ଉପକୂଳରେ ତିନିଦିନ ବର୍ଷା

ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ,ସବୁ ବନ୍ଦରରେ ବିପଦ ସଙ୍କେତ

Copy Editor AH | Published On: Dec 07, 2017 10:47 PM IST | Updated On: Dec 07, 2017 10:48 PM IST |   425

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅବପାତ ରୂପ ନେଇଥିବା ଲଘୁଚାପ ଏବେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଘଣ୍ଟା ପ୍ରତି ୮କି.ମି ବେଗରେ ଗତି କରୁଥିବା ଲଘୁଚାପ ଗୁରୁବାର ଅପରାହ୍ନ ସାଢ଼େ ଦୁଇଟା ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଗୋପାଳପୁରଠାରୁ ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୮୨୦ କିମି ଏବଂ ମଛଲିପଟନମଠାରୁ ଦକ୍ଷିଣ ପୂର୍ବ ଦିଗରେ ପ୍ରାୟ ୮୩୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା। ଲଘୁଚାପ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୯ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆସନ୍ତା ୨୪ଘଣ୍ଟାରେ ଏହା ତୀବ୍ର ଅବପାତରେ ପରିଣତ ହୋଇପାରେ। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଛୁଇଁବା ପରେ ଏହା ଦୁର୍ବଳ ହୋଇପଡ଼ିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତାକାଲି ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ଓ ପବନର ଆଶଙ୍କା ରହିଛି। ବିଶେଷ କରି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ୯ତାରିଖରେ ମଧ୍ୟ ଉପରୋକ୍ତ ଜିଲା ସହିତ ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁରରେ ବର୍ଷା ହେବ। ଆସନ୍ତା ୧୦ ତାରିଖରେ ଉତ୍ତର ଓ ଦକ୍ଷିଣରେ ବର୍ଷିବ। ଏହି ସମୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଢ଼େଙ୍କାନାଳରେ ଅଧିକ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବର୍ଷା ସହିତ ୫୦ରୁ ୬୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଗୋପାଳପୁର, ପାରାଦ୍ୱୀପ ବନ୍ଦର ସମେତ ପୁରୀରେ ଏକନମ୍ବର ବିପଦସଙ୍କେତ ଜାରି କରାଯାଇଥିବାବେଳେ ଆସନ୍ତାକାଲି ଦୁଇ ନମ୍ବର ବିପଦସଙ୍କେତ ଜାରି କରାଯିବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଶରତଚନ୍ଦ୍ର ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ