ଦୁଇ ଦିନ ବର୍ଷିବ ଲଘୁଚାପ ; ସତର୍କ ରହିବାକୁ ପରାମର୍ଶ

୧୫ ଓ ୧୬ରେ ଓଡ଼ିଶା ସମେତ ଆନ୍ଧ୍ର ଓ ତାମିଲନାଡ଼ୁ ଉପକୂଳରେ ବର୍ଷା

Copy Editor | Published On: Nov 14, 2017 02:34 AM IST |   1046

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ୧୩ରୁ ବର୍ଷା ହେବ ବୋଲି ପୂର୍ବରୁ ପ୍ରଚାର ହେବା ପରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସବୁ ଜିଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏବେ ଲଘୁଚାପ ବର୍ଷା ଆସନ୍ତାକାଲିଠାରୁ କିଛି ଅଞ୍ଚଳରେ ଆରମ୍ଭ ହେବା ସହିତ ୧୫ ରୁ ୧୭ ପର୍ଯ୍ୟନ୍ତ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସୂଚନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ପୂର୍ବରୁ ଜିଲା ପ୍ରଶାସନକୁ ଜାରି ହୋଇଥିବା ସତର୍କ ସୂଚନା ବଳବତ୍ତର ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସଠୀ କହିଛନ୍ତି । ଏହାଛଡ଼ା ଓୟୁଏଟି ପକ୍ଷରୁ ଚାଷୀମାନଙ୍କ ପାଇଁ ଜାରି କରାଯାଇଥିବା ସୁରକ୍ଷା ନିୟମାବଳି ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୧୫ ଓ ୧୬ରେ ଓଡ଼ିଶା ସମେତ ଆନ୍ଧ୍ର ଓ ତାମିଲନାଡ଼ୁ ଉପକୂଳରେ ବର୍ଷା ହେବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯିବ । ୧୫ରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ହେବା ସହିତ ଉପକୂଳ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୬ରେ ବର୍ଷା ଅପରିବର୍ତ୍ତିତ ରହିବା ସହିତ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇପାରେ । ୧୭ରୁ ବର୍ଷା ପ୍ରଭାବ କମିଯିବ ଏବଂ ୧୮ରୁ ବର୍ଷା ଛାଡ଼ିଯିବ ବୋଲି ଆକଳନ କରାଯାଇଛି । ଲଘୁଚାପ ପ୍ରଭାବରେ କିଛି ସ୍ଥାନରେ ପାଗ ମେଘୁଆ ରହିବ ଏବଂ ଉପକୂଳ ଅଞ୍ଚଳରେ ଘଣ୍ଟାକୁ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରିଦିଆଯାଇଛି । ବର୍ଷାରେ ଧାନ ଫସଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ଚାଷୀମାନେ କଟା ହୋଇଥିବା ଧାନ ନିରାପଦ ସ୍ଥାନକୁ ନେଇଯିବା ପାଇଁ ପରାମର୍ଶ ଦିଆଯାଇଛି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର