ପ୍ରତିଭା ଶତପଥୀଙ୍କୁ କବିର ସମ୍ମାନ

ପ୍ରତିଭା ଶତପଥୀଙ୍କୁ କବିର ସମ୍ମାନ

Copy Editor | Published On: Nov 07, 2017 03:01 AM IST |   373

କଟକ : ବିଶିଷ୍ଟ କବୟିତ୍ରୀ ପ୍ରତିଭା ଶତପଥୀ ଚଳିତବର୍ଷ ସମ୍ମାନଜନକ କବିର ସମ୍ମାନ ପାଇବା ପାଇଁ ମନୋନୀତ ହୋଇଛନ୍ତି । ମଧ୍ୟପ୍ରଦେଶ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ୨୦୧୪-୧୦୧୫ ମସିହାର ‘ରାଷ୍ଟ୍ରୀୟ କବିର ସମ୍ମାନ’ କବି ପ୍ରତିଭା ଶତପଥୀ ଲାଭକରିବେ । ଆସନ୍ତା ୧୦ ନଭେମ୍ବରରେ ଭୋପାଳଠାରେ "ସଦ୍‌ଗୁରୁ କବିର ମହୋତ୍ସବ' ପାଳନ ଅବସରରେ କବୟିତ୍ରୀ ଶତପଥୀଙ୍କୁ ସମ୍ମାନିତ କରାଯିବ । ପୁରସ୍କାର ବାବଦରେ ସେ ନଗଦ ତିନିଲକ୍ଷ ଟଙ୍କା, ମାନପତ୍ର ଓ ଉପଢ଼ୌକନ ପାଇବେ । ମଧ୍ୟପ୍ରଦେଶ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଦେଶର ଜଣେ ପ୍ରମୁଖ କବିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଓଡ଼ିଆ କବିତା କ୍ଷେତ୍ରରେ ପ୍ରତିଭା ଶତପଥୀ ଜଣେ ପ୍ରମୁଖ ସାରସ୍ୱତ ସାଧିକା । ବ୍ରହ୍ମ୍ରୋତ୍ରୀ ମହାନ୍ତିଙ୍କ ପରେ ସିଦ୍ଧି ଲାଭ କରିଥିବା ନାରୀକବିଙ୍କ ମଧ୍ୟରେ ପ୍ରତିଭାଙ୍କ ନାମ ସର୍ବାଗ୍ରେ ଉଚ୍ଚାରଣ କରାଯାଇଥାଏ । ଅସ୍ତଜହ୍ନର ଏଲିଜି, ଗ୍ରସ୍ତ ସମୟ, ସାହାଡ଼ା ସୁନ୍ଦରୀ, ନିୟତ ବସୁଧା, ନିମିଷେ ଅକ୍ଷର, ମହାମେଘ, ତନ୍ମୟ ଧୂଳି, ଅଧାଅଧା ନକ୍ଷତ୍ର ପ୍ରଭୃତି କବିତାଗ୍ରନ୍ଥର ରଚୟିତା ଭାବେ କବୟିତ୍ରୀ ଶତପଥୀ ଖୁବ୍‌ ପାଠକୀୟ ଆଦୃତି ଲାଭ କରିଛନ୍ତି । କଳ୍ପନାର ଅଭିଷେକ, ସ୍ପନ୍ଦନର ଭୂମି, ପ୍ରତିଫଳନ, ଉତ୍ତର ଆଧୁନିକ ଓଡ଼ିଆ କବିତା ଓ ଅନ୍ୟାନ୍ୟ ପ୍ରବନ୍ଧ ଶୀର୍ଷକରେ ତାଙ୍କର ଉପାଦେୟ ଗଦ୍ୟ ରଚନା ରହିଛି । ତାଙ୍କ ଆତ୍ମଜୀବନୀ ଗ୍ରନ୍ଥ "ଶୈଶବରୁ ସଂସାର' ମଧ୍ୟ ବହୁ ଚର୍ଚ୍ଚିତ । ପୂର୍ବରୁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ସାହିତ୍ୟ ପୁରସ୍କାର, ସାହିତ୍ୟ ଭାରତୀ ସମ୍ମାନ, ଇମ୍ଫାଗୋଷ୍ଠୀ ଶାରଳା ପୁରସ୍କାର, ଆରଜି ଜାତୀୟ ସଦ୍‌ଭାବନା ପୁରସ୍କାର ଆଦି ବହୁ ପୁରସ୍କାର ଲାଭ କରିଛନ୍ତି । ପୁରସ୍କାର ପ୍ରାପ୍ତି ସମ୍ପର୍କରେ କବୟିତ୍ରୀ ଶତପଥୀ କହିଛନ୍ତି ଏହି ପୁରସ୍କାର ମୋ ପାଇଁ ଗୌରବର ବିଷୟ ଏବଂ ଅତ୍ୟନ୍ତ ପୁଲକିତ ମନେକରୁଛି । ଏହାକୁ ମୁଁ ଓଡ଼ିଶାର ସାରସ୍ୱତ ସାଧକ, ବିଶେଷକରି ଯୁବକବିଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗ କରୁଛି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର