ଇଡେନ୍‌ରେ ଭାରତୀୟ ଦଳର ଜୋରଦାର ଅଭ୍ୟାସ

ଗୁରୁବାର ଭାରତ - ଶ୍ରୀଲଙ୍କା ପ୍ରଥମ ଟେଷ୍ଟ

Copy Editor | Published On: Nov 13, 2017 11:35 PM IST |   291

କଲକାତା : ଇଡେନ୍‌ ଗାର୍ଡେନ୍‌ସରେ ସୋମବାର ଭାରତୀୟ ଖେଳାଳି ଜୋରଦାର ଅଭ୍ୟାସ କରିଛନ୍ତି । ଅଢ଼େଇଘଣ୍ଟା ଧରି ଚାଲିଥିବା ଅଭ୍ୟାସରେ ସର୍ଟପିଚ୍‌୍‌ ବଲ୍‌ର ମୁକାବିଲା କରିବା ଏବଂ ସ୍ପିନରଙ୍କ ବିରୋଧରେ ରିଭର୍ସ ସ୍ୱିପ୍‌ ଖେଳିବା ଉପରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଅଧିକ ଧ୍ୟାନ ଦେଇଥିଲେ । ଗତ ୩ ମାସ ହେଲା ଆନ୍ତର୍ଜାତିକ କ୍ରିକେଟ୍‌ ଖେଳି ନ ଥିବା ପ୍ରମୁଖ ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦୀର୍ଘ ସମୟ ଧରି ନେଟ୍‌ସରେ ବୋଲିଂ କରିଥିଲେ । କେବଳ ଅଫ୍‌ସ୍ପିନ୍‌ ନୁହେଁ; ବୋଲିଂରେ ବିବିଧତା ଆଣିବା ଲାଗି ଅଶ୍ୱିନ ପ୍ରୟାସ କରିଥିଲେ । ଚଳିତମାସ ୧୬ ତାରିଖ ଗୁରୁବାର ଇଡେନ୍‌ରେ ଶ୍ରୀଲଙ୍କା ଦଳ ବିରୋଧରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ । ରବିବାର ଦଳର ଅଧିକାଂଶ ଖେଳାଳି କଲକାତାରେ ପହଞ୍ଚି ଯାଇଥିବା ବେଳେ ସୋମବାର ଅଧିନାୟକ ବିରାଟ କୋହଲି ପହଞ୍ଚିଛନ୍ତି । କିଛି ସମୟ ବିଶ୍ରାମ ନେଇ କୋହଲି ଇଡେନ୍‌ରେ ଅଭ୍ୟାସ ପାଇଁ ଓହ୍ଲାଇଥିଲେ । ପ୍ରଥମେ କିଛି ସମୟ ଭାରତୀୟ ଖେଳାଳି ଶାରୀରିକ ଅଭ୍ୟାସ କରିଥିଲେ । ସୋମବାର ଅଭ୍ୟାସ ପାଇଁ ହଳଦିଆ ରଙ୍ଗର ବଲ୍‌ ବ୍ୟବହୃତ ହୋଇଥିଲା । ଦଳର ସପୋର୍ଟ ଷ୍ଟାଫ୍ କୋହଲିଙ୍କୁ ମୁଖ୍ୟତଃ ସର୍ଟ ପିଚ୍‌ ବଲ୍‌ ପକାଇଥିଲେ । ପରେ କୋହଲି ସ୍ପିନରଙ୍କୁ ଖେଳିଥିବା ବେଳେ ଅଧିକାଂଶ ଥର ତାଙ୍କୁ ରିଭର୍ସ ସ୍ୱିପ୍‌ ଖେଳିବା ଦେଖା ଯାଇଥିଲା । ତାଙ୍କ ପରେ ଅଜିଙ୍କ୍ୟ ରାହାଣେ, ଶିଖର ଧାୱନ, କେ.ଏଲ୍‌. ରାହୁଲ ଓ ମୁରଲୀ ବିଜୟ ପ୍ରମୁଖ ନେଟ୍‌ସରେ ବ୍ୟାଟିଂ କରିଥିଲେ । ଧାୱନ ଓ ରାହୁଲ ମୁଖ୍ୟତଃ ସିଧା ସଟ୍‌ ଖେଳିଥିବା ବେଳେ ବେଳେବେଳେ ରିଭର୍ସ ସ୍ୱିପ୍‌ ମାରିଥିଲେ । ଶ୍ରୀଲଙ୍କାର ଦୁଇ ପ୍ରମୁଖ ସ୍ପିନର ରଙ୍ଗନା ହେରାଥ୍‌ ଓ ଲକ୍ଷଣ ସନ୍ଦକନ୍‌ଙ୍କ ମୁକାବିଲା ପାଇଁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଅଣପାରମ୍ପରିକ ସଟ୍ ଖେଳିବା ଅଭ୍ୟାସ କରିଥିଲେ । ଶ୍ରୀଲଙ୍କା ସ୍ପିନରଙ୍କ ଲାଇନ୍‌ ଲେଙ୍ଗ୍‌ଥ ବିଗାଡ଼ିବା ଲାଗି ଏପରି ସଟ୍‌ ଖେଳିବା ଆବଶ୍ୟକ ଥିବାରୁ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଟେଷ୍ଟମ୍ୟାଚ୍‌ ଲାଗି ମଧ୍ୟ ରିଭର୍ସ ସ୍ୱିପ୍‌ ପରି ସଟ୍ ଅଭ୍ୟାସ କରିିଥିଲେ । ରାହାଣେ ସର୍ବାଧିକ ସମୟ ନେଟ୍‌ସରେ ବ୍ୟାଟିଂ କରିଥିଲେ । ପରେ ଜଣକ ପରେ ଜଣେ ଭାରତୀୟ ଖେଳାଳି ଇଡେନ୍‌ର ପିଚ୍‌କୁ ନିରୀକ୍ଷଣ କରିଥିଲେ । ରଣଜୀ ଟ୍ରଫି ଖେଳିଥିବା ସୌରାଷ୍ଟ୍ରର ଦୁଇ ଖେଳାଳି ଚେତେଶ୍ୱର ପୂଜାରା ଓ ରବୀନ୍ଦ୍ର ଜାଡ଼େଜା ପହଞ୍ଚିଥିଲେ ହେଁ ଅଭ୍ୟାସ ନକରି ବିଶ୍ରାମ ନେଇଥିଲେ । ଅନ୍ୟପକ୍ଷରେ ଶ୍ରୀଲଙ୍କା ଦଳ ବୋର୍ଡ ସଭାପତି ଏକାଦଶ ବିରୋଧରେ ଅଭ୍ୟାସ ମ୍ୟାଚ୍‌ ଖେଳିବା ପରେ ସୋମବାର ବିଶ୍ରାମ ନେଇଥିଲେ । ତେବେ ଶ୍ରୀଲଙ୍କାର ପ୍ରଶିକ୍ଷକ ନିକ୍‌ ପୋଥାସ୍‌, ଅଧିନାୟକ ଦିନେଶ ଚାନ୍ଦିମାଲ, ବ୍ୟାଟିଂ ପ୍ରଶିକ୍ଷକ ଥିଲନ୍‌ ସମରବୀରା, ବୋଲିଂ ପ୍ରଶିକ୍ଷକ ରମେଶ ରତନାୟକେ ଓ ମ୍ୟାନେଜର ଅସାଙ୍କ ଗୁରୁସିଂହେ ଅପରାହ୍‌ଣରେ ଇଡେନ୍‌ ଗାର୍ଡେନ୍‌ସ ଆସି ପିଚ୍‌ ଦେଖିଥିଲେ । ସୋମବାର ସୁଦ୍ଧା ପିଚ୍‌ରେ ଘାସର ଆବରଣ ରହିଛି । ତେବେ ମ୍ୟାଚ୍‌ ଆରମ୍ଭ ବେଳକୁ ଘାସ ରହିବ କି ନାହିଁ; ତାହା କହିବା ଅସମ୍ଭବ । ପୁଣି ପୂର୍ବାଞ୍ଚଳର କ୍ୟୁରେଟର ଆଶିଷ ଭୌମିକ ଓ କ୍ରିକେଟ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ (ସିଏବି)ର କ୍ୟୁରେଟର ସୁଜନ ମୁଖାର୍ଜୀଙ୍କ ସହ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦୀର୍ଘ ସମୟ ଆଲୋଚନା କରିବା ଦେଖା ଯାଇଥିଲା । ଦୀର୍ଘ ୯ ବର୍ଷ ପରେ ଶ୍ରୀଲଙ୍କା ଦଳ ଟେଷ୍ଟ ସିରିଜ୍‌ ଖେଳିବା ଲାଗି ଭାରତ ଆସିଛି । ଚଳିତବର୍ଷ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ଘରୋଇ ଦଳ ଗସ୍ତର ୯ଟିଯାକ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା । ତେବେ ୟୁଏଇରେ ଖେଳା ଯାଇଥିବା ଟେଷ୍ଟ ସିରିଜ୍‌ରେ ପାକିସ୍ତାନକୁ ୨-୦ରେ ଶ୍ରୀଲଙ୍କା ପରାସ୍ତ କରିଥିଲା । ହେଲେ ସୀମିତ ଓଭର ସିରିଜ୍‌ରେ ୬ଟିଯାକ ମ୍ୟାଚ୍‌ରେ ଶ୍ରୀଲଙ୍କା ପରାସ୍ତ ହୋଇଥିଲା । ଶ୍ରୀଲଙ୍କା ଭଲଭାବେ ଜାଣିଛି ଯେ ଘରୋଇ ସିରିଜ୍‌ ଭାରତୀୟ ଦଳ ପାଇଁ ଅଭେଦ୍ୟ ଦୁର୍ଗ । ଏହାକୁ ପରାସ୍ତ କରିବା ଲାଗି ଶ୍ରୀଲଙ୍କାକୁ କିଛି ଚମତ୍କାର କରିବାକୁ ପଡ଼ିବ ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର