ପ୍ରଥମ ପର୍ଯ୍ୟାୟରେ ୧୯୮ କୋଟିପତି ପ୍ରାର୍ଥୀ

ଗୁଜରାଟ ନିର୍ବାଚନ

Copy Editor AH | Published On: Dec 03, 2017 12:15 AM IST |   487

ଅହମ୍ମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୯୯୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ୧୯୮ ଜଣ ପ୍ରାର୍ଥୀ କୋଟିପତି ଏବଂ ୫୭ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ପଶ୍ଚିମ ରାଜକୋଟରେ ବିଜେପି ପ୍ରାର୍ଥୀ ତଥା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଇନ୍ଦ୍ରନୀଳ ରାଜଗୁରୁ ସବୁଠାରୁ ଧନୀ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ପରିମାଣ ୧୪୧.୨୨ କୋଟି ଟଙ୍କା ବୋଲି ଜଣାପଡିଛି। ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ମୋଟ ୯୯୭ ପ୍ରାର୍ଥୀଙ୍କ ମଧ୍ୟରୁ ୯୨୩ ଜଣ ପ୍ରାର୍ଥୀଙ୍କ ସତ୍ୟପାଠକୁ ଅଣସରକାରୀ ସଂସ୍ଥା ଗଣତାନ୍ତ୍ରିକ ସଂସ୍କାର ସଂଘ (ଏଡିଆର୍‌) ଅନୁଧ୍ୟାନ କରି ଏହି ତଥ୍ୟ ପ୍ରଦାନ କରିଛି। ସଂସ୍ଥାର ରିପୋର୍ଟ ଅନୁଯାୟୀ, ଏହି କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ କିଛି ବିଭିନ୍ନ ରାଜନୈତିକ ଦଳର ହୋଇଥିବା ବେଳେ ଅନ୍ୟ କେତେ ଜଣ ସ୍ୱାଧୀନ ପ୍ରାର୍ଥୀ ଅଛନ୍ତି । ସତ୍ୟପାଠରେ ଉଲ୍ଲିଖିତ ତଥ୍ୟ ଅନୁଯାୟୀ, ୬୫ ଜଣ ପ୍ରାର୍ଥୀଙ୍କ ନିକଟରେ ୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରହିଛି । ଅନ୍ୟ ୬୦ ଜଣଙ୍କ ପ୍ରାର୍ଥୀଙ୍କ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨ କୋଟି ବୋଲି ଉଲ୍ଲେଖ କରିଛନ୍ତି । ଶାସକ ଦଳ ବିଜେପି ପକ୍ଷରୁ ୭୬ ଜଣ କୋଟିପତି ପ୍ରାର୍ଥୀଙ୍କୁ ଟିକଟ୍‌ ପ୍ରଦାନ କରାଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ୬୦ ଜଣ ରହିଛନ୍ତି । ଏନ୍‌ସିପି ୭, ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୬ ଏବଂ ବିଏସ୍‌ପିରୁ ୨ ଜଣ କୋଟିପତି ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ବର୍ଗରେ ୨୫ ଜଣ ଜଣାଶୁଣା ସ୍ୱାଧୀନ ପ୍ରାର୍ଥୀ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଅନ୍ୟ କୋଟିପତି ପ୍ରାର୍ଥୀମାନେ କ୍ଷୁଦ୍ର ରାଜନୈତିକ ଦଳର ବୋଲି କୁହାଯାଇଛି । ତେବେ ୫୪ ଜଣ ପ୍ରାର୍ଥୀଙ୍କ ସତ୍ୟପାଠ ଅପୂରଣୀୟ ତଥା ଅସ୍ପଷ୍ଟ ଥିବାରୁ ସେମାନଙ୍କ ସମ୍ପତ୍ତି ପରିମାଣ ଜଣାପଡିନାହିଁ । ଆସନ୍ତା ୯ ତାରିଖରେ ୮୯ଟି ବିଧାନସଭା ଆସନ ଲାଗି ମତଦାନ ହେବ। ରିପୋର୍ଟ ଅନୁଯାୟୀ, କୋଟିପତି ପ୍ରାର୍ଥୀ ତାଲିକାର ଦ୍ୱିତୀୟ ସ୍ଥାନରେ ବିଜେପିର ସୌରଭ ପଟେଲ ଓ ତୃତୀୟରେ ୱଧୱନର ଧାଞ୍ଜିଭାଇ ପଟେଲ ଅଛନ୍ତି । ଗୁଜରାଟର ପୂର୍ବତନ ଅର୍ଥମନ୍ତ୍ରୀ ସୌରଭ ତାଙ୍କ ସମ୍ପତ୍ତି ମୂଲ୍ୟ ୧୨୩.୭୮ କୋଟି ଟଙ୍କା ଏବଂ ପଟେଲଙ୍କ ନିକଟରେ ୧୧୩.୪୭ କୋଟି ଟଙ୍କାର ସମ୍ପତ୍ତି ରହିଥିବା ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ତେବେ ସୁରେନ୍ଦ୍ର ନଗରସ୍ଥିତ ମାକସନ୍‌ ଗ୍ରୁପ କମ୍ପାନୀର ମାଲିକ ଧାଞ୍ଜିଭାଇ ବାର୍ଷିକ ଆୟ କ୍ଷେତ୍ରରେ ସମସ୍ତ ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି । ଧାଞ୍ଜିଭାଇ ଏବଂ ତାଙ୍କ ପରିବାରଙ୍କ ବାର୍ଷିକ ଆୟ ୧୧୩.୪୭ କୋଟି ବୋଲି ଗତ ଆୟକର ପୈଠ ରିପୋର୍ଟରୁ ଜଣାପଡିଛି । ତାଙ୍କ ପଛକୁ ରହିଛନ୍ତି, ବିଜେପିର ଦ୍ୱାରକା ପ୍ରାର୍ଥୀ ପାବୁଭ ମେନକା ଏବଂ ବୋତଡ ପ୍ରାର୍ଥୀ ସୌରଭ ପଟେଲ । ୮ ଜଣ ପ୍ରାର୍ଥୀଙ୍କ ବାର୍ଷିକ ଆୟ ଏକ କୋଟିର ଊର୍ଦ୍ଧ୍ବ ରହିଛି । ୯୨୩ ଜଣଙ୍କ ମଧ୍ୟରୁ ୮୪୭ ଜଣ ସେମାନଙ୍କ ଆୟର ପନ୍ଥା ସତ୍ୟପାଠରେ ଉଲ୍ଲେଖ କରିଥିବା ବେଳେ ୭୬ ଜଣ କିଛି ଦର୍ଶାଇ ନାହାନ୍ତି । ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିକୋଣରୁ ୯୨୩ ଜଣଙ୍କ ମଧ୍ୟରୁ ୫୮୦ ଜଣ କେବଳ ପଞ୍ଚମ, ଅଷ୍ଟମ, ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଛନ୍ତି । ୭୬ ଜଣ କେବଳ ସାକ୍ଷର ହୋଇଥିବା ବେଳେ ୧୭ ଜଣ ଅଶିକ୍ଷିତ ବୋଲି ଜଣାପଡିଛି । ୩୬୭ ଜଣ ୨୫ ବର୍ଷ ବୟସ୍କ ପ୍ରାର୍ଥୀ ହୋଇଥିବା ବେଳେ ୪୭୩ ଜଣ ୪୧ରୁ ୬୦ ବର୍ଷ ବୟସ୍କ । ସେହିଭଳି ୮୨ ଜଣ ପ୍ରାର୍ଥୀଙ୍କ ବୟସ ୬୧ରୁ ୮୦ ବୋଲି ଜଣାପଡିଛି ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ