ସବରିମଲ ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗ

ମାମଲାର ଶୁଣାଣି ସାମ୍ବିଧାନିକ ପୀଠକୁ ଗଲା

Copy Editor | Published On: Oct 13, 2017 07:45 PM IST | Updated On: Oct 13, 2017 07:51 PM IST |   169

ନୂଆଦିଲ୍ଲୀ : କେରଳର ପ୍ରସିଦ୍ଧ ତଥା ଐତିହାସିକ ସବରିମଲ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଜାରି ହୋଇଥିବା କଟକଣା ପ୍ରସଙ୍ଗରେ ଆଗତ ଏକ ପିଟିସନ୍‌ର ଶୁଣାଣି ପାଞ୍ଚଜଣିଆ ସାମ୍ବିଧାନିକ ପୀଠରେ ହେବ ବୋଲି ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦେଶ ଦେଇଛନ୍ତି । ବର୍ତ୍ତମାନ ପ୍ରାପ୍ତବୟସ୍କଭାବେ ବିବେଚିତ ୧୦ରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାଙ୍କୁ ସବରିମଲ ମନ୍ଦିରରେ ପ୍ରବେଶ ନିମନ୍ତେ ଅନୁମତି ପ୍ରଦାନ କରାଯାଉନାହିଁ । ଏହାର ପ୍ରତିବାଦରେ ‘ଇଣ୍ଡିଆନ ୟଙ୍ଗ୍‌ ଲୟର୍ସ ଆସୋସିଏସନ’ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଆର.ଭାନୁମତି ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ପୀଠ ଶୁକ୍ରବାର ଏହାର ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ଏହି କଟକଣା ପ୍ରତିବାଦରେ ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିଲା । ୨୦୧୭ ଫେବୃୟାରୀରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ହୋଇପାରୁଥିବା ସମାଧାନ ସମ୍ପର୍କରେ ଲିଖିତ ଜବାବ ଦାଖଲ କରିବାକୁ ଉଭୟପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ମନ୍ଦିରର ପରମ୍ପରାକୁ ଆଧାର କରି କେରଳ ହାଇକୋର୍ଟ ୧୯୯୧ରେ ଦେଇଥିବା ରାୟ ଅନୁଯାୟୀ ୧୦-୫୦ ବର୍ଷ ବୟସ୍କ ମହିଳାଙ୍କୁ ମନ୍ଦିରରେ ପ୍ରବେଶ ଉପରେ କଟକଣା ଜାରି କରିଥିଲେ । ୨୦୦୭ରେ କେରଳରେ ଏଲଡିଏଫ୍‌ ସରକାର କ୍ଷମତାସୀନ ଥିବାବେଳେ ସେମାନେ ଏହି କଟକଣାକୁ କୋହଳ କରିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ୟୁଡିଏଫ୍‌ ସରକାର କଟକଣା ସପକ୍ଷରେ ମତ ଦେଇଥିଲେ । ୨୦୧୬ରେ ଏଲଡିଏଫ୍‌ ପୁଣି କ୍ଷମତାକୁ ଆସିବାପରେ ସବୁ ବୟସର ମହିଳାଙ୍କ ପ୍ରବେଶକୁ ସମର୍ଥନ ଜଣାଇଛନ୍ତି । ସମୁଦ୍ର ପତନଠାରୁ ପ୍ରାୟ ୪୦୦୦ ଫୁଟ ଉଚ୍ଚରେ ପଶ୍ଚିମଘାଟ ପର୍ବତମାଳାରେ ଅବସ୍ଥିତ ଏହି ମନ୍ଦିର ଦ୍ୱାଦଶ ଶତାବ୍ଦୀରେ ପାଣ୍ଡଳମ ରାଜବଂଶ ଦ୍ୱାରା ନିର୍ମିତ ହୋଇଥିବା ସମ୍ପର୍କରେ ଐତିହାସିକମାନେ ମତବ୍ୟକ୍ତ କରିଛନ୍ତି । ସାଉଦି ଆରବର ମକ୍କା ପରେ ସବରିମଲ ମନ୍ଦିରରେ ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଭକ୍ତଙ୍କର ସବୁଠାରୁ ବେଶି ଭିଡ ପରିଲକ୍ଷିତ ହୋଇଥାଏ । ପ୍ରତିବର୍ଷ ନଭେମ୍ବର ୧୫ରୁ ଡିସେମ୍ବର ୨୬ ମଧ୍ୟରେ ଏଠାରେ ମଣ୍ଡଳପୂଜା ଅନୁଷ୍ଠିତ ହେଉଥିବାବେଳେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ । ମନ୍ଦିରରେ ପ୍ରଭୁ ଆୟାପ୍ପା ପୂଜା ପାଇଥାନ୍ତି । ଗତବର୍ଷ ଏହି ସମୟରେ ୩.୫ କୋଟି ଭକ୍ତ ସାବରିମଲ ମନ୍ଦିର ପରିଦର୍ଶନ କରିଥିବାବେଳେ ୨୪୪ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା । ପୌରାଣିକ ମତବାଦ ଅନୁଯାୟୀ ପର୍ଶୁରାମ ନିଜର ଫାର୍ସା ସାହାଯ୍ୟରେ କେରଳକୁ ସମୁଦ୍ର ଗର୍ଭରୁ ଉଦ୍ଧାର କରି ସାବରିମଲଠାରେ ପ୍ରଭୁ ଆୟାପ୍ପାଙ୍କୁ ପ୍ରତିଷ୍ଠା କରିଥିଲେ । ପ୍ରଭୁ ଆୟାପ୍ପା ଜଣେ ନୈଷ୍ଠିକ ବ୍ରହ୍ମଚାରୀ ହୋଇଥିବାରୁ ମନ୍ଦିରରେ ରୁତୁସ୍ରାବ ବୟସ ଛୁଇଁଥିବା ମହିଳାଙ୍କ ପାଇଁ ଏଠାରେ ପ୍ରବେଶ କଟକଣା ଲାଗୁ କରାଯାଇଛି । ତେବେ ଏଭଳି ନିୟମ ସମ୍ବିଧାନ ବିରୋଧୀ ଓ ମହିଳାଙ୍କ ଅଧିକାରକୁ କ୍ଷୁଣ୍ଣ କରୁଛି ବୋଲି ସମାଲୋଚକମାନେ ମତବ୍ୟକ୍ତ କରିଛନ୍ତି । ୨୦୦୬ରେ ଏହି ପ୍ରସଙ୍ଗ ନେଇ ଏକ ବିବାଦ ସୃଷ୍ଟି ହୋଇଥିଲା । ଏହି ମନ୍ଦିରରେ ପ୍ରବେଶ କରି ପ୍ରଭୁ ଆୟାପ୍ପାଙ୍କୁ ସ୍ପର୍ଶ କରିଛନ୍ତି ବୋଲି କନ୍ନଡ ଅଭିନେତ୍ରୀ ଜୟମାଲା ସେତେବେଳେ ଦାବି କରିଥିଲେ । କେରଳ ସରକାର ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରିନେଇଥିଲେ । ପ୍ରବଳ ଭିଡ ଯୋଗୁଁ ଏହି ମନ୍ଦିରରେ ଦୁଇଥର ଦଳାଚକଟା ହୋଇଥିବାର ଦୃଷ୍ଟାନ୍ତ ରହିଛି । ୧୯୯୯ ଜାନୁଆରୀ ୧୪ରେ ଦଳାଚକଟା ଯୋଗୁଁ ୨୦୦ରୁ ଅଧିକ ଭକ୍ତ ପ୍ରାଣ ହରାଇଥିବାବେଳେ ୨୦୧୧ରେ ୧୦୪ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଥିଲା ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି