କନ୍ୟାଭ୍ରୂଣ ହତ୍ୟା ନିରୋଧ ଆଇନର କାର୍ଯ୍ୟକାରିତା

.

Published On: Nov 27, 2017 02:40 PM IST |   118

ଆମ ସମାଜରେ ନବବିବାହିତା ବଧୂଟିଏ ଓଢ଼ଣା ଦେଇ ବୟସ୍କମାନଙ୍କ ଆଶୀର୍ବାଦ ପାଇଁ ମୁଣ୍ଡିଆଟିଏ ମାରିଲେ ପ୍ରାୟତଃ ‘ପୁତ୍ରବତୀ ଭବଃ’ ଆଶୀର୍ବାଦ ମିଳିଥାଏ। କେହି କେବେ ‘କନ୍ୟା ସନ୍ତାନର ଜନନୀ ହୁଅ’ ବୋଲି ଆଶୀର୍ବାଦ ଦେବାର ଶୁଣାଯାଏ ନାହିଁ। ଏହା ନିଃସନ୍ଦେହରେ କୁହାଯାଇପାରେ ଯେ ଅଧିକାଂଶ କ୍ଷେତ୍ରରେ ପିତାମାତା କନ୍ୟା ସନ୍ତାନଟିଏ ଅନ୍ତରରୁ ଚାହାନ୍ତି ନାହିଁ ଓ ବିଶେଷକରି ନାରୀଟିଏ ହିଁ କନ୍ୟା ସନ୍ତାନର ଜନନୀ ହେବାକୁ ହୃଦୟରୁ ଚାହିଁନଥାଏ। ଏହାର ଏକ ପ୍ରମୁଖ କାରଣ ହୁଏତ ହୋଇପାରେ ଯେ ସେ ନାରୀ ଜନ୍ମ ପାଇ ପରିବାରର ଓ ସମାଜ​‌େ​‌ର ଯାହା କିଛି ଦୁଃଖଦୁର୍ଦଶା ଭୋଗିଛି ତା’ର ସନ୍ତାନ ଅନ୍ତତଃ ତାହା ନ ପାଉ। ଏପରି ଭାବିବା ମଧ୍ୟ ସ୍ବାଭାବିକ। ଉତ୍ତରପ୍ରଦେଶର ଏକ ଲୋକଗୀତ ଅଛି ଯାହାର ଅର୍ଥ ହେଲା ‘ହେ ଈଶ୍ବର, ମୋତେ ଆର ଜନ୍ମରେ ପଛେ ନର୍କରେ ରଖିବୁ, କିନ୍ତୁ କନ୍ୟା ସନ୍ତାନର ଜନକ କରିବୁ ନାହିଁ’। ତେବେ କନ୍ୟା ସନ୍ତାନଟିଏ ଆମ ସମାଜରେ କାହିଁକି ଅଖୋଜା, ଅଲୋଡ଼ା? ସେ କାହିଁକି ଅବାଞ୍ଛିତ ଓ ଅଦରକାରୀ? ଏ ଅନାଦର କାହିଁକି?
ମନ​‌େ​‌ର ପ୍ରଶ୍ନ ଉଠେ ଝିଅଟିର ଭୁଲ ରହିଲା କେଉଁଠି। ଏଇଟା କ’ଣ ତା’ର ଭୁଲ ଯେ ସେ ସମସ୍ତଙ୍କୁ ସହଜରେ ବିଶ୍ବାସ କରିଯାଏ। ନିଜର ସବୁକିଛି ସ୍ବଇଚ୍ଛାରେ ଅନ୍ୟମାନଙ୍କୁ ସମର୍ପି ଦିଏ। ନିଜର ସ୍ବତନ୍ତ୍ର ପରିଚୟ ଓ ସତ୍ତା ହରାଇଦେଇ ପୁରୁଷଟିଏ ମାର୍ଫତରେ ନିଜ ଅସ୍ତିତ୍ବ ସୃଷ୍ଟି କରି ଜିଇବାକୁ ଚାହେଁ। ଏହା କ’ଣ ତା’ର ଅପରାଧ ଯେ ନିଜର ସବୁକିଛି ହସିହସି ତ୍ୟାଗ କରି ଅନ୍ୟ ଉପରେ ନିର୍ଭରଶୀଳ ହୋଇରହିବାକୁ ପସନ୍ଦ କରେ, ନା ପୁରୁଷ ପ୍ରତି ‘ତୋ ବିନୁ ଅନ୍ୟଗତି ନାହିଁ’ ଭାବନା ତା’ର ଭୁଲ। କନ୍ୟାଟିଏ ଉପେକ୍ଷିତ କାହିଁକି? ଶିକ୍ଷାରୁ ବଞ୍ଚିତ କାହିଁକି? ବାଲ୍ୟ ବିବାହ, ବାଲ୍ୟ ବିଧବା, ସତୀଦାହ ପ୍ରଥା ପରି କଳଙ୍କିତ ପ୍ରଥାର ଯନ୍ତ୍ରଣା ଭୋଗେ କାହିଁକି? ପ୍ରତାରଣାର ଶିକାର ହୋଇ ପରିସ୍ଥିତିର ବାଧ୍ୟବାଧକତାରେ ଅନୈତିକ କାର୍ଯ୍ୟରେ ବ୍ୟବହୃତ ହୁଏ କାହିଁକି? ଯୌନ ଶୋଷଣ, ଲାଞ୍ଛିତ ଓ ଅପମାନିତ ହୁଏ କାହିଁକି?
କନ୍ୟାଭ୍ରୂଣ ହତ୍ୟା ସାମ୍ପ୍ରତିକ ସମାଜର ଏକ ଜ୍ବଳନ୍ତ ସମସ୍ୟା। ନାରୀ ଜାତି ପ୍ରତି ତଥାକଥିତ ଆଧୁନିକ ମଣିଷର ବିବେକହୀନତା ଓ ବୀଭତ୍ସ ଆଚରଣର ଏହା ଏକ ଚରମ ପ୍ରତୀକ ବୋଲି କୁହାଯାଇପାରେ। ଭବିଷ୍ୟତର ଆଶଙ୍କାରେ ଜର୍ଜରିତ ପିତାମାତା କନ୍ୟା ସନ୍ତାନଟିକୁ ପୃଥିବୀପୃଷ୍ଠରେ ଭୂମିଷ୍ଠ କରାଇ ନଦେବାପାଇଁ ଯଥା ସମ୍ଭବ ପ୍ରଯତ୍ନଶୀଳ। ଆଉ ଏହି କାର୍ଯ୍ୟରେ ଯଦି ଆଧୁନିକ ଚିକିତ୍ସା ବିଜ୍ଞାନର ସାହାଯ୍ୟ ଓ ସହଯୋଗ ମିଳିଯାଏ ତେବେ ନିକଟ ଭବିଷ୍ୟତରେ ଏହା ଏକ ମହାମାରୀର ରୂପ ଗ୍ରହଣ କରିବା ଅସମ୍ଭବ ନୁହେଁ।
ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର କନ୍ୟାଭ୍ରୂଣ ହତ୍ୟା ନିଷେଧ ଆଇନ, ୧୯୯୪ ମସିହାରେ ପ୍ରଣୟନ କରିଛନ୍ତି। ଉକ୍ତ ଆଇନ ପ୍ରଣୟନ କରିବାର ମୁଖ୍ୟ ଲକ୍ଷ୍ୟ ହେଲା କନ୍ୟାଭ୍ରୂଣ ହତ୍ୟା ବନ୍ଦ କରି ସମାଜରେ ପୁରୁଷ ଓ ମହିଳାଙ୍କ ସଂଖ୍ୟାର ଅସନ୍ତୁୁଳିତ ଅନୁପାତକୁ ସମାନ ସ୍ତରକୁ ଆଣିବା ଯାହାଫଳରେ ଆମ ଦେଶ ଏକ ବଡ଼ଧରଣର ବିପର୍ଯ୍ୟୟରୁ ରକ୍ଷା ପାଇପାରିବ। ଉକ୍ତ ଆଇନରେ ଯେଉଁ ସବୁ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା ରହିଛି ସେଗୁଡ଼ିକ ହେଲା ଗର୍ଭଧାରଣ ପୂର୍ବରୁ ବା ପରେ ଲିଙ୍ଗ ନିରୂପଣ ପାଇଁ କୌଣସି ଯନ୍ତ୍ରପାତି ବା ଉପାୟର ପ୍ରୟୋଗ ପୂରାପୂରି ବାରଣ କରାଯାଇଛି। ଏହାଦ୍ବାରା ଆଉ କନ୍ୟାଭ୍ରୂଣ ହତ୍ୟା କରିବାର ଅବକାଶ ହିଁ ରହିବ ନାହିଁ। ପ୍ରତ୍ୟେକ ଜେନେଟିକ ପରାମର୍ଶ କେନ୍ଦ୍ର, ଜେନେଟିକ ଲାବୋରେଟୋରୀ ଓ ଜେନେଟିକ କ୍ଳିନିକ୍‌ଗୁଡ଼ିକର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରି ଜନ୍ମପୂର୍ବରୁ ନିଦାନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ମଧ୍ୟ ଏହି ଆଇନର ଉଦ୍ଦେଶ୍ୟ। ଜେନେଟିକ୍‌ କ୍ଲିନିକ୍‌ ଚଳାଉଥିବା ଚିକିତ୍ସାଜୀବୀମାନଙ୍କୁୁ ଏହି ଆଇନ୍‌ ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ ହେବାକୁ ପଡ଼ିବ। ଜନ୍ମପୂର୍ବରୁ ମାତୃଗର୍ଭସ୍ଥ ସନ୍ତାନଟିର କୌଣସି ଜେନେଟିକ୍‌ ବା ମେଟାବୋଲିକ୍‌ ରୋଗ ରହିଛି କି ବା ଅସ୍ବାଭାବିକ କ୍ରୋମଜମ୍‌ ସମସ୍ୟା ବା ହେମୋଗ୍ଲୋବିନୋପାଥିକ୍‌, ଯୌନଜନିତ ବ୍ୟାଧି ଓ ଜନ୍ମଗତ ଅସୁସ୍ଥତା ରହିଛି କି ନାହିଁ କେବଳ ତାହାର ପରୀକ୍ଷାନିରୀକ୍ଷା କରିବାମଧ୍ୟରେ ହିଁ ଆଧୁନିକ ଯନ୍ତ୍ରପାତି ବା କୌଶଳର ପ୍ରୟୋଗକୁ ସୀମିତ ରଖାଯାଇଛି। ଏତଦ୍‌ବ୍ୟତୀତ ଗର୍ଭବତୀ ମହିଳାଙ୍କ ଯଦି ପୂର୍ବରୁ ଆପେଆପେ ଦୁଇଥର ଗର୍ଭପାତ ହୋଇଯାଇଥିବ ବା ଶରୀରରେ କୌଣସି ଔଷଧ, ବିକିରଣ, ସଂକ୍ରମଣ ବା ରାସାୟନିକ ପ୍ରତିକ୍ରିୟା ଥିବ ଯଦ୍ଦ୍ବାରା ଗର୍ଭସ୍ଥ ଶିଶୁଟିର ବଢ଼ିବା ପ୍ରଭାବିତ ହେବାର ଆଶଙ୍କା ଥିବ ବା ପରିବାର ଇତିହାସରେ ବାରମ୍ବାର ମାନସିକ ଓ ଶାରୀରିକ ବିକାଶ ଆଶାନୁରୂପ ନ ହେଉଥିବା ଘଟଣା ରହିଥିବ ତେବେ ସେ କ୍ଷେତ୍ରରେ ହିଁ ସେପରି ନିଦାନ ବାରଣ କରାଯାଇ ନାହିଁ। କୌଣସି ପରିସ୍ଥିତିରେ ମାଆ ପେଟରେ ଥିବା ଭ୍ରୂଣର ଲିଙ୍ଗ ନିର୍ଣ୍ଣୟ କରାଯିବ ନାହିଁ। ଏହି ଆଇନ ଅନୁଯାୟୀ ରେଜିଷ୍ଟ୍ରିଭୁକ୍ତ ହୋଇ ନଥିବା କୌଣସି ବ୍ୟକ୍ତି, ଲାବୋରେଟୋରୀ ଓ କ୍ଲିନିକ୍‌ଗୁଡ଼ିକୁ କୌଣସି ଅଲଟ୍ରାସାଉଣ୍ଡ ମେସିନ୍‌, ଫିଟୋସ୍କୋପି ବା ଲିଙ୍ଗ ନିରୂପଣ କରିପାରୁଥିବା ଅନ୍ୟାନ୍ୟ ଉପକରଣ ବିକ୍ରୟ, ବଣ୍ଟନ, ଯୋଗାଣ କରାଯିବ ନାହିଁ କି ଭଡ଼ାରେ ଦିଆଯିବ ନାହିଁ। କୌଣସି ବ୍ୟକ୍ତି ଏପରିକି ଯେଉଁମାନେ ଆଇନ ଅନୁଯାୟୀ ଉକ୍ତ ଯନ୍ତ୍ରପାତି ଓ ଉପକରଣ ବ୍ୟବହର କରିବାକୁ ଅନୁମତି ପାଇଥିବେ ସେମାନେ ମଧ୍ୟ ପରୋକ୍ଷ ବା ପ୍ରତ୍ୟକ୍ଷଭାବେ ଏପରି କୌଣସି କଥା କହିବେ ନାହିଁ ବା ଇସାରା ଦେବେନାହିଁ ବା ଭାବଭଙ୍ଗୀ, ହାବଭାବ ଦେଖାଇବେ ନାହିଁ ଯଦ୍ଦ୍ବାରା ଗର୍ଭଧାରୀ ମହିଳା ବା ତାଙ୍କର କୌଣସି ସମ୍ପର୍କୀୟ ଭ୍ରୂଣଟିର ଲିଙ୍ଗ ବିଷୟରେ କୌଣସି ସୂଚନା ପାଇବାର ସମ୍ଭାବନା ଥିବ। ବନ୍ଧ୍ୟାଦୋଷର ବିଶେଷଜ୍ଞ ଡାକ୍ତରଙ୍କ ସମେତ କୌଣସି ବ୍ୟକ୍ତି, ପୁରୁଷ ବା ମହିଳାଙ୍କ ଉପରେ ବା ସେମାନଙ୍କଠାରୁ ସଂଗୃହୀତ ଟିସ୍ୟୁ, ଭ୍ରୂଣ, ଫ୍ଲୁଇଡ୍‌ ବା ପ୍ରଜନନ କୋଷକୁ ଆଧାର କରି ଲିଙ୍ଗ ନିରୂପଣ ନିଜେ କରିବେ ନାହିଁ ବା ଅନ୍ୟ କାହାଦ୍ବାରା କରାଇବେ ନାହିଁ। ଗର୍ଭବତୀ ମହିଳାଙ୍କ ଅଲଟ୍ରାସୋନୋଗ୍ରାଫି କରୁଥିବା ବ୍ୟକ୍ତି ତାଙ୍କ କ୍ଲିନିକ୍‌ରେ ବିହିତ ହେବାମତେ ତାହାର ସମସ୍ତ ସବିଶେଷ ତଥ୍ୟ ସମ୍ବଳିତ ରେକର୍ଡ଼ ରଖିବେ ଓ ଉକ୍ତ ରେକର୍ଡ଼ରେ ଯଦି କୌଣସି ତ୍ରୁଟି ଦେଖାଯାଏ ତେବେ ତାହା ଏହି ଆଇନର ଉଲ୍ଲଙ୍ଘନ ବୋଲି ବିବେଚିତ ହୋଇ ଦଣ୍ଡବିଧାନ ହେବ। ଯେଉଁ ମେଡ଼ିକାଲ ଜେନେଟିସିଷ୍ଟ, ସ୍ତ୍ରୀରୋଗର ବିଶେଷଜ୍ଞ, ରେଜିଷ୍ଟ୍ରିକୃତ ଚିକିତ୍ସାଜୀବୀ ବା ଯେଉଁ ବ୍ୟକ୍ତି ଜେନେଟିକ୍‌ କ୍ଲିନିକ୍‌, କେନ୍ଦ୍ର ବା ଲାବୋରେଟୋରୀର ମାଲିକ ହୋଇଥିବେ ବା ସେଠାରେ ନିୟୋଜିତ ହୋଇଥିବେ ବା ସେଠାରେ ଅବୈତନିକ ଭାବେ ବା ଅନ୍ୟଥା ତାଙ୍କ ଜୀବିକାଜନିତ ବା ବୈଷୟିକ ଜ୍ଞାନ ବିଷୟକ ଏପରି ସେବା ପ୍ରଦାନ କରୁଥିବେ ଯଦ୍ଦ୍ବାରା ଏହି ଆଇନ ଓ ତଦଧୀନ ପ୍ରଣୀତ ନିୟମାବଳୀର ଉଲ୍ଲଙ୍ଘନ ହେଉଥିବ, ତେବେ ସେ କ୍ଷେତ୍ରରେ ପ୍ରଥମ ଅପରାଧ ପାଇଁ ତିନିବର୍ଷ ପର୍ଯ୍ୟନ୍ତ କାରାବାସ ବା ଦଶହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବେ ଓ ଯଦି ସେ ପରବର୍ତ୍ତୀ ସମୟରେ ପୁଣି ଥରେ ଉକ୍ତ ଅପରାଧରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ସେ କ୍ଷେତ୍ରରେ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ପଚାଶ ହଜାରଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବେ। ଏହାଛଡ଼ା ପ୍ରଥମ ଅପରାଧ ପାଇଁ ସମ୍ପୃକ୍ତ ଅପରାଧୀଙ୍କୁ ଦୁଇବର୍ଷ ପାଇଁ ଓ ପରବର୍ତ୍ତୀ ଅପରାଧ ପାଇଁ ସବୁଦିନ ପାଇଁ ତାଙ୍କ ନାମକୁ ରେଜିଷ୍ଟରରୁ କାଟିଦେବାପାଇଁ ରାଜ୍ୟ ଚିକିତ୍ସା ପରିଷଦକୁ କୁହାଯିବ। ଏହି ଆଇନ୍‌ ଅନୁଯାୟୀ ପ୍ରତ୍ୟେକ ଅପରାଧ ଧର୍ତ୍ତବ୍ୟ ହେବ ଏବଂ ଜାମିନ ଅଯୋଗ୍ୟ ହେବା ସଙ୍ଗେସଙ୍ଗେ ରଫା ଯୋଗ୍ୟ ହେବନାହିଁ। ଏହି ଆଇନ୍‌ ଅନୁଯାୟୀ ଅପରାଧରେ ସଂଶ୍ଳିଷ୍ଟ ମୁଦାଲାଙ୍କୁ ହିଁ ପ୍ରମାଣ କରିବାକୁ ପଡ଼ିବ ଯେ ସେ ନିର୍ଦୋଷ।
ଆହୁରି ମଧ୍ୟ ଯଦି କୌଣସି ବ୍ୟକ୍ତି ଗର୍ଭସ୍ଥ ଭ୍ରୂଣଟିର ଲିଙ୍ଗ ନିରୂପଣ କରିବାପାଇଁ କୌଣସି ଜେନେଟିକ୍‌ ପରାମର୍ଶ କେନ୍ଦ୍ର, ଜେନେଟିକ୍‌ ଲାବୋରେଟୋରୀ, ଜେନେଟିକ୍‌ କ୍ଲିନିକ୍ ବା ଇମେଜିଂ ବିଶେଷଜ୍ଞ ବା ରେଜିଷ୍ଟ୍ରିକୃତ ଚିକିତ୍ସାଜୀବୀ ବା ଅନ୍ୟ କୌଣସ ବ୍ୟକ୍ତିଙ୍କ ସହାୟତା ମାଗିବେ ତେବେ ସେ କ୍ଷେତ୍ରରେ ସେ ପ୍ରଥମ ଅପରାଧ ପାଇଁ ତିନିବର୍ଷ ପର୍ଯ୍ୟନ୍ତ କାରାବାସ ଓ ପଚାଶହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଓ ପରବର୍ତ୍ତୀ ଅପରାଧ ପାଇଁ ପାଞ୍ଚବର୍ଷ ପର୍ଯ୍ୟନ୍ତ କାରାବାସ ଓ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦଣ୍ଡରେ ଦଣ୍ଡନୀୟ ହେବେ।
ସେହିପରି ମହିଳାଙ୍କ ସ୍ବାମୀ ବା ଅନ୍ୟ କୌଣସି ସମ୍ପର୍କୀୟ ବା ଆତ୍ମୀୟସ୍ବଜନ ଯଦି କୌଣସି ମହିଳାଙ୍କୁ ଗର୍ଭସ୍ଥ ଭ୍ରୂଣର ଲିଙ୍ଗ ନିରୂପଣ ପରୀକ୍ଷା କରାଇବାକୁ ବାଧ୍ୟ କରିବେ ତେବେ ସେ ମଧ୍ୟ ଉକ୍ତ ଦଣ୍ଡାଦେଶ ଭୋଗିବାକୁ ଦାୟୀ ହେବେ। ଏହି ଆଇନ ଅନୁଯାୟୀ ଅଭିଯୋଜନର ବିଶେଷତ୍ବ ହେଉଛି ଯଦି ଅନ୍ୟଥା ପ୍ରମାଣିତ ନହୁଏ, ତେବେ ନ୍ୟାୟାଳୟ ମାମଲାଟିର ବିଚାରବେଳେ ଧରିନେବେ ଯେ ଗର୍ଭବତୀ ମହିଳାଙ୍କୁ ଲିଙ୍ଗ ନିର୍ଣ୍ଣୟ ପରୀକ୍ଷା କରିବାକୁ ତାଙ୍କ ସ୍ବାମୀ ଓ ସମ୍ପର୍କୀୟମାନେ ବାଧ୍ୟ କରିଛନ୍ତି ଓ ସେ କ୍ଷେତ୍ରରେ ସେହି ବ୍ୟକ୍ତିମାନେ ଏହି ଆଇନ୍‌ ଅନୁଯାୟୀ ଅପରାଧ ଘଟାଇବାରେ ଉସୁକାଇଛନ୍ତି ବୋଲି ବିବେଚିତ ହୋଇ ତଦନୁସାରେ ଦଣ୍ଡ ପାଇବେ।
ଏହି ଆଇନର ବ୍ୟବସ୍ଥାଗୁଡ଼ିକ ଠିକ୍‌ରୂପେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଦେଖିବାପାଇଁ ଏକ ରାଜ୍ୟ ପର୍ଯ୍ୟବେକ୍ଷଣ ବୋର୍ଡ଼, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯିବ। ଆହୁରି ମଧ୍ୟ ସମାଜର ଜଣେ ଖ୍ୟାତନାମା ମହିଳା ଓ ଜଣେ ଆଇନ ବିଶାରଦଙ୍କୁ ନେଇ ଏକ ସମୁଚିତ ପ୍ରାଧିକାରୀ ପ୍ରତିଷ୍ଠା କରାଯିବ ଯହିଁରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶାଳୟର ସହ ନିର୍ଦେଶକ ଅଧ୍ୟକ୍ଷ ହେବେ। ଉକ୍ତ ସମୁଚିତ ପ୍ରାଧିକାରୀ ଯେଉଁସବୁ କର୍ତ୍ତବ୍ୟ ନିର୍ବାହ କରିବେ ସେଗୁଡ଼ିକ ହେଲା ଲିଙ୍ଗ ନିରୂପଣ ନ କରିବାପାଇଁ ସାମାଜିକ ସଚେତନତା ସୃଷ୍ଟି କରିବା, ଏହି ଆଇନ୍‌ ଓ ତଦଧୀନ ପ୍ରଣୀତ ନିୟମାବଳୀର ବ୍ୟବସ୍ଥାଗୁଡ଼ିକ କଡ଼ାକଡ଼ି ଭାବେ ପାଳନ ହେଉଛି ନା ନାହିଁ ତାହା ଦେଖିବା, ରୋଗ ନିର୍ଣ୍ଣୟକାରୀ ଯନ୍ତ୍ରପାତି ଓ ଉପକରଣର ନୂଆନୂଆ ପ୍ରକାରର ପ୍ରୟୋଗ ଓ ସାମାଜିକ ସ୍ଥିତିରେ ପରିବର୍ତ୍ତନ ସହିତ ଖାପଖୁଆଇ ପ୍ରଚଳିତ ଆଇନ୍‌ରେ ଆବଶ୍ୟକ ସଂଶୋଧନ ଆଣିବାପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷଣ ବୋର୍ଡ଼କୁ ସୁପାରିସ କରିବା ଓ ଏହି ଆଇନ ବା ତଦଧୀନ ପ୍ରଣୀତ ନିୟମାବଳୀର ଉଲ୍ଲଙ୍ଘନ ସମ୍ପର୍କିତ କୌଣସି ସୂଚନା ଜାଣିଥିବା ଯେ କୌଣସି ବ୍ୟକ୍ତିଙ୍କୁ ସମନ୍‌ କରି ଡାକିବା ବା ତତ୍‌ସମ୍ପର୍କିତ କୌଣସି ଦସ୍ତାବିଜ୍‌ ପେଶ୍‌ କରିବା ବା ଲିଙ୍ଗ ନିରୂପଣ କରାଯାଉଛି ବୋଲି ସନ୍ଦେହ କରାଯାଉଥିବା ପରିସରକୁ ପ୍ରବେଶ କରିବାକୁ ଖାନତଲାସ ୱାରେଣ୍ଟ ଜାରି କରିବା କ୍ଷମତା, ସମୁଚିତ ପ୍ରାଧିକାରୀଙ୍କର ରହିବ ଓ ସମୁଚିତ ପ୍ରାଧିକାରୀ ଯଦି ସଦ୍‌ବିଶ୍ବାସରେ କୌଣସି କାର୍ଯ୍ୟ କରିଥିବେ ତେବେ ସେଥିପାଇଁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ।
ପ୍ରକୃତିର ନିୟମରେ ପୁରସ୍କାର ବା ଦଣ୍ଡବିଧାନ ନାହିଁ। ତେବେ ପ୍ରକୃତିର ନିୟମରେ ହସ୍ତକ୍ଷେପ କଲେ ତା’ର ପରିଣାମ ମାନବ ସମାଜକୁ ହିଁ ଭୋଗିବାକୁ ପଡ଼ିବ। ଭାଗବତକାର ତ କହିଛନ୍ତି- ‘ଆପଣା କଲା କର୍ମମାନ, ବେଳୁଁ ହୋଇବ ସାବଧାନ’। ନ​‌େ​‌ହଲେ ପରେ ପଶ୍ଚାତ୍ତାପ କରିବାକୁ ପଡ଼ିବ। ଆଇନ ତ ତା କାମ ଅବଶ୍ୟ କରିବ, ତେବେ ଲୋକେ ଏ ଦିଗରେ ସଚେତନ ହେବା ଅଧିକ ଗୁରୁତ୍ବପୂର୍ଣ୍ଣ।
ପରିଶେଷରେ ଏତିକି କୁହାଯାଇପାରେ ଯେ ମାନବ ଧର୍ମ ଦୃଷ୍ଟିରୁ ମଧ୍ୟ କନ୍ୟାଭ୍ରୂଣ ହତ୍ୟା ଏକ ମହାପାପ। ଏହି ଅପକର୍ମରେ ଲିପ୍ତ ବ୍ୟକ୍ତି ଓ ଉକ୍ତ କାର୍ଯ୍ୟରେ ତାଙ୍କୁ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ଆଇନ ଆଖିରେ ତ ନିଶ୍ଚିତ ଭାବରେ ଦୋଷୀ। ଅନ୍ୟ ପକ୍ଷରେ ଏପରି ବ୍ୟକ୍ତି ପରମ କ୍ଷମାଶୀଳ ଭଗବାନଙ୍କଠାରୁ ମଧ୍ୟ କ୍ଷମା ପାଇପାରନ୍ତି ନାହିଁ। ତେଣୁ ଏପରି ବ୍ୟକ୍ତି କେବଳ ଆଇନ ଦୃଷ୍ଟିରୁ ନୁହେଁ, ବରଂ ମଙ୍ଗଳମୟ ଈଶ୍ବରଙ୍କ ନିକଟରେ ମଧ୍ୟ ଦୋଷୀ ଓ ଅପରାଧୀ। ଏପରି ବ୍ୟକ୍ତିର କ୍ଷମା ନାହିଁ।

ଗୋଧନେଶ୍ବର ହୋତା

ଅବସରପ୍ରାପ୍ତ ଅତିରିକ୍ତ ଶାସନସଚିବ, ଆଇନବିଭାଗ

Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ