ଗୋପବନ୍ଧୁଙ୍କ ଆଦର୍ଶ ଗଢ଼ିବ ନୂଆ ଭାରତ: ପ୍ରଭୁ ଚାୱଲା

ଗୋପବନ୍ଧୁ ଜ୍ୟୋତି ଯାତ୍ରା-୨୦୧୭ର ଉଦ୍‌ଯାପନ ସମାରେହ

Copy Editor | Published On: Nov 10, 2017 07:02 PM IST | Updated On: Nov 11, 2017 11:46 PM IST |   206

ଭୁବନେଶ୍ୱର : ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଓଡ଼ିଶାର ମହାତ୍ମା ଗାନ୍ଧି । ତାଙ୍କ ଭଳି ପୁଣ୍ୟାତ୍ମା ଦେଶରେ ଅଦ୍ୱିତୀୟ । ଗୋପବନ୍ଧୁଙ୍କୁ ଦେଶ ଆଜି ଯେଭଳି ସମ୍ମାନ ଦେବା କଥା ତାହା ଦେଇପାରିନାହିଁ; ତଥାପି ତାଙ୍କ ମାନସସନ୍ତାନ ‘ସମାଜ’ ଆଜି ତାଙ୍କ ନୀତି, ଆଦର୍ଶ ଓ ବଳିଦାନର ପରାକାଷ୍ଠାକୁ ପ୍ରତ୍ୟେକ ଓଡ଼ିଆଙ୍କ ମାନସପଟରେ ଜାଗ୍ରତ କରି ରଖିବାରେ ସଫଳ ହୋଇଛି । ଗୋପବନ୍ଧୁଙ୍କ ଆଦର୍ଶକୁ ପାଥେୟ କରି ଏକ ନୂଆ ଭାରତ ଗଠନ ସମ୍ଭବ ବୋଲି ବିଶିଷ୍ଟ ସାମ୍ବାଦିକ, ‘ଦି ନୁ୍ୟ ଇଣ୍ଡିଆନ ଏକ୍ସପ୍ରେସ୍‌’ର ସମ୍ପାଦକୀୟ ନିର୍ଦେଶକ ପ୍ରଭୁ ଚାୱଲା କହିଛନ୍ତି । ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ୧୪୦ତମ ଜୟନ୍ତୀ ଏବଂ ମହାତ୍ମା ଗାନ୍ଧିଙ୍କ ପରିକଳ୍ପିତ ଗ୍ରାମ ସ୍ୱରାଜ ଅଭିଯାନର ୭୫ବର୍ଷ ପୂର୍ତ୍ତି ଅବସରରେ ‘ସମାଜ’ ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଗୋପବନ୍ଧୁ ଜ୍ୟୋତି ଯାତ୍ରା-୨୦୧୭ ଶୁକ୍ରବାର ସନ୍ଧ୍ୟାରେ କିସ୍‌ ପରିସରରେ ଉଦ୍‌ଯାପିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଚାୱଲା କହିଥିଲେ, ଯଦି ଆମେ ଇତିହାସକୁ ଅବଲୋକନ କରିବା ତେବେ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଭଳି ଦ୍ୱିତୀୟ ବ୍ୟକ୍ତି ଖୋଜି ପାଇବା କଷ୍ଟକର ବ୍ୟାପାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଯେଉଁ ସବ୍‌କା ସାଥ୍‌ ସବ୍‌କା ବିକାଶ କଥା କହୁଛନ୍ତି, ତାହା ପଣ୍ଡିତ ଗୋପବନ୍ଧୁ ଆଜକୁ ୯୦ବର୍ଷ ପୂର୍ବେ କହିଥିଲେ । ଦୁଃଖର କଥା ସରକାର, ରାଜନେତା ତାଙ୍କୁ ଯେତିକି ସମ୍ମାନ ଦେବା କଥା ତାହା ଦେଇ ନାହାନ୍ତି । ଓଡ଼ିଶାବାସୀଙ୍କ ପ୍ରତି ଗୋପବନ୍ଧୁଙ୍କ ଅବଦାନ ପାଇଁ ତାଙ୍କ ଫଟୋଚିତ୍ର ସଂସଦର ସେଣ୍ଟ୍ରାଲ୍‌ ହଲ୍‌ରେ ସ୍ଥାନ ପାଇବା ଉଚିତ । ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ ୯୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ତାଙ୍କର ନୀତି ଆଦର୍ଶକୁ ଉଜ୍ଜୀବିତ ରଖିଛି । ରାଜ୍ୟର ଏହା ହେଉଛି ଏକମାତ୍ର ଖବରକାଗଜ ଯାହା ଦରିଦ୍ର, ନିଷ୍ପେଷିତ, ଅସହାୟ ନାଗରିକଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ନିର୍ଭୀକ, ନିଷ୍ଠାପର ଉଦ୍ୟମ କରୁଛି । ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ପାଇଁ ଗୋପବନ୍ଧୁ ଯେଉଁଭଳି ଉଦ୍ୟମ କରୁଥିଲେ ତାହା ଆଜି ତାଙ୍କ ଖବରକାଗଜରେ ପ୍ରତିଫଳିତ ହେଉଛି । ଶ୍ରୀ ଚାୱଲା କହିଥିଲେ ଯେ ବିଗତ ବର୍ଷରେ ଭାରତ ଅନେକ କ୍ଷେତ୍ରରେ ନିଜର ପରାକାଷ୍ଠା ପ୍ରତିପାଦିତ କରିଛି । ଯଦି ଆମେ ୧୦ଟି ବିଷୟ ଉପରେ ଦୃଷ୍ଟିନିବଦ୍ଧ କରିବା ତେବେ ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ ହୋଇପାରିବ । ଏବେ ଭାରତ ହିଁ ବିଶ୍ୱର ଯୋଗାଯୋଗ କ୍ଷେତ୍ରକୁ ନିୟନ୍ତ୍ରଣ କରୁଛି । ଭାରତ ଯଦି ଏହି ଦିଗରେ ଅଗ୍ରସର ହେବ ତେବେ ଏହା ବିଶ୍ୱର ବୈଷୟିକ ଜ୍ଞାନର ଭଣ୍ଡାର ହୋଇପାରିବ । ଏଥିପାଇଁ ସର୍ବପ୍ରଥମେ ଆମକୁ ଭଲ ନେତା ବାଛିବାକୁ ପଡ଼ିବ । ସେହିପରି ଶ୍ରେଷ୍ଠ ଅର୍ଥନୈତିଜ୍ଞ ଓ ଶିକ୍ଷାବିତ୍‌ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ । ଭାରତ ହେଉଛି ସମାଜ ସଂସ୍କାରକଙ୍କ ଦେଶ । ତେଣୁ ଆମକୁ ଏବେ ଜଣେ ଜଣେ ସମାଜସଂସ୍କାରକ ସୃଷ୍ଟି କରିବାକୁ ହେବ । ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ମାଇଲ୍‌ଖୁଣ୍ଟ ସ୍ଥାପନ କରିବାରେ ଲାଗିଛି । ଆମକୁ ଅଧିକରୁ ଅଧିକ ବୈଜ୍ଞାନିକ ସୃଷ୍ଟି କରିବା ଜରୁରୀ । ସେହିପରି ମନୋରଞ୍ଜନ, କ୍ରୀଡ଼ା, ଆଧ୍ୟାତ୍ମିକତା କ୍ଷେତ୍ରରେ ଯଦି ଆମର ଆଧିପତ୍ୟ ରହିବ ତେବେ ଏକ ନୂଆ ଭାରତ ଗଠନ ସମ୍ଭବ ହେବ । ବିଶିଷ୍ଟ ଗାନ୍ଧିବାଦୀ ଡ. ଏସ୍‌.ଏନ୍‌ ସୁବ୍‌ବା ରାଓ କହିଥିଲେ, ପଣ୍ଡିତ ଗୋପବନ୍ଧୁ ଦାସ, ମହାତ୍ମା ଗାନ୍ଧି, ଭଗତ ସିଂହ, ଖୁଦିରାମ ଏକ ଆଦର୍ଶ ଭାରତ ଗଠନ ପାଇଁ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ଆଜିପର୍ଯ୍ୟନ୍ତ ସେମାନଙ୍କର ଏହି ବଳିଦାନ ଚରିତାର୍ଥ ହୋଇ ପାରିନାହିଁ । ଏକ ସଶକ୍ତ ଭାରତ ଗଠନ ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ହେବା ଜରୁରୀ । ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରିବେ ଆମର ଯୁବପିଢ଼ି । ଗୋପବନ୍ଧୁ ଜ୍ୟୋତି ଏକ ସମୃଦ୍ଧ ଭାରତ ବର୍ଷ ନିର୍ମାଣ ପାଇଁ ପ୍ରେରଣାଦାୟକ ହେବା ଉଚିତ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଥିଲେ, ଆମେ କଦାପି ନିଜ ମା’ ଓ ମାଟିକୁ ଭୁଲିଯିବା ଉଚିତ ନୁହେଁ । ଆମ ସମସ୍ତଙ୍କର ନିଜ ମାତୃଭୂମି ପାଇଁ ଅନେକ କିଛି କରିବାର ଅଛି । ଏହି ଲକ୍ଷ୍ୟ ନେଇ ପଣ୍ଡିତ ଗୋପବନ୍ଧୁ ଯାହା କରି ଯାଇଛନ୍ତି ତାହା ଆଜି ସମଗ୍ର ବିଶ୍ୱ ପାଇଁ ଅନୁକରଣୀୟ । ତାଙ୍କର ସେହି ବାର୍ତ୍ତାକୁ ଜନମାନସରେ ପୁନଃଜୀବିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଗୋପବନ୍ଧୁ ଜ୍ୟୋତି ଯାତ୍ରାର ଆୟୋଜନ କରାଯାଉଛି । ଆମର ବିଶ୍ୱାସ ଏହି ଉଦ୍ୟମ ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ଭବିଷ୍ୟତ ନିର୍ମାଣର ଜଣେ ଜଣେ କର୍ଣ୍ଣଧାର ଭାବେ ଗଢ଼ି ତୋଳିବାରେ ସହାୟକ ହେବ । ସେମାନେ ଏକ ନୂଆ ଭାରତର ଶିଳ୍ପୀ ଭାବେ ଉଭା ହେବେ । ସେମାନେ ଏପରି ଏକ ରାଷ୍ଟ୍ର ନିର୍ମାଣ କରିବେ ଯେଉଁଠାରେ କେବଳ ବିକାଶ ହିଁ ଦେଖିବାକୁ ମିଳିବ । ‘ସମାଜ’ର ସମ୍ପାଦକ ବାମାପଦ ତ୍ରିପାଠୀ କହିଥିଲେ, ଜୀବଦ୍ଦଶା ମଧ୍ୟରେ ଗୋପବନ୍ଧୁ ଯେଉଁ ଆଦର୍ଶକୁ ନେଇ କାମ କରୁଥିଲେ ତାହା ଆମ ସମସ୍ତଙ୍କ ପାଇଁ ଅନୁକରଣୀୟ । ସେ ଆଜି ଆମ ଗହଣରେ ନାହାନ୍ତି ସତ, କିନ୍ତୁ ଆଜି ତାଙ୍କରି ମାର୍ଗଦର୍ଶନରେ ପ୍ରତି କାର୍ଯ୍ୟ ସମ୍ପାଦିତ ହେଉଛି । ଆଗାମୀ ପିଢ଼ିକୁ ସେହି ଆଦର୍ଶରେ ଅନୁପ୍ରାଣିତ କରିବା ପାଇଁ ଏହି ଜ୍ୟୋତି ଯାତ୍ରା ଏକ ଆଲୋକବର୍ତ୍ତିକା ସଦୃଶ । ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି କହିଥିଲେ, ପ୍ରତିବର୍ଷ ଗୋପବନ୍ଧୁ ଜ୍ୟୋତି ଯାତ୍ରା ସମୟରେ ଦେଶ ଗଠନରେ ବଳିଷ୍ଠ ଭୂମିକା ନିର୍ବାହ କରିଥିବା ବ୍ୟକ୍ତିବିଶେଷଙ୍କୁ ଆମେ ସମ୍ବର୍ଦ୍ଧିତ କରି ଆସୁଛୁ । ଚଳିତ ବର୍ଷ ମଧ୍ୟ ମହାତ୍ମା ଗାନ୍ଧିଙ୍କ ଗ୍ରାମ ସ୍ୱରାଜ ଅଭିଯାନର ୭୫ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ୍‌ସ୍ତରରେ ଆଦର୍ଶ ସରପଞ୍ଚଙ୍କୁ ସମ୍ମାନିତ କରାଯାଇଛି । ଆଦର୍ଶ ସରପଞ୍ଚଙ୍କ କାର୍ଯ୍ୟାବଳୀକୁ ନେଇ ଏକ ସମୀକ୍ଷାଧର୍ମୀ ପୁସ୍ତକ ପ୍ରକାଶ କରାଯିବ, ଯାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିବ । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ କହିଥିଲେ, କିସ୍‌ର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜଣେ ଜଣେ ଗୋପବନ୍ଧୁ ଭାବେ ଗଢ଼ି ତୋଳିବା ହେଉଛି ଆମ ଲକ୍ଷ୍ୟ । ଦେଶ ପରାଧୀନ ସମୟରେ ଗୋପବନ୍ଧୁ ଶିକ୍ଷାର ମହତ୍ତ୍ୱ ଉପଲବ୍ଧି କରି ବକୁଳ ବନ ବିଦ୍ୟାଳୟ ପରି ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାରେ ସମର୍ଥ ହୋଇଥିଲେ । ଉଦ୍‌ଯାପନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ରାଜେନ୍ଦ୍ର ଜେନା, ‘ସମାଜ’ର ମୁଖ୍ୟ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଗୋପବନ୍ଧୁ ଜ୍ୟୋତି ଯାତ୍ରାରେ ସହଯୋଗ କରିଥିବା ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଅଧ୍ୟାପକ ଡ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର