ପୋକଜନିତ ଫସଲନଷ୍ଟ : ସହାୟତା ପରିମାଣ ୧୩୭.୫୨କୋଟି

୮୦୯୨ଟି ଗ୍ରାମ, ୧୪୮ ୱାର୍ଡର ୧୨୮୩୧୮.୯୪୫ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ

Copy Editor AH | Published On: Nov 10, 2017 10:38 PM IST |   216

ଭୁବନେଶ୍ୱର : ପୋକ ଲାଗି ରାଜ୍ୟର ୨୪ଟି ଜିଲାରେ ଫସଲ ନଷ୍ଟ ହୋଇଛି । ଜିଲାପାଳମାନଙ୍କ ନିକଟରୁ ଆସିଥିବା ତଥ୍ୟ ଆଧାରରେ ସ୍ୱତନ୍ତ୍ର ରିଲିଫ କମିଶନର ଫସଲ କ୍ଷତିର ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ କରିଛନ୍ତି । ବାଲେଶ୍ୱର, କଟକ, ଜଗତସିଂହପୁର, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମାଲକାନଗିରି ଆଦି ୬ଟି ଜିଲାରେ ପୋକ ଲାଗି ଫସଲହାନି ଘଟିନଥିବା ସଂପୃକ୍ତ ଜିଲାର ଜିଲାପାଳମାନେ ରିପୋର୍ଟ ପ୍ରଦାନ କରିଛନ୍ତି । ପୋକ ଯୋଗୁଁ ୨୪ ଜିଲାର ୧୫୦ଟି ବ୍ଲକ ଅନ୍ତର୍ଗତ ୮୦୯୨ଟି ଗ୍ରାମ ଓ ୩୫ଟି ପୌରାଞ୍ଚଳର ୧୪୮ଟି ୱାର୍ଡରେ ଫସଲ ପ୍ରଭାବିତ ହୋଇଛି । ଏହି କାରଣରୁ ମୋଟ ୧୨୮୩୧୮.୯୪୫ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ସହାୟତା ବାବଦରେ ୧୩୭କୋଟି ୫୨ଲକ୍ଷ ଟଙ୍କା ଆବଶ୍ୟକ ହେଉଥିବା ବେଳେ ସଂପୃକ୍ତ ଜିଲାପାଳମାନଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ଏହି ଅର୍ଥ ପ୍ରଦାନ କରାଯାଇଛି । ଉଭୟ ଜାତୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିର ନିୟମାବଳୀ ଆଧାରରେ ପୋକ ଦ୍ୱାରା ଫସଲ ନଷ୍ଟ ପ୍ରାକୃତିକ ବିପର୍ଯ୍ୟୟ ପରିସରଭୁକ୍ତ ରହିଛି । ପୋକ ଲାଗି ୩୩% ଓ ତାଠାରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ଚାଷୀକୁ କୃଷି ସଂକ୍ରାନ୍ତ ସହାୟତା ପ୍ରଦାନ କରାଯିବ । ସେହି ଆଧାରରେ ପୋକ ଲାଗି ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ସହାୟତା ପାଇବେ । କୃଷି କ୍ୟାବିନେଟରେ ନିଷ୍ପତ୍ତି ଅନୁଯାୟୀ ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୧୩,୫୦୦ଟଙ୍କା ଏବଂ ଅଣ ଜଳସେଚିତ ଅଞ୍ଚଳରେ ୬ହଜାର ୮୦୦ଟଙ୍କା ଲେଖାଏଁ ସହାୟତା ମିଳିବ । କ୍ଷତିଗ୍ରସ୍ତ ଚାଷୀଙ୍କୁ କୀଟନାଶକ ଉପରେ ୭୫ ପ୍ରତିଶତ ସବସିଡ୍‌ ପ୍ରଦାନ କରାଯିବ । ଜମିରେ ନିଆଁ ଲଗାଇଥିବା ଚାଷୀଙ୍କୁ ମଧ୍ୟ ଏହି ସହାୟତା ମିଳିବ ବୋଲି ସରକାର କହିିଛନ୍ତି । ଖଜଣା ପ୍ରଦାନରେ ରିଆତି ଓ ଏହାର ଅବଧି ଆସନ୍ତାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସରକାର ଏହି ଅଞ୍ଚଳର ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଟିଉସନ ଫି ଛାଡ କରିଛନ୍ତି । ରବି ଫସଲ ପାଇଁ ଧାନ ଓ ଡ଼ାଲି ଜାତୀୟ ବିହନର ଏକ ଲକ୍ଷ ମିନି କିଟ୍‌ ସହ ୫୦ ହଜାର ପନିପରିବା ବିହନର ମିନି କିଟ୍‌ ଯୋଗାଇ ଦିଆଯିବ । ଏହାବ୍ୟତୀତ ଖରିଫ ଋଣ ନେଇଥିବା ଚାଷୀଙ୍କୁ ରବି ଋଣ ପ୍ରଦାନ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ ଘୋଷଣା କରାଯାଇଛି ।
Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।