍ଦ୍ରର ଆନ୍ଧ୍ରପ୍ରଦେଶ ପ୍ରୀତି

Copy Editor AH | Published On: Dec 08, 2017 12:15 AM IST |   342

-ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ, -ଓଡ଼ିଶା ପିଟିସନ ଆଇନସମ୍ମତ ନୁହେଁ, -ପ୍ରକଳ୍ପରେ ଆଇନ ଉଲ୍ଲଙ୍ଘନ ହୋଇନି ନୂଆଦିଲ୍ଲୀ : ମହାନଦୀ ପରେ କେନ୍ଦ୍ର ସରକାର ବିବାଦୀୟ ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାରେ ଗୁରୁବାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାର ଯେଭଳି ପଡ଼ୋଶୀ ଛତିଶଗଡ଼କୁ ସମର୍ଥନ କରିଥିଲେ ଠିକ ସେହି ଢ଼ଙ୍ଗରେ ପୋଲାଭରମ୍‌ ମାମଲାରେ ଆନ୍ଧ୍ରପ୍ରଦେଶକୁ ଖୋଲାଖୋଲି ସମର୍ଥନକରି ପ୍ରକଳ୍ପ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ପ୍ରକଳ୍ପରେ ଓଡ଼ିଶା ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ପିଟିସନର ପ୍ରତ୍ୟେକ ତଥ୍ୟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ପୋଲଭରମ ପ୍ରକଳ୍ପ ଜାତୀୟ ପ୍ରକଳ୍ପ ମାନ୍ୟତା ପାଇବା ପାଇଁ ସମସ୍ତ ସର୍ତ୍ତାବଳୀ ପୂରଣ କରୁଛି। ଏଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ମୂଳ ଆବେଦନ ସଂଖ୍ୟା ୪/୨୦୦୭କୁ ଖାରଜ କରିବା ପାଇଁ ଏନଡିଏ ସରକାର ସୁପ୍ରିମକୋର୍ଟରେ ଯୁକ୍ତି ବାଢିଛନ୍ତି। ସତ୍ୟପାଠରେ କେନ୍ଦ୍ର ସରକାର କେତେକ ଆଇନଗତ ପ୍ରଶ୍ନ ଉଠାଇ ଦର୍ଶାଇଛନ୍ତି ଯେ, ଆନ୍ଧ୍ରରେ ନିର୍ମାଣାଧୀନ ପୋଲାଭରମ୍‌ ପ୍ରକଳ୍ପକୁ ଜାତୀୟ ମାନ୍ୟତା ଦେବା ପ୍ରସଙ୍ଗରେ ସମ୍ବିଧାନର ଧାରା ୧୩୧ ଅନୁଯାୟୀ ରାଜ୍ୟ ସରକାରଙ୍କ ପିଟିସନ ଆଇନ ସମ୍ମତ ନୁହେଁ। ସମ୍ବିଧାନର ଏହି ଧାରା ସଂଘୀୟ-ରାଜ୍ୟ ଅଥବା ରାଜ୍ୟ-ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ଉଦ୍ଧିଷ୍ଟ। ଏହି ଧାରା ଅନୁଯାୟୀ ରାଜ୍ୟ ସରକାର ସଂସଦ ଦ୍ୱାରା ପ୍ରଣୀତ କୌଣସି ଆଇନକୁ ଚାଲେଞ୍ଜ କରିପାରିବେ ନାହିଁ। ଆନ୍ଧ୍ର ପୁର୍ନଃଗଠନ ଆଇନ-୨୦୧୪ର ଧାରା-୯୦ ଅନୁଯାୟୀ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ମାନ୍ୟତା ମିଳିଛି। ତଦନୁଯାୟୀ କେନ୍ଦ୍ର ସରକାର ଅପ୍ରେଲ ୨୦୧୪ରୁ ପ୍ରକଳ୍ପ ବାବଦ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। ଏହି ଧାରାରେ ପ୍ରକଳ୍ପକୁ ଚାଲେଞ୍ଚ କରିବା ନେଇ ଓଡ଼ିଶା ସରକାରଙ୍କର ଆଇନଗତ ଅଧିକାର ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସୁପ୍ରିମକୋର୍ଟରେ କେନ୍ଦ୍ର ଜଳ ସଂପଦ ମନ୍ତ୍ରାଣାଳୟ ଦର୍ଶାଇଛି ଯେ, ଗୋଦାବରୀ ଜଳ ବିବାଦ ପ୍ରାଧିକରଣର ୧୯୮୦ ମସିହା ରାୟକୁ ଦୃଷ୍ଟିରେ ରଖି ପୋଲାଭରମ୍‌ ପ୍ରକଳ୍ପକୁ କେନ୍ଦ୍ରୀୟ ମଞ୍ଜୁରି ମିଳିଛି। ପ୍ରକଳ୍ପ ନିର୍ମାଣ ମଞ୍ଜୁରିରେ କୌଣସି ନୀତିନିୟମର ଉଲ୍ଲଙ୍ଘନ ହୋଇନାହିଁ। ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରାଣଳୟ ପକ୍ଷରୁ ପ୍ରକଳ୍ପକୁ ଆବଶ୍ୟକୀୟ ମଞ୍ଜୁରି ମିଳିଛି। ଏହି ବହୁମୁଖୀ ଜଳସେଚନ ଇନ୍ଦିରା ସାଗର ପ୍ରକଳ୍ପରେ କ୍ଷତିଗ୍ରସ୍ତଙ୍କ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପୁନର୍ବାସ ଓ ଥଇଥାନ ଯୋଜନାକୁ ମଞ୍ଜୁର କରିଛନ୍ତି। କେନ୍ଦ୍ର ଜଳ ଆୟୋଗ ପ୍ରକଳ୍ପ ଅଞ୍ଚଳରେ ୧୮୮୧-୧୯୭୫ ମଧ୍ୟରେ ଜଳ ପ୍ରବାହ ତଥ୍ୟକୁ ଦୃଷ୍ଟିରେ ରଖି ପୋଲାଭରମର ଇନ୍ଦିରା ସାଗର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ପ୍ରକଳ୍ପ ଅଞ୍ଚଳରେ ବନ୍ୟା ସମୟରେ ଜଳ ପ୍ରବାହକୁ ସଠିକ ଭାବେ ଆକଳନ କରାଯାଇଛି। ଏପରିକି ବନ୍ୟା ସମୟରେ ଏଠାରେ ଜଳ ପ୍ରବାହ ୧,୩,୮୫୮ କ୍ୟୁସେକ ଆକଳନ କରାଯାଇଥିବା ବେଳେ ନକ୍‌ସାରେ ପ୍ରକଳ୍ପର ବନ୍ୟାଜଳ ଧାରଣ କ୍ଷମତା ୧,୪,୪୩୫ କ୍ୟୁସେକ ରଖାଯାଇଛି। ପ୍ରକଳ୍ପ ନକ୍‌ସାରେ ବନ୍ୟା ସମୟରେ ପଛୁଆ ବନ୍ୟାଜଳ(ବ୍ୟାକ୍‌ୱାଟର) ଜନିତ ଅସୁବିଧାର ବିଶେଷ ଧ୍ୟାନ ରଖାଯାଇଛି। ତେଣୁ ପଛୁଆ ବନ୍ୟାଜଳ ଯୋଗୁଁ ମାଲକାନଗିରି ଜିଲ୍ଲାର କେତେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ନେଇ ହେଉଥିବା ଆଶଙ୍କାର ସତ୍ୟତା ନାହିଁ ବୋଲି କେନ୍ଦ୍ର ଜଳସଂପଦ ମନ୍ତ୍ରାଳୟ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି। ପୋଲାଭରମ୍‌ ପ୍ରକଳ୍ପର ଅର୍ଥନୈତିକ ବୈଷୟିକ ଉପଯୋଗ ନେଇ କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ୨୦ ଜାନୁଆରୀ ୨୦୦୯ ବୈଠକରେ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟକୁ ଡକା ନଯିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ବୈଠକରେ ପ୍ରକଳ୍ପର ଅଂଶୀଦାର ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟ ସମେତ ଛଅଟି ରାଜ୍ୟକୁ କେନ୍ଦ୍ର ସରକାର ଡାକିଥିଲେ। ଏନେଇ ଓଡ଼ିଶା ସରକାରଙ୍କ ଅଭିଯୋଗକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି। ପ୍ରକାଶ ଯେ, ଗତ ନଭେମ୍ବର ୭ରେ ଏହି ମାମଲାର ଶୁଣାଣିରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ ଲାଗି କିଛି ସମୟ ମାଗିଥିଲେ। ଫଳରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରି କେନ୍ଦ୍ରୀୟ ଜଳ ସଂପଦ ମନ୍ତ୍ରାଳୟ ଉପରେ ୨୦ ହଜାର ଟଙ୍କା ଜୋରିମାନା କରିଥିଲେ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ