ଯା’ର ମନ ଯେଡ଼େ, ତା’ର ପ୍ରଭୁ ସେଡ଼େ

.

Published On: Dec 03, 2017 07:49 PM IST |   224

ସ୍ୱର୍ଗକୁ ଯିବାକୁ ମୃତ୍ୟୁ ହିଁ ଏକମାତ୍ର ବାଟ। କଥା ତ ଅଛି “ନ ମଲେ କିଏ ସ୍ୱର୍ଗ ଦେଖିବ?” ସବୁ କଥାର ବ୍ୟତିକ୍ରମ ଥିଲା ପରି ଏଥିରେ ବି ବ୍ୟତିକ୍ରମ ଅଛି। ନଚିକେତା ତ ସ୍ୱ ଦେହରେ ସ୍ୱର୍ଗ ଯାଇଥିଲେ। ସ୍ୱର୍ଗ ଯାଇ ଯମଙ୍କ ସହ ମୃତ୍ୟୁ ସମ୍ବନ୍ଧିତ ପ୍ରଶ୍ନୋତ୍ତର ବେଶ୍‌ ଗୂଢ଼ ଭାବେ ଉପନିଷଦରେ ବର୍ଣ୍ଣିତ। ଆଉ ପାଣ୍ଡବ ପାଞ୍ଚଭାଇ ବି ସ୍ୱର୍ଗଯାତ୍ରା ଆରମ୍ଭ କରିଥିଲେ। ସମସ୍ତେ କୋଉ ଯାଇ ପାରିଲେ? ଗୋଟିଗୋଟି ହୋଇ ବାଟରେ ଟଳି ପଡ଼ିଥିଲେ, କେବଳ ଯୁଧିଷ୍ଠିର ଯାଇପାରିଥିଲେ। ପ୍ରଭୁ ଯାହାକୁ ବାଛିବେ, ସେ ସ୍ୱଦେହରେ ସ୍ୱର୍ଗ ବି ଯାଇପାରେ ବୋଲି ଆଉ ଗୋଟେ ଅଧିକା ବ୍ୟବସ୍ଥା ଏ ନିୟମରେ ଯୋଡ଼ା ଯାଇଛି। ତେବେ ବ୍ୟତିକ୍ରମ ତ ନିୟମ ନୁହେଁ। ମାତ୍ର ‘ବ୍ୟତିକ୍ରମ’, କ୍ରମାଗତ ହୋଇଗଲେ ତା’ ନିୟମ ବନିଯାଏ। ସେ ଏକ ବିଶୃଙ୍ଖଳାର ଜଗତ ବନିଯାଏ। ଏବେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେମିତି ସବୁ ଘଟୁଛି। ନିୟମ ଗୋଟେ; ବଡ଼ବଡ଼ିଆ, ମନ୍ତ୍ରୀ ତାଙ୍କ ବତିପେଲାଙ୍କ ପାଇଁ ବ୍ୟବସ୍ଥା ଆଉ ଗୋଟେ। ଏଇ ଦେଖୁନାହାନ୍ତି, ରଥରେ ଚଢ଼ିବା, ଧାଡ଼ିରେ ଠାକୁର ଦର୍ଶନ କରିବା କଥା। ଯେତେବେଳେ ମନ୍ତ୍ରିଆଣୀ ବା ମନ୍ତ୍ରୀ ପରିବାର, ଜଜ ସାହେବଙ୍କ ପରିବାର ଆଉ ଗୋଟେ ନିଷିଦ୍ଧ ବାଟରେ, ସେଇଲାଗେ ଆସି ସେଇଲାଗେ ଦର୍ଶନ କରିଗଲେ ଓ ଭୋରରୁ ଧାଡ଼ି ଲଗେଇଥିବା କେତେ ଭକ୍ତ ଅଭକ୍ତ ଧାଡ଼ିରେ ସେମିତି ଠିଆ ହୋଇଛନ୍ତି ପାଞ୍ଚ ଘଣ୍ଟାକାଳ, ସେତେବେଳେ ନିୟମ ଫୁରୁସା ଧରେ, ଏ ଅଭକ୍ତେ ଗୋଳ ଆରମ୍ଭ କରି ଦିଅନ୍ତି, ଠେଲାପେଲା ଆରମ୍ଭ ହୋଇଯାଏ। ତେବେ ବ୍ୟତିକ୍ରମ ରହିବ ଓ ରହିବ। ତାକୁ ନଜିର କରି ଧରିଲେ ବ୍ୟବସ୍ଥା ଭୁଶୁଡ଼ି ପଡ଼େ। ମୁରବିତ୍ୱ, ଶାସନ ମଙ୍ଗ ବି ଦୁର୍ବଳିଆ ବୋଲି ଏଥିରୁ କଳି ହୁଏ। ମାତ୍ର ‘ଭାବ’ ରାଜ୍ୟରେ ପ୍ରଭୁ କୌଣସି ବ୍ୟତିକ୍ରମର ବ୍ୟବସ୍ଥା କରି ନାହାନ୍ତି। “ସେ ଯାହାକୁ ବାଛିବେ ସେ ତାଙ୍କୁ ପାଇବେ’। “ଯମୈବେଷେ ବୃଣୁତେ ତେନ ଲଭ୍ୟଃ”, ଉପନିଷଦୀୟ ଏ ବାଣୀରେ ସମ୍ପୂର୍ଣ୍ଣ ସମର୍ପଣ ଭାବରେ ଟିକିଏ ବି ପରିବର୍ତ୍ତନ ନାହିଁ, ଗଳି କନ୍ଦି ନାହିଁ। ‘ଭକ୍ତି’ ସେଠି ସାଲିସବିହୀନ ଏକ ସର୍ତ୍ତ। ଅଛୁଆଁ ଦାସିଆ ବାଉରିଠୁ ବଡ଼ଦାଣ୍ଡରୁ ହାତ ବଢ଼େଇ ସେ ନଡ଼ିଆ ନେଇଗଲାବେଳେ, ଧାଡ଼ିରେ ସର ରାବିଡ଼ି ଧରି କେତେ ବଡ଼ବଡ଼ିଆ କାହିଁ କେତେ ବେଳୁ ଧାଡ଼ି ଲଗେଇଥିଲେ। ଗୋପୀମାନଙ୍କ କାଦୁଅ ଅଗଣାରେ ସେ ଯେମିତି ଲୋଟୁଥିଲେ, ଅପରିଚ୍ଛନିଆଗୁଡ଼ାଙ୍କ ସହ ରାସ ରଚି ଯେମିତି ଆନନ୍ଦ ଗଦଗଦ ହୋଇ ଯାଉଥିଲେ, କାଇଁ ମହମହ ବାସୁଥିବା ରାଜକନ୍ୟା ଓ ପାଟମହିଷୀମାନଙ୍କ ସହ ଦିନେ ବି ତ ଏ ଆନନ୍ଦ ପାଇବା ଦେଖା ନାହିଁ। ସେଇଥି ପାଇଁ କୁହାଗଲା, “ଭକ୍ତ୍ୟା ତୁଷ୍ୟତି କେବଳଂ ନ ଚ ଗୁଣୈଃ, ଭକ୍ତିପ୍ରିୟୋମାଧବଃ”। ଟୋପେ ଅହଂକାର ଓ ଭିନ୍ନ ଭାବ ଏଥିରେ ମିଶିଲେ, କଥା ସଇଲା। ଫଳ ହେବ, “ମାଦୃଶୀଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ”। ପରମ ଶିବଭକ୍ତ ରାବଣ ଶ୍ରୀଲଙ୍କାରୁ ପ୍ରତିଦିନ ଶିବ ଦର୍ଶନ ପାଇଁ ହିମାଳୟ ତାଙ୍କ ପୁଷ୍ପକ ବିମାନରେ ଯାଉଥିଲେ। ଏବେ ସିନା ବ୍ୟୋମଯାନ ହାଉଯାଉ, ସେତେବେଳେ କିନ୍ତୁ ରାବଣଙ୍କ ବ୍ୟତୀତ ଏ ବିମାନ ଆଉ କାହାର କାଇଁ ଥିଲା? ସେ ବିମାନ ଆମର ଏ ରାକ୍ଷସକାୟ ବିମାନ ପରି ଅଧା ଆକାଶରେ ବି ‘ଢୋ’ ହୋଇ କେତେ ନିରୀହ ଜୀବନକୁ ଧୋକା ଦେଉ ନ ଥିଲା! ସେଥିରେ ‘ପାଇଲଟ’ ବି ଧର୍ମଘଟ କରିବାକୁ କୋଉ ଥିଲେ? ଛାଡ଼ନ୍ତୁ ସେସବୁ ଭିନ୍ନ ଏକ କଥା। ଏମିତି ଜଣେ ଭକ୍ତ- ରାଜା, ପ୍ରଜାରଞ୍ଜନ ପାଇଁ ସ୍ୱର୍ଣ୍ଣଲଙ୍କା ତିଆରି କରିଥିଲେ। ମାତ୍ର ସ୍ୱର୍ଗକୁ ‘ନିଶୁଣି’ ତିଆରି ତ ତାଙ୍କ ପାଇଁ ମାମୁଲି ଏକ କଥା ଥିଲା। ହୋଇପାରିଲାନି କିଆଁ? ଦେବତାମାନଙ୍କ ଏକଚାଟିଆ ସ୍ୱର୍ଗଭୋଗ ଭାଙ୍ଗି ତା’କୁ ତାଙ୍କ ରାକ୍ଷସ ପ୍ରଜାଙ୍କ ସହ ସମତୁଲ କରିବାର ଏକ ଭ୍ରମାତ୍ମକ ଭାବ ଓ ଅହଂ ଯୋଗୁଁ ସେ ବଳ ଓ କ୍ଷମତା ତାଙ୍କ ଅଜାଣତରେ ଅନ୍ତର୍ହିତ ହୋଇଯାଇଥିଲା। ପୁଣ୍ୟ କରିବା, ମୋକ୍ଷପ୍ରାପ୍ତ ହେବା, ପ୍ରଭୁ ସହ ଏକାକାର ହୋଇଯିବା ଭିନ୍ନ ଭିନ୍ନ କଥା। ବୈଷ୍ଣବମାନେ ନା ପୁଣ୍ୟ ନା ମୋକ୍ଷ ଲୋଡ଼ନ୍ତି। ସେ ଆଉ ଏକ ବିଚିତ୍ର ଭାବ। ତେବେ ପୁଣ୍ୟ କଲେ ସ୍ୱର୍ଗଲାଭ ଓ ଭୋଗ ମଧ୍ୟ ଏକ ଭକ୍ତି ଅନ୍ତର୍ଗତ। ପ୍ରଭୁ ଏ ଭକ୍ତକୁ ବି ସ୍ୱର୍ଗସୁଖ ଦିଅନ୍ତି। ମାତ୍ର “କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟଲୋକେ ବିଶନ୍ତି”, ପୁନର୍ମୂଷିକୋ ଭବ। “ଆରେ ଢମଣା ବୁଲି ବୁଲିକା ସେଇ ଅଗଣା”। ପ୍ରସଙ୍ଗଟା ବାଟବଣା ହୋଇଯାଉଛି। ଅଦା ବେପାର ଭୁଲି, ବିଚରା ଜାହାଜ ମୂଲାରେ ଭ୍ରମିତ ହେଲାଭଳି, ଏ ବେଙ୍ଗାମନ ଭ୍ରମିତ ହୋଇଯାଉଛି। ପ୍ରସଙ୍ଗ ହେଲା ମୂଳ ଭାବ ଓ ତା’ର ପରିଣତି।
‘ଦେଉଳ ଓ ଠାକୁର’, ‘ମଠ ଓ ମହନ୍ତ ମହାରାଜ’, ଏଥିରେ ମୂଳ କିଏ? ଉତ୍ତରରୁ ମାପନ୍ତୁ ଓ ହେଜନ୍ତୁ ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଯେତେ ଅବିକଳ ଦିଶିଲେ ବି ଠାକୁର ନ ଥିଲେ ସିଏ କୋଉ ମନ୍ଦିର? ମହନ୍ତ ମହାରାଜ ଯେତେ ଆଣ୍ଟ ଲେଙ୍ଗୁଟି ମାରିଲେ ବି, କାହା ଘରେ ରହିଲେ ତା କୋଉ ମଠ ହେବ? ସେମିତି ସବୁ କଥା। ପୁରୀ ବଡ଼ ଦେଉଳ କଥା ହେଜନ୍ତୁ। ଦି’ ପୁରୁଷ ଲାଗିଗଲା ସରିବାକୁ।
ଅନଙ୍ଗଭୀମ ଦେବଙ୍କ ଏ ମନ୍ଦିର, ତା’ ଆଧିଷ୍ଠାତା ପ୍ରଭୁ ଜଗନ୍ନାଥଙ୍କ ସହ ଆଜି ବି ଜଗତଜିତା ଥିବାବେଳେ ପରମଭକ୍ତ ଲାଙ୍ଗୁଳା ନରସିଂହ ଦେବଙ୍କ ମନ୍ଦିର ଏବେ କ’ଣ ଆଉ ମନ୍ଦିର ହୋଇଅଛି? ମନ୍ଦିରର କଙ୍କାଳଟେ ନା କ’ଣ? ହଁ କର୍ପୂର ନୁହେଁ; କର୍ପୂରର କନା ବନିଯାଇଛି। କାହିଁକି ଏମିତି ଘଟିଲା? ବାରବର୍ଷ ପ୍ରାଣ ଓ ମନଦେଇ ଖଟିଥିବା ଏ ଶିଳ୍ପୀଙ୍କ ତ୍ୟାଗ ଆହୁରି କ’ଣ ଊଣା ପଡ଼ିଲା? “ବାରଶ ବଢ଼େଇରେ ଦାୟ କି ପୁଅରେ ଦାୟ’’ ଭଳି ଖଣ୍ଡା, ଏତେ ଶ୍ରମ ପରେ ବି ତାଙ୍କ ମୁଣ୍ଡ ଉପରେ ଝୁଲାଇ ଦିଆଗଲା। ସେମାନଙ୍କର ସେ ଦିନର ମାନସିକ ଉଦ୍‌ବେଗ, ପ୍ରାଣର ଯନ୍ତ୍ରଣା କଳନା କରାଯାଉ ତ! ରହନ୍ତା କେମିତି ସେ ମନ୍ଦିର? ଜନ୍ମର ବାରବର୍ଷ ପରେ ବାଡ଼ି ବରକୋଳି ନେଇ ବାପକୁ ପହିଲି ଦେଖା କରିବାକୁ ଯାଇଥିବା ଧରମା, ମା’ପାଖୁ ଆଉ ଫେରିଥିଲା? ଦେଉଳ ମୁଣ୍ଡିମାରି, ବାରଶ ବଢ଼େଇଙ୍କ ଘରବାହୁଡ଼ା ପର୍ବ ରଚିବାକୁ ସେ ସହିଦ ହୋଇଗଲା। ବାରବର୍ଷ ପରେ ଘରକୁ ଫେରିଥିବା ବିଶୁ ମହାରଣା କ’ଣ କହିଥିବେ ତାଙ୍କ ସ୍ତ୍ରୀଙ୍କୁ? “ପୁଅ କୁଆଡ଼େ ଗଲା?’’ ପ୍ରଶ୍ନରେ ମାଟିହୋଇ ଯାଇଥିବ ତାଙ୍କ ଦୀର୍ଘ ପ୍ରତୀକ୍ଷାନ୍ତ ମିଳନ। ଏମିତି ଲୁହ କୋହରେ ଭିଜା ମନ୍ଦିରକୁ କୋଉ ପ୍ରଭୁ ସହିବେ ଯେ? ତା’ ଦେଖେଇ ଦେଲା ବୋଧେ କୋଣାର୍କ।
ସୂର୍ଯ୍ୟଙ୍କ ମାଫି ଦେଉଳ ହେବା କଥା ତ। ଯେଡ଼େ ଭାବ ହେଲେ ବି ଭକ୍ତି ଭାବ ତ ନିଶ୍ଚୟ। ବାରବର୍ଷ କାଳ ବାରଶହ ବଢ଼େଇଙ୍କ ନିଯୁକ୍ତିରେ ତିଆରି ମନ୍ଦିର ଭିତରେ ବିଚିତ୍ର ପ୍ରଭୁ ଉପାସନାର ଭାବ ହଜିଗଲା। ଭାବ ତ ମୂଳ। ଶ୍ରେଷ୍ଠ ବନିଗଲା କଳା ନୈପୁଣ୍ୟ ବୋଧେ। ସେଇଥି ପାଇଁ ଭକ୍ତ ମନୋବାଞ୍ଛା ପୂରଣ ପାଇଁ, ‘ଉପାସନା’ ଏଠୁ ଅପସରି ଗଲା। ଏବେ କଳାଭାସ୍କର୍ଯ୍ୟର ଡିଣ୍ଡିମ ପିଟୁଛି ୟେ। ପୂଜା, ଉପାସନାରେ ସତରେ ଏତେ ଆଡ଼ମ୍ବର କ’ଣ? କଦଳୀ ନୁହଁ, କଦଳୀ ଚୋପାଖାଇ ଏ ପ୍ରଭୁ ଗଦଗଦ ହୋଇଯାଆନ୍ତି। ସେ ଯାହାହେଉ ଓଡ଼ିଶାର ଶିଳ୍ପୀକୁଳର ଗୌରବ ପଦ୍ମବିଭୂଷଣ ରଘୁନାଥ ଆଜ୍ଞା କୋଣାର୍କ ତୁଲ ସମ୍ପଦଟିଏ ଗଢ଼ିବାକୁ ମନ ମଧ୍ୟରେ କାହିଁ କେତେ ବର୍ଷ ହେବ ହାଇଁପାଇଁ ହେଉଛନ୍ତି। ଆଉ ଗୋଟେ ‘ବଡ଼ ଦେଉଳ’ ଆଉ ଗୋଟେ ‘କୋଣାର୍କ’ ମନ୍ଦିର କିଏ କେମିତି ଗଢ଼ି ପାରିବବୋଲି ଯେଉଁମାନେ ଚିହିଙ୍କି ଉଠୁଛନ୍ତି, ସେମାନଙ୍କ ଭାବାବେଗ ଅନୁଧ୍ୟାନ କରିବା କଥା। କୋଣାର୍କ, ତାଜମହଲ କ’ଣ ବ୍ୟକ୍ତି ସୃଷ୍ଟ ନା କାଳସୃଷ୍ଟ ତା’ର ବ୍ୟାଖ୍ୟା ବ୍ୟାପକ। କାଳ ସୃଷ୍ଟି କରେ ଏ ଆବଶ୍ୟକତାର ପରିବେଶ, ପରିସ୍ଥିତି। ସେମିତି କୋଣାର୍କ ନିର୍ମାଣ ହୋଇଗଲା। ମାତ୍ର ଅର୍କ ପୂଜା ହଜିିଗଲା। ଏବେ କର୍ପୂର ନଥିବା ଏ ଭାସ୍କର୍ଯ୍ୟର କନା ତଥାପି ବି ଚିକିଚିକି କରୁଛି। ଆଉ ଏଥିରେ ଏ ପ୍ରତିଭା ସମ୍ପନ୍ନ ମହାନ ଶିଳ୍ପୀ ରଘୁନାଥ ଆଜ୍ଞା ବହୁ ଭାବେ ପ୍ରଚୋଦିତ ହେଉଛନ୍ତି। ଆଠଶହ କୋଟି ଟଙ୍କା ବ୍ୟୟରେ ଛ’ ବର୍ଷରେ କୁଆଡ଼େ ସେ ଏ କୋଣାର୍କ ତିଆରି କରିବେ। ବାଦ ପ୍ରତିବାଦ ଏଡ଼େଇବାକୁ ତା ନା ଭିନ୍ନ ଦେବେ, “ଆଦିତ୍ୟ ନାରାୟଣ ମନ୍ଦିର’’। ଆଜିର ଏ ବିଷୟାନ୍ଧ ଯୁଗରେ କିଏ ଏମିତି ଭାବରେ ସନ୍ତୁଳିତ ହେଉଛି? ମାତ୍ର ଏ ବିଦଗ୍ଧତାରେ କଳା ଭାସ୍କର୍ଯ୍ୟ, ଉତ୍କଳୀୟ ଶିଳ୍ପ କଳା ପ୍ରଦର୍ଶନ ମୁଖ୍ୟ ଭାବ ଓ ଆଧାର ଥିବାରୁ, “ମନ୍ଦିର ଭାବ”, “ଉପାସନା” ପରିବେଶ ସେଠୁ ପ୍ରଥମରୁ ହିଁ ଉପେକ୍ଷିତ ହୋଇଗଲାଣି। ହେବାରେ ତ୍ରୁଟି ବି କାହିିଁ? ଶିଳ୍ପୀ କୁଳର ମହାନତା ପ୍ରତିଷ୍ଠା ଓ ମାନବ ଜାତିର ଆର୍ତ୍ତି, ଆପତ୍ତି ଶୁଣାଣି ଦୁଇ ଭିନ୍ନ ଭାବ ଓ ବ୍ୟବସ୍ଥା।
ମାନନୀୟ ଶିଳ୍ପୀଙ୍କ ଏ ସ୍ୱପ୍ନ ସାର୍ଥକ ହେଉ। ଅନ୍ତର୍ଗତ ଭାବ ତ ଶେଷକୁ ଉକୁଟି ଉଠିବ ହିଁ ଉଠିବ। ସ୍ୱର୍ଗକୁ ନିଶୁଣି ତିଆରି, ସମର୍ଥ ରାବଣଙ୍କ ଉତ୍ସର୍ଗୀକୃତ ଭାବ ନଥିଲା। ଅହଂ ଓ ଦେବତାଙ୍କ ସମତୁଲ ହେବାର ଆସ୍ପର୍ଦ୍ଧାରୁ ତା’ ସାକାର ହୋଇପାରିନଥିଲା। ସବୁ ଉଦ୍ୟମ, ଉଦ୍ୟୋଗର ମୂଳ ଓ ସାଫଲ୍ୟ ଏମିତି ଭାବସବୁ। କୁହା ଯାଇଛି, “ଯା’ର ମନ ଯେଡ଼େ ତା’ର ପ୍ରଭୁ ତେଡେ।”

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ