ମହାନଦୀ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ୧୧ସୁଦ୍ଧା ସରକାରଙ୍କ ପ୍ରତିଜବାବ

ମହାନଦୀ ପ୍ରସଙ୍ଗ: ସୁପ୍ରିମକୋର୍ଟରେ୧୧ସୁଦ୍ଧା ସରକାରଙ୍କ ପ୍ରତିଜବାବ

Copy Editor AH | Published On: Dec 07, 2017 06:13 AM IST | Updated On: Dec 07, 2017 06:15 AM IST |   214

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ଟ୍ରାଇବୁନାଲ ଗଠନର ଆବଶ୍ୟକତା ନଥିବା ବୁଧବାର କେନ୍ଦ୍ର ସରକାର ଏକ ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟରେ ଦର୍ଶାଇଛନ୍ତି। ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ପୁଣି ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ରାଜ୍ୟ ସରକାର ଧାର୍ଯ୍ୟ ଅବଧି ମଧ୍ୟରେ ପ୍ରସଙ୍ଗ ସମ୍ବଳିତ ବିସ୍ତୃତ ତଥ୍ୟ କେନ୍ଦ୍ରକୁ ପ୍ରଦାନ କରିପାରିନଥିବାରୁ ଟ୍ରାଇବୁନାଲ ଗଠନ ନେଇ ସମସ୍ୟା ଦେଖାଦେଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆସନ୍ତା ୧୧ ତାରିଖ ମଧ୍ୟରେ ଏହା ଉପରେ ଜବାବ ରଖିବେ। ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ପ୍ରଦୀପକୁମାର ଜେନା କହିଛନ୍ତି ଯେ ଏ ବିଷୟରେ ଏକବର୍ଷ ପରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠ ମାଧ୍ୟମରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ବିଭ୍ରାନ୍ତ କରିବାକୁ ପ୍ରଚେଷ୍ଟା କରାଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପ୍ରତିଜବାବରେ ଏକ ସତ୍ୟପାଠ ଦାଖଲ କରାଯିବ। ଏହା ଆଗାମୀ ଶୁଣାଣି ତାରିଖ ପୂର୍ବରୁ ଦାଖଲ ହେବ। ରାଜ୍ୟ ସରକାର ଯେଉଁ ସତ୍ୟପାଠ ଦେବେ ସେଥିରେ କେନ୍ଦ୍ର ସରକାର ଯେଉଁସବୁ ବିଷୟ ଉଲ୍ଲେଖ କରିଛନ୍ତି ସେସବୁର ଉତ୍ତର ରଖାଯିବ। ଗତ ଏକ ସପ୍ତାହ ଧରି ମହାନଦୀ ରାଜ୍ୟର ପ୍ରମୁଖ ପ୍ରସଙ୍ଗ ପାଲଟିଛି। ରାଜନୈତିକ ଦଳ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ତଥା ନାଗରିକ ସମାଜ ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଗତ ଏକ ବର୍ଷ ଧରି ଛତିଶଗଡ଼-ଓଡ଼ିଶା ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଘନୀଭୂତ ହୋଇଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଏକ ଟ୍ରାଇବୁନାଲ ଗଠନ ଦ୍ୱାରା ଏହାର ସମାଧାନ ହୋଇପାରିବ ବୋଲି ବିଭିନ୍ନ ମହଲରେ ଆଶା ସୃଷ୍ଟି ହୋଇଥିଲା। କିନ୍ତୁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଏହି ପ୍ରସଙ୍ଗକୁ ପୁଣି ଏକ ଭିନ୍ନ ମୋଡ଼ ଦେଇଛି। ସାଂପ୍ରତିକ ପରିସ୍ଥିତିରେ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମହାନଦୀ ଭଳି ସମ୍ବେଦନଶୀଳ ବିଷୟରେ ସବୁ ରାଜନୈତିକ ଦଳ ଏକାଠି ହେବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ଆଇନର ଅଳିନ୍ଦ ମଧ୍ୟରେ ରାଜ୍ୟ ସରକାର ଏ ପ୍ରସଙ୍ଗରେ ନ୍ୟାୟାଳୟରେ କିଭଳି ପକ୍ଷ ରଖିବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରିବା ଫଳରେ ଓଡ଼ିଶାକୁ ଜଳ ପ୍ରବାହ କମିଛି। ଚାଷ ଜମି, ପିଇବା ପାଣି ପାଇଁ ସମସ୍ୟା ସୃଷ୍ଟି ହୋଇଛି। ଏହାକୁ ନେଇ ସଂଖ୍ୟାଧିକ ରାଜନୈତିକ ଦଳ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଧାନସଭାରେ ମଧ୍ୟ ପ୍ରସ୍ତାବ ଆକାରରେ ଆଲୋଚନା ହୋଇଛି। ଦଳମତ ନିର୍ବିଶେଷରେ ଏହା ସମସ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ