ଇରାନ-ଇରାକ ସୀମାରେ ଶକ୍ତିଶାଳୀ ଭୂକମ୍ପ : ୪୦୦ ମୃତ, ସହସ୍ରାଧିକ ଆହତ

ଇରାନ-ଇରାକ ସୀମାରେ ଶକ୍ତିଶାଳୀ ଭୂକମ୍ପ : ୪୦୦ ମୃତ, ସହସ୍ରାଧିକ ଆହତ

Copy Editor | Published On: Nov 13, 2017 06:40 PM IST | Updated On: Nov 14, 2017 02:04 AM IST |   450

ବାଗଦାଦ/ତେହେରାନ : ଭୂକମ୍ପ ପ୍ରବଣ ଇରାକ-ଇରାନ ସୀମାରେ ରବିବାର ରାତିରେ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ରାତି ୯.୧୮ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେତେବେଳେ ଅଧିକାଂଶ ଲୋକ ନିଜନିଜ ଘରେ ବିଶ୍ରାମ ନେଉଥିଲେ । କ୍ରମାଗତ ପ୍ରାୟ ୧୦୦ ଝଟ୍‌କା ଲାଗିବା ଫଳରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ଓ ୬୭୦୦ରୁ ଅଧିକ ଆହତ ହୋଇଛନ୍ତି । କେବଳ ଇରାନରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୪୦୦୦ରୁ ଅଧିକ ଆହତ ହୋଇଛନ୍ତି । ଅଧିକାଂଶ ମୃତକ ସାରପୋଲ-ଇ-ଜାହାବ ସହରର ବାସିନ୍ଦା । ଭୂକମ୍ପ ଯୋଗୁଁ ୭୦,୦୦୦ ଲୋକ ବାସହରା ହୋଇପଡ଼ିଥିବା କୁହାଯାଇଛି । ଘରଦ୍ୱାର ଥରୁଥିବା ଦେଖି ଭୟଭୀତ ଲୋକେ ଘରୁ ବାହାରି ଦୌଡ଼ୁଥିବାର ଭିଡିଓ ଫୁଟେଜରୁ ଦେଖିବାକୁ ମିଳିଛି । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ ଥିଲା । ଏହାର କେନ୍ଦ୍ର ଇରାନ ସୀମା ନିକଟସ୍ଥ ହଲବ୍‌ଜା ଅଞ୍ଚଳରେ ଭୂପୃଷ୍ଠରୁ ୩୩.୯ କିମି ଗଭୀରରେ ଥିଲା । ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟ୍‌କା ତୁର୍କୀ, ଇସ୍ରାଏଲ ଓ କୁଏତ୍‌ରେ ବି ଅନୁଭୂତ ହୋଇଥିଲା । ଭୂମିକମ୍ପ ପରେପରେ ଭୂସ୍ଖଳନ ଘଟିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ଘଟିଛି । କୁର୍ଦ୍ଦିସ୍‌ ପାର୍ବତ୍ୟାଞ୍ଚଳରେ ଅଧିକାଂଶ ଘର କାଦୁଅ ଓ ଇଟାରେ ତିଆରି ହୋଇଥିବାରୁ ଏପରି ଭୂମିକମ୍ପରେ ଏହା ସହଜରେ ଭାଙ୍ଗି ଯାଏ । ଭୂମିକମ୍ପ ଯୋଗୁଁ ୨୦ରୁ ଅଧିକ ଗାଁ ପ୍ରାୟତଃ ଧ୍ୱଂସ ପାଇଯାଇଛି । ଧ୍ୱଂସାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଭୂମିକମ୍ପରେ ଇରାନର କର୍ମନ୍‌ଶାହ ଓ ବେହନମ୍‌ ସୈଦି ପ୍ରଦେଶ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଇରାନ୍‌ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗର ଉପ ମୁଖ୍ୟ ସୂଚନା ଦେଇଛନ୍ତି । ଏପଟେ ଇରାକ-ଇରାନ ସୀମାଠାରୁ ୧୫କିମି ଦୂରରେ ଅବସ୍ଥିତ ସାରପୋଲ-ଇ-ଜାହାବ ସହରର ଦୁଇଟି ଯାକ ମୁଖ୍ୟ ହସ୍ପିଟାଲ ଭୂମିକମ୍ପରେ ଭାଙ୍ଗି ଯାଇଥିବାରୁ ଶହ ଶହ ଆହତଙ୍କୁ ଏଠାରେ ଚିକିତ୍ସା କରାଯିବା ସମ୍ଭବ ହୋଇନାହିଁ । ଇରାନର ଜରୁରୀକାଳୀନ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ହେଲିକପ୍ଟର ସାହାଯ୍ୟରେ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଉଛି । ଟ୍ୱିଟରରେ ପୋଷ୍ଟ କରାଯାଇଥିବା ଏକ ଭିଡିଓ ଫୁଟେଜରୁ ଭୟଭୀତ ଲୋକମାନେ ଏକ ଅଟ୍ଟାଳିକାରୁ ଭୟରେ ଦୌଡ଼ି ପଳାଇ ଯାଉଥିବା ଦେଖିବାକୁ ମିଳିଛି । ଏହା ଉତ୍ତର ଇରାକର ସୁଲେମାନିଆ ଅଞ୍ଚଳ ବୋଲି ଜଣାପଡ଼ିଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୦ରୁ ଅଧିକ ଆହତ ହୋଇଛନ୍ତି । ଏହାର ନିକଟବର୍ତ୍ତୀ ଦରବନ୍ଦିଖାନ୍‌ ସହରରେ ବି ଭୂମିକମ୍ପର ପ୍ରଭାବ ଦେଖିବାକୁ ମିଳିଛି । ଏଠାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ସହରର ମେୟର ନାସେ ମୌଲା ହସନ କହିଛନ୍ତି । ଇରାନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ଆଇଆରଆଇବି ସୋମବାର ସକାଳେ ନିଜ ୱେବସାଇଟରେ ପ୍ରଥମେ ୧୨୯ ଜଣଙ୍କ ମୃତ୍ୟୁ ଘଟିଥିବା ଦର୍ଶାଇଥିଲା । ପରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । କର୍ମନଶାହ ପ୍ରଦେଶର ଡେପୁଟି ଗଭର୍ଣ୍ଣର ମୋଜତବା ନିକ୍କେରଦର ତିନିଟି ଭୂକମ୍ପ ଆଶ୍ରୟ ସ୍ଥଳ ସ୍ଥାପନ କରାଯିବ ବୋଲି ସୂଚନା ଦେଇଛନ୍ତି । ଅପରପକ୍ଷରେ ଇରାନ୍‌ର ତୈଳ କ୍ଷେତ୍ର କ୍ଷତିଗ୍ରସ୍ତ ହେବା ନେଇ କୌଣସି ସୂଚନା ମିଳି ନାହିଁ । ଏହି ଅଞ୍ଚଳ ଆରବୀୟ ଓ ୟୁରେସିଆର ଭୂକମ୍ପ ପ୍ରବଣ ଅଞ୍ଚଳରେ ଅବସ୍ଥିତ । ୧୯୯୦ ମସିହାରେ ଉତ୍ତର ଇରାନର କାସ୍ପିଆନ୍‌ ହ୍ରଦ ନିକଟରେ ଭୂକମ୍ପ ଆସି ୪୦,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିରେ ତିନି ଲକ୍ଷରୁ ଅଧିକ ଲୋକ ଆହତ ହୋଇଥିଲେ । ସେହିପରି ୫ ଲକ୍ଷ ଲୋକ ବାସହରା ହୋଇପଡ଼ିଥିଲେ । ମାତ୍ର କେଇ ସେକେଣ୍ଡରେ ପାଖାପାଖି ୨୦୦୦ ଗାଁ ନିଶ୍ଚିହ୍ନ ହୋଇଯାଇଥିଲା । ଏହାର ୧୩ ବର୍ଷ ପରେ ଦକ୍ଷିଣ-ପୂର୍ବ ଇରାନର ପ୍ରାଚୀନ ସହର ବାମ୍‌ରେ ଭୂକମ୍ପ ଆସି ୩୧,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ସେହିପରି ୨୦୦୫ରେ ଭୂମିକମ୍ପ ଆସି ୬୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ୨୦୧୨ରେ ଆସିଥିବା ଭୂମିକମ୍ପରେ ୩୦୦ ଲୋକ ପ୍ରାଣ ହରାଇଥିଲେ । ଚଳିତ ବର୍ଷ ମେ ମାସରେ ବି ମଧ୍ୟମ ଧରଣର ଭୂମିକମ୍ପ ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର