୨୪ଘଣ୍ଟାରେ ଅବପାତ

୭୨ଘଣ୍ଟା ଭିତରେ ପ୍ରବଳ ବର୍ଷା

Copy Editor AH | Published On: Dec 05, 2017 05:54 AM IST | Updated On: Dec 05, 2017 05:58 AM IST |   1175

ଭୁବନେଶ୍ୱର : ନିକଟରେ ଅଦିନିଆ ବର୍ଷା ବିତ୍ପାତରେ ବ୍ୟାପକ ଅଞ୍ଚଳରେ ଫସଲ ହାନି ଯୋଗୁଁ ହନ୍ତସନ୍ତ ହେଉଥିବା ଚାଷୀ ଆଗକୁ ଲଘୁଚାପ ବର୍ଷା ଖବର ଶୁଣି ପ୍ରମାଦ ଗଣିଲେଣି। ଯଦି ପାଣିପାଗ ବିଭାଗର ଆକଳନ ସତ ହୁଏ ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ତିନି ଦିନ ଭିତରେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଏହାଦ୍ୱାରା ବିଲରେ ଥିବା ପାଚିଲା ଧାନ କ୍ଷେତ ଉଜୁଡ଼ିଯିବାର ଆଶଙ୍କା ରହିଛି। ପାଣିପାଗ ବିଭାଗ ତଥ୍ୟରୁ ଜଣାପଡ଼ିଛି ଯେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ତଥା ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବା ସହିତ ପରବର୍ତ୍ତୀ ୨୪ଘଣ୍ଟାରେ ଅଧିକ ଘନୀଭୂତ ହୋଇ ତୀବ୍ର ଅବପାତ ରୂପ ନେଇପାରେ। ଅବପାତ ଆକାରରେ ଏହା ତାମିଲନାଡ଼ୁ ଏବଂ ଦକ୍ଷିଣ ଆନ୍ଧ୍ର ଉପକୂଳ ମୁହାଁଇବ। ଏହାର ପ୍ରଭାବ ଓଡ଼ିଶା ଉପରେ ମଧ୍ୟ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ୭୨ ଘଣ୍ଟାରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହିତ ବର୍ଷା ପ୍ରଭାବ ଅନୁଭୂତ ହେବ । ୭ରେ ଅଳ୍ପ ବର୍ଷାର ସମ୍ଭାବନା ଥିବାବେଳେ ୮ରେ ବର୍ଷା ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ। କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, ଖୋର୍ଦ୍ଧା ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସୂଚନା ରହିଛି। ପରବର୍ତ୍ତୀ ଦୁଇ ଦିନରେ ବି ବର୍ଷା ଅବ୍ୟାହତ ରହିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୯ରେ କେନ୍ଦୁଝର, ମାଲକାନଗିରି, କଳାହାଣ୍ଡି, ବୌଦ୍ଧ, ରାୟଗଡ଼ା ଓ ଯାଜପୁରରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୧୦ରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ ଓ ଅନୁଗୋଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ଆସୁଥିବାରୁ ଚାଷୀମାନେ ବିଲରୁ କାଟିଥିବା ଧାନ ଖଳାକୁ ଆଣି ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ଜିଲାପାଳଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି।
Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।