ଗୁଣିଗାରେଡ଼ି ସନ୍ଦେହ : ମହିଳାଙ୍କୁ କିରାସିନି ଢାଳି ଜୀଅନ୍ତା ପୋଡ଼ିଦେବାକୁ ଉଦ୍ୟମ

ଘରୁ ଘୋଷାଡ଼ି ଆଣି ଗାଁ ଦାଣ୍ଡରେ ବିବସ୍ତ୍ର କରି ପିଟିଲେ

Copy Editor AH | Published On: Nov 22, 2017 11:04 PM IST |   218

କଲ୍ୟାଣସିଂହପୁର : ବହୁ ସଚେତନତା ପରେ ମଧ୍ୟ ଗୁଣିଗାରେଡ଼ିର ମାୟାଜାଲରେ ଛନ୍ଦି ହୋଇଛନ୍ତି ଆଦିବାସୀ ଅଧ୍ୟୁଷିତ ଇଲାକାର ଅଧିବାସୀ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ଏକ ଗାଁର ଲୋକେ ଜଣେ ମହିଳାଙ୍କୁ ଗୁଣିଗାରେଡ଼ି ସନେ୍ଦହରେ କିରାସିନି ଢାଳି ଜୀଅନ୍ତା ପୋଡ଼ିଦେବାକୁ ଉଦ୍ୟମ କରିବା ସହ ଘରୁ ଘୋଷାଡ଼ି ଆଣି ଗାଁ ଦାଣ୍ଡରେ ବିବସ୍ତ୍ର କରି ଆକ୍ରମଣ କରିବା ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘଟଣା ଆଜିର ସଭ୍ୟ ସମାଜ ଆଗରେ ଯେତିକି ଘୃଣାଭାବ ସୃଷ୍ଟି କରିଛି ତା’ଠାରୁ ଅଧିକ ପ୍ରଶାସନିକ ଅବହେଳା ଓ ସଚେତନତାର ଅଭାବକୁ ଦାୟୀ କରାଯାଉଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଅଭାବରୁ ସେମାନେ ପ୍ରୋତ୍ସାହିତ ହେଉଥିବା ଅଭିଯୋଗ ହେଉଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ସୁନାଖଣ୍ଡି ଗାଁରେ । ଗତକାଲି ସୋମବାର ସୁନାଖଣ୍ଡି ଗାଁର ଦାମୋଦର ପଟେଲର ସ୍ତ୍ରୀ ତପସ୍ୱିନୀ ପଟେଲ ପାଣି ଆଣିବା ପାଇଁ ଗ୍ରାମରେ ଥିବା ନଳକୂପରୁ ପାଣି ଆଣିବାକୁ ଯିବା ସମୟରେ ଉକ୍ତ ଗାଁର ମହିଳାମାନେ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ସହ ଅଶ୍ଲୀଳ ଇଙ୍ଗିତ କରିବା ପରେ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା । ଏହାକୁ ନେଇ ଗାଁରେ ଏକ ବୈଠକ ଡକାଇଥିବାରୁ ଦାମୋଦର ବୈଠକକୁ ଯାଇଥିବାବେଳେ ସ୍ତ୍ରୀ ତପସ୍ୱିନୀ ଉକ୍ତ ବୈଠକକୁ ଯାଇ ନ ଥିଲେ । ଏହାକୁ ନେଇ ଗ୍ରାମର ମହିଳାମାନେ ରାଗିଯାଇ ମଙ୍ଗଳବାର ସକାଳ ୮ଟାରେ ସଂଘବଦ୍ଧ ହୋଇ ୩୦ଜଣ ମହିଳା ସହ ଜଣେ ଯୁବକ ମିଶି ତପସ୍ୱିନୀଙ୍କ ସ୍ୱାମୀ ଘରେ ନ ଥିବା ସମୟରେ ଘରକୁ ଯାଇ ଘର କବାଟ ଭାଙ୍ଗି ଠେଙ୍ଗା ସହ ମୁଣ୍ଡ, ପିଠି ଓ ୨ ହାତକୁ ମାଡ଼ ମାରିଥିଲେ । ତପସ୍ୱିନୀ ମାଡ଼ ଖାଇ ଚିକ୍ରାର କରୁଥିଲେ ମଧ୍ୟ ତାଙ୍କୁ ଘରୁ ଟାଣି ଆଣି ଗାଁ ଦାଣ୍ଡରେ ବିଭିନ୍ନ ଗାଳିଗୁଲଜ କରିବା ସହ ବିବସ୍ତ୍ର କରି ଦେଇଥିଲେ । ଲଜ୍ଜ୍ୟା ସହି ନ ପାରି ଦୌଡ଼ି ଦୌଡ଼ି ଘରକୁ ଆସି ଅନ୍ୟ ଏକ ଶାଢ଼ି ପିନ୍ଧୁଥିବା ବେଳେ ଉତ୍ତ୍ୟକ୍ତ ମହିଳାମାନେ ପାଖରେ ଥିବା କିରାସିନିକୁ ଆଣି ଦେହରେ ଅଜାଡ଼ି ଦେଇ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ସମୟରେ ଖବର ପାଇ ସ୍ୱାମୀ ଶାଢ଼ିରେ ଲାଗିଥିବା ନିଆଁକୁ ଲିଭାଇଥିଲେ । ଏହାପରେ ବି ଉକ୍ତ ମହିଳାମାନେ ରାଗିଯାଇ ଦାମୋଦର କରୁଥିବା ଦୋକାନର ସମସ୍ତ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରି ତପସ୍ୱିନୀ ପିନ୍ଧିଥିବା କାନର, ମଙ୍ଗଳସୂତ୍ର ଟାଣି ନେଇ ଦୋକାନରେ ଥିବା ୧୦ହଜାର ଟଙ୍କା ନେଇ ଯିବା ସହ ସ୍ୱାମୀ ଦାମଙ୍କ ଏକ ବାଇକ୍‌କୁ ଭଙ୍ଗାରୁଜା କରି ଦେଇଥିବା ତପସ୍ୱିନୀ ଅଭିଯୋଗ କରିଛନ୍ତି । ଖବର ପାଇ କଲ୍ୟାଣସିଂହପୁର ଥାନାର ଏସ୍‌ଆଇ ଦୀପ୍ତିରଞ୍ଜନ ସାହୁଙ୍କ ସହ ଏକ ପୁଲିସ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘଟଣାର ତଦନ୍ତ କରି ଉଭୟପକ୍ଷଙ୍କୁ ଥାନାକୁ ଡକାଇଥିଲେ । ଦାମୋଦର ସୁନାଖଣ୍ଡି ଗାଁରେ ୮ବର୍ଷ ହେଲା ରହି ଛୋଟିଆ ଦୋକାନ କରି ନିଜ ପରିବାରର ଭରଣପୋଷଣ କରିଆସୁଥିଲେ । ଏହି ରୋଜଗାରରେ ଗାଁରେ ଗୋଟିଏ ଜାଗା କିଣିଥିଲେ । ସେହି ଜାଗାରେ ଘର ତିଆରି କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଘର ନିର୍ମାଣ କରିବା ପାଇଁ ମିସ୍ତ୍ରୀ ଡକାଇଥିବାବେଳେ ଗାଁ ଲୋକ ରାସ୍ତାକୁ ବନ୍ଦ କରିଦେଇଥିଲେ । ପୂର୍ବରୁ କିଛିଦିନ ତଳେ ଗାଁର ଜଣେ ଯୁବକର କେଉଁ କାରଣରୁ ମୃତୁ୍ୟ ଘଟିଥିବାରୁ ଗାଁ ଲୋକ ତପସ୍ୱିନୀ ଓ ଦାମକୁ ଗୁଣିଗାରେଡ଼ି କରି ମାରିଦେଇଥିବା ସନେ୍ଦହ କରି ଉକ୍ତ ୨ଜଣକୁ ଗାଁରେ ପାଣି, ନିଆଁ ଦୂର କରି ବାସନ୍ଦ କରିଦେଇଥିବା ମଧ୍ୟ ଅଭିଯୋଗ କରିଥିଲେ । ପୂର୍ବରୁ ଏଭଳି ଶତ୍ରୁତାକୁ ଆଧାର କରି ଏହିପରି ଘଟଣା ଘଟାଇଛନ୍ତି ଉକ୍ତ ଗାଁ ଗ୍ରୁପ୍‌ ମହିଳାମାନେ ବୋଲି ସ୍ୱାମୀ ଓ ସ୍ତ୍ରୀ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ଗ୍ରୁପ୍‌ ମହିଳାଙ୍କୁ ପଚାରିବାରୁ ସବୁ ସମୟରେ ରାସ୍ତା ଘାଟରେ ଅଶ୍ଲୀଳ ଭାଷା ଓ ଦୁର୍ବ୍ୟବହାର କରୁଥିବା ଏବଂ ତପସ୍ୱିନୀର ସ୍ୱାମୀ ଦାମ ଗାଁର ଝିଅଙ୍କ ଉପରେ ଖରାପ ବ୍ୟବହାର କରୁଥିବାରୁ ଆମେ ଉତ୍ତ୍ୟକ୍ତ ହୋଇ ମାଡ଼ ମାରିଲୁ, କିନ୍ତୁ କିରାସିନି ଢ଼ାଳି ନିଆଁ ଲଗାଇବା ପାଇଁ ଉଦ୍ୟମ କରିନୁ, ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଥାନା ଭାରପ୍ରାପ୍ତ ଅଧିକାରୀ ଶିବଚରଣ ଦାସଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।