ଭଲ ସଙ୍କେତ; କିନ୍ତୁ...

.

Published On: Dec 04, 2017 05:24 PM IST |   156

ଚଳିତ ଆର୍ଥିକବର୍ଷର ତୃତୀୟ ତ୍ରୈମାସିକରେ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଅଭିବୃଦ୍ଧି ହାର ୬.୩ ଶତାଂଶ ହେବା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଭଲ ସଙ୍କେତ। ବିଗତ ପାଞ୍ଚଟି ତ୍ରୈମାସିକରେ ଏହା ୭.୯ ଶତାଂଶରୁ ହ୍ରାସ ପାଇ ୫.୭ ଶତାଂଶରେ ପହଞ୍ଚିଯାଇଥିଲା। ଅର୍ଥବ୍ୟବସ୍ଥାର ଏହି ନିମ୍ନଗତି ଲୋକଙ୍କ ମଧ୍ୟରେ ବହୁ ନକାରାତ୍ମକ ଭାବନା ଓ ଆଶଙ୍କାକୁ ଜନ୍ମ ଦେଇଥିଲା, ଯାହା ସ୍ବାଭାବିକ। ତେବେ ଜିଡିପି ବୃଦ୍ଧିର ଏହି ପ୍ରଭାବ ଶେୟାର ବଜାର ଉପରେ ଆଦୌ ପଡ଼ିନଥିବା ଦେଖିବାକୁ ମିଳିଛି। ଗତ କିଛି ଦିନ ମଧ୍ୟରେ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ’ ସୂଚକାଙ୍କରେ ଭାରତର ଭଲ ପ୍ରଦର୍ଶନ ଓ ମୁଡିସ୍‌ ରେଟିଂରେ ଉନ୍ନତି କିଛିଟା ଆଶା ସଞ୍ଚାର କରିଥିଲା। ଏବେ ଜିଡିପି ବୃଦ୍ଧି ହାର ଅର୍ଥବ୍ୟବସ୍ଥା ଠିକ୍ ରାସ୍ତାରେ ପହଞ୍ଚିବାର ସୂଚନା ଦେଇଛି। ତେବେ ଅତୀତର ଆଠ ବା ନଅ ଶତାଂଶ ଅଭିବୃଦ୍ଧି ହାରକୁ ଦେଖିଲେ ଏହା ଏବେ ମଧ୍ୟ ବହୁତ କମ୍।
ଆହୁରି ମଧ୍ୟ ଆଉ କେତେକ କାରଣରୁ ଏହି ଅଭିବୃଦ୍ଧି ହାର ଉତ୍ସାହଜନକ ହେଲେ ହେଁ ସବୁକିଛି ଠିକ୍‌ଠାକ୍ ଚାଲିଥିବା କୁହାଯାଇପାରିବ ନାହିଁ। କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନର ମୁଖ୍ୟ ଟିସିଏ ଅନନ୍ତଙ୍କ ଅନୁଯାୟୀ ପର୍ବପର୍ବାଣୀ ଋତୁରେ ଅଧିକ ବିକ୍ରି ଆଶାରେ କମ୍ପାନୀସବୁ ଉତ୍ପାଦନ ବଢ଼ାଇ ଦେଇଛନ୍ତି, ଯାହାର ପ୍ରଭାବ ଜିଡିପି ହାର ବୃଦ୍ଧିରେ ପ୍ରତିଫଳିତ ହୋଇଛି। ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ମାନୁଫାକ୍‌ଚରିଂ କ୍ଷେତ୍ରର ପ୍ରଦର୍ଶନ ବହୁତ ଭଲ ଥିଲା। ସହର ଓ ଗ୍ରାମାଞ୍ଚଳରେ ଏଥିପାଇଁ ଅଧିକ ଚାହିଦାର ଆଶା ଫଳରେ ଏହି କ୍ଷେତ୍ରର ଅଭିବୃଦ୍ଧି ଗତବର୍ଷ ଉକ୍ତ ଅବଧିରେ ୧.୨ ଶତାଂଶ ଥିବାବେଳେ ତାହା ବଢ଼ି ୭ ଶତାଂଶରେ ପହଞ୍ଚିଥିଲା। ଏହାବ୍ୟତୀତ ହୋଟେଲ, ବ୍ୟବସାୟ, ପରିବହନ, ଯୋଗାଯୋଗ ଆଦି କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଦେଖିବାକୁ ମିଳିଛି; ମାତ୍ର କୃଷି କ୍ଷେତ୍ରରେ ଏହା ହ୍ରାସ ପାଇବାରେ ଲାଗିଛି। ତୃତୀୟ ତ୍ରୈମାସିକରେ ଏହି କ୍ଷେତ୍ରରେ ୧.୭ ଶତାଂଶ ଅଭିବୃଦ୍ଧି ଦେଖିବାକୁ ମିଳିଥିଲା, ଯାହା ବିଗତ ୫ଟି ତ୍ରୈମାସିକରେ ସର୍ବନିମ୍ନ। ଏଥିପାଇଁ ଅନିୟମିତ ବୃଷ୍ଟିପାତ ଦାୟୀ ବୋଲି କୁହାଯାଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଗକୁ ମଧ୍ୟ ଚାଷ ପାଇଁ ପାଗ ଅନୁକୂଳ ହେବନାହିଁ। ଏଥିପ୍ରତି ଚାଷୀ ଓ ସରକାର ସଚେତନ ରହିବା ଆବଶ୍ୟକ।
ଜିଡିପି ବୃଦ୍ଧି ଯେତିକି ଆଶ୍ବସ୍ତ କଲେ ହେଁ କୃଷିର ଦୁରବସ୍ଥା ବେଶ୍ ଚିନ୍ତାଜନକ; କାରଣ ଖାଦ୍ୟଦ୍ରବ୍ୟର ଦର ବଢ଼ିବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ସେହିପରି ପରିସଂଖ୍ୟାନ ଅନୁଯାୟୀ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ, ସାର, ଇସ୍ପାତ, ସିମେଣ୍ଟ, ବିଦ୍ୟୁତ୍ ଭଳି ଆଠଟି କ୍ଷେତ୍ରରେ ବୃଦ୍ଧିହାର ଅକ୍ଟୋବରରେ କେବଳ ୪.୭ ଶତାଂଶ ଥିଲା, ଯାହାକି ଗତବର୍ଷ ସମାନ ଅବଧିରେ ୭.୧ ଶତାଂଶ ରହିଥିଲା। ଏହି କାରଣରୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଏହି ଅଭିବୃଦ୍ଧି ଅସ୍ଥାୟୀ ନା ଆଗକୁ ବି ଜାରି ରହିବ? ଯଦି ଆଗାମୀ ତିନି ଚାରିଟି ତ୍ରୈମାସିକ ପର୍ଯ୍ୟନ୍ତ ଏହି ଅଭିବୃଦ୍ଧି ସମାନ ରହେ ବା ବୃଦ୍ଧି ପାଏ, ତା’ହେଲେ ହିଁ କହିହେବ ଯେ ପ୍ରକୃତରେ ଭାରତୀୟ ଅର୍ଥବ୍ୟବସ୍ଥାର ଗାଡ଼ି ଠିକ୍ ଚାଲିଛି। ଏବେ ବି ଯାହା ସବୁଠୁ ବେଶି ଚିନ୍ତାର ବିଷୟ, ତାହା ହେଲା ବେକାରୀ। ସରକାର ତା’ର ନିଦାନ ଖୋଜିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଅତଏବ ଗୋଟିଏ ତ୍ରୈମାସିକର ଜିଡିପି ଅଭିବୃଦ୍ଧି ନେଇ ଅତ୍ୟୁତ୍ସାହିତ ହେବାର କୌଣସି କାରଣ ନାହିଁ।

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ