ରାହୁଲଙ୍କ ଇଙ୍ଗିତରେ କ୍ଷମା ମାଗିଲେ ମଣିଶଙ୍କର

ରାହୁଲଙ୍କ ଇଙ୍ଗିତରେ କ୍ଷମା ମାଗିଲେ ମଣିଶଙ୍କର

Copy Editor RKD | Published On: Dec 07, 2017 07:28 PM IST | Updated On: Dec 07, 2017 07:30 PM IST |   577

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନ ଭାଷା ବ୍ୟବହାର କରି କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର ବିବାଦ ଘେରକୁ ଟାଣି ହୋଇଆସିଛନ୍ତି । ଆୟାର ଗୁରୁବାର ଏକ ପ୍ରତିକ୍ରିୟାରେ ମୋଦିଙ୍କୁ ତଳଶ୍ରେଣୀର ମଣିଷ ଓ ଅସଭ୍ୟ ବୋଲି କହିଥିଲେ । ଏହାକୁ ନେଇ ବିଭିନ୍ନ ମହଲରୁ ଆୟାରଙ୍କୁ ନିନ୍ଦା କରାଯିବା ପରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏ ମନ୍ତବ୍ୟ ପାଇଁ ମୋଦିଙ୍କୁ କ୍ଷମା ମାଗିବାକୁ ଆୟାରଙ୍କୁ କହିଛନ୍ତି । ସେ ଏଭଳି ଭାଷାକୁ ସ୍ୱୀକୃତି ଦିଅନ୍ତି ନାହିଁ ବୋଲି ରାହୁଲ କହିଛନ୍ତି । ରାହୁଲଙ୍କ ନିର୍ଦେଶ ପରେ ମଣିଶଙ୍କର ଆୟାର ନିସର୍ତ୍ତ କ୍ଷମା ମାଗିଛନ୍ତି । ମାତ୍ର ଏଥିପାଇଁ ସେ ତାଙ୍କ ଦୁର୍ବଳ ହିନ୍ଦୀକୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଶବ୍ଦର ଭୁଲ ଅର୍ଥ ବାହାର କରିଛନ୍ତି । ଏନେଇ ରାହୁଲ ଟ୍ୱିଟ୍‌ କରି ଲେଖିଛନ୍ତି ଯେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ପ୍ରାୟ ସମୟ କଂଗ୍ରେସ ଦଳ ବିରୋଧରେ ଖରାପ ଭାଷାର ବ୍ୟବହାର କରୁଛନ୍ତି । କଂଗ୍ରେସର ସଂସ୍କୃତି ଓ ଐତିହ୍ୟ ଭିନ୍ନ । ମଣିଶଙ୍କର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଯେପରି ଶବ୍ଦର ବ୍ୟବହାର କରିଛନ୍ତି ସେ ତାର ସମର୍ଥନ କରନ୍ତି ନାହିଁ । ଏଥିପାଇଁ ମଣିଶଙ୍କର କ୍ଷମା ପ୍ରାର୍ଥନା କରିବେ ବୋଲି କଂଗ୍ରେସ ଦଳ ଓ ସେ ଆଶ କରୁଛନ୍ତି । ରାହୁଲଙ୍କ ଟ୍ୱିଟ୍‌ ପରେ ମଣିଶଙ୍କର ନିସର୍ତ୍ତ କ୍ଷମା ମାଗିଛନ୍ତି । ଅପରପକ୍ଷରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏଭଳି ଆପତ୍ତିଜନକ ଟିପ୍ପଣୀକୁ ନିନ୍ଦା କରିଛନ୍ତି । ଜେଟଲୀ କହିଛନ୍ତି ଯେ ଏହା କଂଗ୍ରେସର ଋଣନୀତି । ପ୍ରଥମେ କଂଗ୍ରେସ ଅପଶବ୍ଦର ପ୍ରୟୋଗ କରିଥାଏ । ଲୋକେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ କ୍ଷମା ମାଗି ନେଇଥାଏ । ମଣିଶଙ୍କର ଆୟାରଙ୍କ ଟିପ୍ପଣୀ କେବଳ ଏକ ଉଚ୍ଚଶ୍ରେଣୀର ପରିବାର ଏହି ଦେଶକୁ ଶାସନ କରିବାର ମାନସିକତାକୁ ପ୍ରତିପାଦିତ କରୁଛି ବୋଲି ଜେଟଲୀ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବାବା ସାହେବ ଆମ୍ବେଦକର କେନ୍ଦ୍ରର ଉଦ୍‌ଘାଟନ କରିଥିଲ । ଏହି ଅବସରରେ ମୋଦି କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଥିଲେ । କଂଗ୍ରେସ ଗୋଟିଏ ପରିବାରକୁ ଗୁରୁତ୍ୱ ଦେଇ ବାବା ସାହେବଙ୍କ ଯୋଗଦାନକୁ ଚାପି ଦେଇଥିଲା ବୋଲି ମୋଦି ମନ୍ତବ୍ୟ ଦେଇଥିଲେ । ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ମଣିଶଙ୍କର ଆୟାର କହିଥିଲେ ଯେ ମୋଦି ଜଣେ ତଳଶ୍ରେଣୀର ମଣିଷ, ତାଙ୍କୁ ସଭ୍ୟତା ଜଣାନାହିଁ ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ