ଏସିଡ୍‌ ମାଡ଼ ପୀଡ଼ିତାଙ୍କ ସୁରକ୍ଷା ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ନିର୍ଦେଶାବଳୀ କାର୍ଯ୍ୟକାରୀ କର

ଜିଲାପାଳମାନଙ୍କୁ ମାନବାଧିକାର ଆୟୋଗଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦେଶ

Copy Editor AH | Published On: Dec 07, 2017 12:43 AM IST |   93

ଭୁବନେଶ୍ୱର : ଏସିଡ୍‌ ମାଡ଼ ପୀଡ଼ିତାଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ଦେଶାବଳୀ ତୁରନ୍ତ କାର୍ଯ୍ୟକାରୀ କରିବାକୁ ରାଜ୍ୟ ମାନବାଧିକାର ଅୟୋଗ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ଜଗତସିଂହପୁର ପୀଡ଼ିତାଙ୍କ କ୍ଷତିପୂରଣ ସଂକ୍ରାନ୍ତ ମାମଲାର ବିଚାର ବେଳେ ପୀଡ଼ିତାଙ୍କ ସୁରକ୍ଷା ପ୍ରତି ସରକାରୀ ଅଧିକାରୀ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକ ବୋଲି ମତ ଦେଇଛନ୍ତି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରାଯାଉନାହିଁ ବୋଲି ଆୟୋଗ ମତ ପ୍ରକାଶ କରିବା ସହ ଆଦେଶନାମା ନକଲ ଜିଲାପାଳମାନଙ୍କୁ ଯୋଗାଇ ଦେବାକୁ ଆଦେଶ ଦେଇଛନ୍ତି। ଓଡ଼ିଶା ପୀଡ଼ିତା କ୍ଷତିପୂରଣ ଆଇନ ସଂଶୋଧନ କରି ରାଜ୍ୟ ସରକାର ଏସିଡ ପୀଡ଼ିତାଙ୍କୁ ୩ଲକ୍ଷ ଟଙ୍କା କ୍ଷତିପୂରଣ ବାବଦରେ ତୁରନ୍ତ ପ୍ରଦାନ କରିବାକୁ ୨୦୧୩ ଡିସେମ୍ବର ୨୬ରେ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏତଦ୍‌ବ୍ୟତୀତ ୨୦୧୫ ଡିସେମ୍ବର ୭ରେ ଲକ୍ଷ୍ମୀ ବନାମ କେନ୍ଦ୍ର ସରକାରଙ୍କ ମୋକଦ୍ଦମାରେ ଏସିଡ ପୀଡ଼ିତାଙ୍କୁ ସର୍ବନିମ୍ନ ୩ଲକ୍ଷ ଟଙ୍କା ରାଜ୍ୟ ସରକାର କ୍ଷତିପୂରଣ ସ୍ୱରୂପ ଦେଇ ପାରିବେ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେବା ସହ ଯଦି ରାଜ୍ୟ ସରକାର ଅଧିକ ଅର୍ଥ ସାହଯ୍ୟ କରିବାକୁ ଚାହାନ୍ତି ତେବେ କୌଣସି ବାଧକ ନାହିଁ ବୋଲି ଆଦେଶନାମାରେ ଉଲ୍ଲେଖ କରିବା ପରେ ମଧ୍ୟ ଏହି ଆଦେଶକୁ କର୍ତ୍ତୃପକ୍ଷ କଡ଼ାକଡି ଭାବେ ପାଳନ କରୁନାହାନ୍ତି ବୋଲି ଆୟୋଗ ପ୍ରଦତ୍ତ ଆଦେଶନାମାରେ ଉଲ୍ଲେଖ କରିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ମଦନବି.ଲୁକୁର ଓ ବିଚାରପତି ଉଦୟ ଉମେଶ ଲଳିତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସିଡ ଆକ୍ରମଣ ପୀଡ଼ିତାଙ୍କୁ କିପରି ଚିକିତ୍ସା କରାଯିବ, ରୋଗୀର କିପରି ତତ୍ତ୍ୱ ନିଆଯିବ ଓ ପୀଡ଼ିତାଙ୍କୁ କିପରି ଥଇଥାନ କରାଯିବ ସେ ସମ୍ବନ୍ଧରେ ଯେଉଁ ମାର୍ଗଦର୍ଶିକା ପ୍ରସ୍ତୁତ କରିଥିଲେ ତାହାକୁ କର୍ତ୍ତୃପକ୍ଷ ପାଳନ କରିବା ଜରୁରୀ ବୋଲି ଆୟୋଗ ମତ ପ୍ରକାଶ କରିଛନ୍ତି। ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏହି ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ତୁରନ୍ତ ଏସିଡ ପୀଡିତାଙ୍କ ଚିକିତ୍ସା ଓ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା କରିବେ। ଘରୋଇ ଚିକିତ୍ସାଳୟ ପୀଡ଼ିତାଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ଦେବେ। ଏବାବଦରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାର ସମସ୍ତ ସୁଯୋଗ ଉପଲବ୍ଧ କରାଇବେ। ଅଭିଜ୍ଞ ଡାକ୍ତର ନଥିବା ଆଳ ଦେଖାଇ କୌଣସି ଡାକ୍ତରଖାନା/କ୍ଲିନିକ ଏସିଡ ମାଡ଼ ପୀଡ଼ିତାଙ୍କ ଚିକିତ୍ସା ବାରଣ କରିପାରିବେ ନାହିଁ । ନିଶ୍ଚିତ ଭାବେ ଏସିଡ ମାଡ଼ ପୀଡ଼ିତାଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବେ ଏବଂ ଆବଶ୍ୟକସ୍ଥଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବଡ଼ଡାକ୍ତରଖାନା ପଠାଇବେ। ଏସିଡ ମାଡ଼ ପୀଡ଼ିତାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କଲେ କିମ୍ବା ମାର୍ଗଦର୍ଶିକାର ଉଲ୍ଲଙ୍ଘନ କଲେ ଫୌଜଦାରୀ ଦଣ୍ଡବିଧି ଅଇାନର ଧାରା ୩୫୭(ଖ)ରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ ଆଦେଶରେ ଉଲ୍ଲେଖ କରିଥିଲେ । ଜଗତସିଂହପୁର ଏସିଡ ପୀଡ଼ିତାଙ୍କ ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଓ ଆଖି ଆଦି କ୍ଷତିଗ୍ରସ୍ତ ହୋଇଛି ବୋଲି ଡାକ୍ତରୀ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଚିକିତ୍ସା ସମୟରେ ଜିଲାପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଥିଲା । ତା’ ଛଡା ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସା ପାଣ୍ଠିରୁ ପୀଡ଼ିତାଙ୍କୁ ୧ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯିବା ପରେ ପୁନଶ୍ଚ ଆବେଦନକାରୀ ରାଜ୍ୟ ମନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବା ପରେ ୨ଲକ୍ଷ ଟଙ୍କା ତୁରନ୍ତ କ୍ଷତିପୂରଣ ବାବଦକୁ ଯୋଗାଇ ଦେବାକୁ ଆୟୋଗର କାର୍ଯ୍ୟକାରୀ ଅଧ୍ୟକ୍ଷ ବୀରକିଶୋର ମିଶ୍ର ନିକଟରେ ଆଦେଶ ଦେଇଛନ୍ତି।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ