ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ

ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ,ଋଣ ସୁଧ ପ୍ରୋତ୍ସାହନ ସମାନ ରହୁ

Copy Editor | Published On: Nov 14, 2017 01:46 AM IST |   434

ଭୁବନେଶ୍ୱର : ମରୁଡ଼ି ଓ ରୋଗପୋକ ଆକ୍ରମଣରେ ଚାଷୀ କ୍ଷତିଗ୍ରସ୍ତ ହୋଇଥିବାବେଳେ ରାଜ୍ୟର କେତେକ ଅଞ୍ଚଳରେ ଫସଲ ନଷ୍ଟ ହୋଇଛି । ତେଣୁ ଏ ସମୟରେ ଚାଷୀଙ୍କୁ ପ୍ରଦାନ କରାଯାଇଥିବା ଫସଲ ଋଣ ଉପରେ ସୁଧ ରିଆତି ଓ ସୁଧ ପ୍ରୋତ୍ସାହନ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଚାଷୀମାନଙ୍କୁ ପ୍ରଦାନ କରାଯାଇଥିବା ସ୍ୱଳ୍ପକାଳୀନ ଫସଲ ଋଣ ମଧ୍ୟମକାଳୀନ ଋଣକୁ ପରିବର୍ତ୍ତନ କରାଯିବା କ୍ଷେତ୍ରରେ ସୁଧ ରିଆତି ସମାନ ରଖିବା ଏବଂ ଫସଲ ଋଣ କ୍ଷେତ୍ରରେ ଦିଆଯାଉଥିବା ୩ ପ୍ରତିଶତ ସୁଧ ପ୍ରୋତ୍ସାହନ ମଧ୍ୟମକାଳୀନ ଋଣ କ୍ଷେତ୍ରରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ର ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଚିଠିରେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ଯେ ମରୁଡ଼ି ଓ ରୋଗପୋକ କାରଣରୁ ଚଳିତ ଖରିଫ ଋତୁରେ ରାଜ୍ୟର କିଛି ଅଞ୍ଚଳରେ ଧାନ ଫସଲ ପ୍ରଭାବିତ ହୋଇଛି । ଶସ୍ୟ ଉଜୁଡ଼ିଯିବା ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପାଇଁ ମୋ ସରକାର କିଛି ପ୍ରୋଆକ୍ଟିଭ୍‌ ତକ୍ରାଳ ପଦକ୍ଷେପ ଗ୍ରହଣ କରିଛି । ଚାଷୀମାନଙ୍କ ପାଇଁ ପ୍ୟାକେଜ ଘୋଷଣାର ଅଂଶ ଭାବେ ପ୍ରଭାବିତ ଅଞ୍ଚଳରେ ୨୦୧୭ ଖରିଫ ଋତୁରେ ପ୍ରଦାନ କରାଯାଇଥିବା ଫସଲ ଶସ୍ୟଋଣକୁ ମଧ୍ୟମକାଳୀନ ଋଣକୁ ପରିବର୍ତ୍ତନ କରାଯାଇଛି । ୩୩ରୁ ୫୫ ପ୍ରତିଶତ ଶସ୍ୟହାନି ହୋଇଥିଲେ ଶସ୍ୟ ଋଣ ମଧ୍ୟମ ଅବଧି ଋଣକୁ ପରିବର୍ତ୍ତନ କରାଯିବା ସହିତ ପ୍ରଥମ ବର୍ଷ ଋଣ ପରିଶୋଧ ନକରି ଏକାଥରେ ଦ୍ୱିତୀୟ ବର୍ଷ ପରିଶୋଧ ପାଇଁ ବ୍ୟବସ୍ଥା କରାଯାଇଛି । ଶସ୍ୟହାନି ୫୦ପ୍ରତିଶତ ବା ତାଠାରୁ ଅଧିକ ହୋଇଥିଲେ ଋଣ ପରିଶୋଧ ପ୍ରଥମ ବର୍ଷ ଛାଡ଼ କରାଯିବା ସହିତ ପାଞ୍ଚବର୍ଷ ଭିତରେ ୪ଟି କିସ୍ତିରେ ପରିଶୋଧର ସୁବିଧା କରାଯାଇଛି । ଶସ୍ୟ ଋଣ ଠିକ ସମୟରେ ପରିଶୋଧ କ୍ଷେତ୍ରରେ କେନ୍ଦ୍ର ସରକାର ସୁଧ ପ୍ରୋତ୍ସାହନ ୩ ପ୍ରତିଶତ ରଖିଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଶସ୍ୟ ଋଣ ଅବଧି ପରିବର୍ତ୍ତନ କ୍ଷେତ୍ରରେ ଏଭଳି ପ୍ରୋତ୍ସାହନର କୌଣସି ବ୍ୟବସ୍ଥା ନାହିଁ । ଫଳରେ ଋଣ ଅବଧି ପରିବର୍ତ୍ତନ କରାଗଲେ ବି ସୁଧ ହାର ଅଧିକ ରହୁଛି । ଚାଷୀଙ୍କୁ ୧୧.୨୦% ହାରରେ ସୁଧ ଗଣିବାକୁ ପଡ଼ୁଛି । ସେହିପରି ଫସଲ ଋଣ ଉପରେ ସୁଧ ରିଆତିର ବ୍ୟବସ୍ଥା ନଥିବାରୁ ସୁଧଛାଡ଼ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି । ତେଣୁ ସ୍ୱଳ୍ପକାଳୀନ ଫସଲ ଋଣମଧ୍ୟମ ଅବଧି ଋଣରେ ପରିବର୍ତ୍ତନ କ୍ଷେତ୍ରରେ ସୁଧହାର ସମାନ ରଖାଯିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ସେହିପରି ମରୁଡ଼ି ଓ ରୋଗପୋକ ଆକ୍ରମଣ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କ ନିମନ୍ତେ ସହାୟତା ପ୍ରଦାନ ପାଇଁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ଯେଉଁ ସୁଧ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ମଧ୍ୟମ ଅବଧି ଋଣକୁ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ସମାନ ପ୍ରୋତ୍ସାହନ ପ୍ରଦାନ କରାଯିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର