ଲିଗ୍‌ ପର୍ଯ୍ୟାୟରୁ ଭାରତକୁ ବିଦାକଲା ବାଂଲାଦେଶ

୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ

Copy Editor | Published On: Nov 14, 2017 11:55 PM IST |   1205

କୁଆଲାଲୁମ୍ପୁର : ଗତ ୩ଟିଯାକ ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଚମ୍ପିଆନ୍‌ ହୋଇଥିବା ଭାରତ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଛି । ଗ୍ରୁପ୍‌ ‘ଏ’ରେ ୩ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୨ଟି ମ୍ୟାଚ୍‌ରେ ପରାସ୍ତହେବା ପରେ ଭାରତ ଏପରି ଲଜ୍ଜାକର ପରିସ୍ଥିତିର ସମ୍ମୁଖୀନ ହୋଇଛି । ମଙ୍ଗଳବାର ଏଠାରେ ଖେଳା ଯାଇଥିବା ଗ୍ରୁପ୍‌ ‘ଏ’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତକୁ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ୮ ୱିକେଟରେ ବାଂଲାଦେଶ ପରାସ୍ତ କରିଛି । ଫଳରେ ଭାରତ ଗ୍ରୁପ୍‌ ‘ଏ’ରେ ୩ୟ ସ୍ଥାନରେ ରହି ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି । ଗତ ୩ଟି ସଂସ୍କରଣରେ ଚମ୍ପିଆନ୍‌ ହୋଇଥିବା ଭାରତ ଚଳିତ ୪ର୍ଥ ସଂସ୍କରଣରେ ପ୍ରଥମ ଲିଗ୍‌ ମ୍ୟାଚ୍‌ ଆୟୋଜକ ମାଲେସିଆ ବିରୋଧରେ ଜିତିଥିବା ବେଳେ ପରବର୍ତ୍ତୀ ୨ଟି ମ୍ୟାଚ୍‌ ଦୁଇ ଦୁର୍ବଳ ଦଳ ନେପାଳ ଓ ବାଂଲାଦେଶଠାରୁ ପରାସ୍ତ ହୋଇଛି । ରବିବାର ନେପାଳଠାରୁ ଭାରତ ଅପ୍ରତ୍ୟାଶିତ ଭାବେ ପରାସ୍ତ ହୋଇଥିଲେ ହେଁ ବାଂଲାଦେଶ ବିରୋଧରେ ଅନ୍ତିମ ଲିଗ୍‌୍‌ ମ୍ୟାଚ୍‌ ଜିତିଥିଲେ ଫାଇନାଲ ଖେଳିଥାଆନ୍ତା । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ ୩୨ ଓଭରର ହୋଇଥିବା ବେଳେ ଭାରତ ପ୍ରଥମେ ବ୍ୟାଟିଂକରି ୮ ୱିକେଟରେ ୧୮୭ ରନ୍‌ କରିଥିଲା । ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ବାଂଲାଦେଶକୁ ୩୨ ଓଭରରେ ୧୯୦ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା । ଓପ୍‌ନର ପିନାକ ଘୋଷଙ୍କ ଅପରାଜିତ ୮୧ ରନ୍‌ ବଳରେ ୨୮ ଓଭରରେ ମାତ୍ର ୨ ୱିକେଟ ହରାଇ ବାଂଲାଦେଶ ଜିତି ନେଇଥିଲା । ବାଂଲାଦେଶ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ଭାରତ ୩୭ ରନ୍‌ରେ ଉଭୟ ଓପ୍‌ନର ମନ୍‌ଜୋତ କାଲ୍‌ରା (୧) ଓ ଅଧିନାୟକ ହିମାଂଶୁ ରାଣା (୧୫)ଙ୍କ ୱିକେଟ ହରାଇଥିଲା । ପରେ ଅନୁଜ ରାୱତ ୩୪, ରିୟାନ୍‌ ପରାଗ ଦ୍ରୁତ ୧୯, ହାର୍ଭିକ ଦେଶାଇ ୨୧ ଓ ଅଭିଷେକ ଶର୍ମା ୯ ରନ୍‌ କରିଥିଲେ । ଶେଷଆଡ଼କୁ ସଲ୍‌ମାନ ଖାଁ ୩୮ ବଲ୍‌ରୁ ୨ଟି ଚୌକା ସହ ଅପରାଜିତ ୩୯ ରନ୍‌ କରିଥିଲେ । ଦର୍ଶନ ନାଲକାଣ୍ଡେ ୧୩ ଓ ଶିବା ସିଂହ ୧୭ ରନ୍‌ କରିଥିଲେ । ରବିଉଲ୍‌ ହକ୍‌ ୩ଟି ଏବଂ ନଇମ୍‌ ହାସନ୍‌ ଓ ଆଫିଫ୍‌ ହୁସେନ୍‌ ଧ୍ରୁବ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୩୨ ଓଭରରେ ୧୯୦ ରନ୍‌ ଲକ୍ଷ୍ୟରେ ବାଂଲାଦେଶର ଓପ୍‌ନିଂ ଯୋଡ଼ି ୧୩ ଓଭରରେ ୮୨ ରନ୍‌ କରିବା ପରେ ଏହାର ବିଜୟ ପଥ ସୁଗମ ହୋଇଥିଲା । ନଇମ୍‌ ଶେଖ୍‌ ୪୪ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୮ ଏବଂ ଅଧିନାୟକ ମହମ୍ମଦ ସୈଫ୍‌ ହାସନ୍‌ ୧୬ ବଲ୍‌ରୁ ୧୬ ରନ୍‌କରି ଆଉଟ ହୋଇଥିଲେ । ପିନାକ ଘୋଷ ଓ ମହମ୍ମଦ ତାୱହିଦ ହୃଦୟ ଅବିଭାଜିତ ୩ୟ ୱିକେଟ ପାଇଁ ୮୩ ରନ୍‌ ଯୋଡ଼ି ଦଳକୁ ଜିତାଇଥିଲେ । ହୃଦୟ ୩୨ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୪୮ ଏବଂ ପିନାକ ୭୭ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୮୧ ରନ୍‌କରି ଅପରାଜିତ ଥିଲେ । ଭାରତର ମନଦୀପ ସିଂହ ୨ଟିଯାକ ୱିକେଟ ନେଇଥିଲେ । ସେମିଫାଇନାଲରେ ଆଫ୍‌ଗାନିସ୍ତାନ-ନେପାଳ ଓ ବାଂଲାଦେଶ-ପାକିସ୍ତାନ ମୁକାବିଲା ହେବ ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର