କଂଗ୍ରେସ ପୋଷ୍ଟରରେ ଅହମ୍ମଦ ପଟେଲ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ମୁସଲମାନ ଭୋଟରଙ୍କ ପାଇଁ କଂଗ୍ରେସର ନୂଆ ରଣନୀତି

Copy Editor RKD | Published On: Dec 07, 2017 08:32 PM IST |   680

ଅହମଦାବାଦ : ଆଗାମୀ ୯ରେ ଗୁଜରାଟ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ କରାଯିବ । ଏଥିରେ କ୍ଷମତାସୀନ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବ ବୋଲି ରାଜନୈତିକ ମହଲ ଆଶା କରୁଛନ୍ତି । ମୁସଲମାନ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କଂଗ୍ରେସ ପକ୍ଷରୁ ନୂତନ ରଣନୀତି ପ୍ରସ୍ତୁତ କରାଯାଇଛି । ବିଜେପି କିମ୍ବା କଂଗ୍ରେସ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରିନଥିବାବେଳେ କଂଗ୍ରେସ କିନ୍ତୁ ଏ ଦିଗରେ ପାଦେ ଆଗେଇ ଯାଇଛି । ଗୁଜରାଟରେ କଂଗ୍ରେସ କ୍ଷମତାକୁ ଆସିଲେ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯିବ ବୋଲି ଉଲ୍ଲେଖ କରାଯାଇ ସୁରତ ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଖଞ୍ଜାଯାଇଛି । ଏହାକୁ ଦୃଷ୍ଟିରେ ରଖି ମୁସଲମାନ ଭୋଟର କଂଗ୍ରେସକୁ ଭୋଟ ଦିଅନ୍ତୁ ବୋଲି ପୋଷ୍ଟରରେ ନିବେଦନ କରାଯାଇଛି । ପୋଷ୍ଟରରେ କଂଗ୍ରେସ ପ୍ରାର୍ଥୀଙ୍କ ସହ ଅହମ୍ମଦ ପଟେଲଙ୍କ ଫଟୋକୁ ସ୍ଥାନିତ କରାଯାଇଛି । ଦୀର୍ଘ ୨୨ ବର୍ଷ ଧରି ବିଜେପି ଗୁଜରାଟରେ ଶାସନ ଚଳାଇଛି । ଇତିମଧ୍ୟରେ ଗୁଜରାଟରେ ଗୋଧ୍ରା ଟ୍ରେନ ପୋଡି ଘଟଣାଠାରୁ ଆରମ୍ଭ କରି ଗୋଧ୍ରା ପରବର୍ତ୍ତୀ ସାଂପ୍ରଦାୟିକ ଦଙ୍ଗା ଓ ସୋରାବୁଦ୍ଦିନ ଶେଖ, ଇସରାତ ଜାହାନ ଭଳି ମିଥ୍ୟା ଏନକାଉଣ୍ଟର ଘଟଣା ଘଟିଯାଇଛି । ମୁସଲମାନ ସଂପ୍ରଦାୟ ଏହିସବୁ ଘଟଣାରେ ବିଜେପି ଉପରେ ରକ୍ତଚାଉଳ ଚୋବାଉଥିବାବେଳେ କଂଗ୍ରେସ ବର୍ତ୍ତମାନ ଏହାର ଫାଇଦା ଉଠାଇବାକୁ ଚିନ୍ତା କରୁଛି । ବିଜେପି ପ୍ରତି ବୀତସ୍ପୃହ ହୋଇପଡିଥିବା ମୁସଲମାନ ସଂପ୍ରଦାୟ କାଳେ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପ୍ରସଙ୍ଗରେ ମତ ପରିବର୍ତ୍ତନ କରିବେ, ସେହି ଆଶାରେ କଂଗ୍ରେସ ରହିଛି । ଅପରପକ୍ଷରେ ସ୍ୱୟଂ ଅହମ୍ମଦ ପଟେଲ ଏହି ସମ୍ଭାବନାକୁ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଦୌଡରେ ନାହାନ୍ତି ବୋଲି କହିବା ସହ ଏହା ବିଜେପିର ଏକ ଚାଲ୍‌ ବୋଲି କଂଗ୍ରେସ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ