ଆନ୍ତର୍ଜାତିକ କ୍ରିକେଟ୍‌ରୁ ସନ୍ୟାସ ନେବେ ନେହେରା

୪୪ଟି ଟେଷ୍ଟ, ୧୫୭ଟି ଦିନିକିଆ ଓ ୩୪ଟି ଟ୍ୱେଣ୍ଟି-୨୦ ୱିକେଟ ନେଇଛନ୍ତି

Copy Editor | Published On: Oct 12, 2017 11:23 PM IST |   51

ଆନ୍ତର୍ଜାତିକ କ୍ରିକେଟ୍‌ରୁ ସନ୍ୟାସ ନେବେ ନେହେରା ନୂଆଦିଲ୍ଲୀ : ବରିଷ୍ଠ ଭାରତୀୟ ବାମହାତି ଫାଷ୍ଟବୋଲର ଆଶିଷ ନେହେରା ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବାର ନିଷ୍ପତ୍ତି ନେଇଛନ୍ତି । ନଭେମ୍ବର ୧ରେ ତାଙ୍କ ନିଜ ପଡ଼ିଆ ନୂଆଦିଲ୍ଲୀର ଫିରୋଜଶାହା କୋଟ୍‌ଲାରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିରୋଧରେ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ନେହେରାଙ୍କ ଜୀବନର ଅନ୍ତିମ ଆନ୍ତର୍ଜାତିକ ମ୍ୟାଚ୍‌ ହେବ । ବିସିସିଆଇକୁ ଏହା ଜଣାଇବା ପୂର୍ବରୁ ୩୮ ବର୍ଷ ବୟସ୍କ ନେହେରା ତାଙ୍କ ନିଷ୍ପତ୍ତି ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କୁ ଜଣାଇଥିଲେ ବୋଲି ବୋର୍ଡର ଜଣେ କର୍ମକର୍ତ୍ତା କହିଛନ୍ତି । ୨୦୧୮ରେ ଭାରତୀୟ ଦଳ ଅଧିକ ଟ୍ୱେଣ୍ଟି-୨୦ ମ୍ୟାଚ୍‌ ଖେଳିବାର ନଥିବାରୁ ଯୁବ ଖେଳାଳିଙ୍କୁ ସୁଯୋଗଦେବା ଲକ୍ଷ୍ୟରେ ସନ୍ନ୍ୟାସ ନେବାର ନିଷ୍ପତ୍ତି ନେହେରା ନେଇଛନ୍ତି । ନେହେରାଙ୍କ କହିବା ଅନୁସାରେ, ବର୍ତ୍ତମାନ ଭାରତ ପାଇଁ ଟ୍ୱେଣ୍ଟି୨୦ ଖେଳୁଥିବା ଦୁଇ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରା ଓ ଭୁବନେଶ୍ୱର କୁମାର ଭଲ ବୋଲିଂ କରୁଥିବାରୁ ସେମାନେ ହିଁ ଖେଳିବା ଉଚିତ । ତେଣୁ ସେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଓହରିଯିବାର ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୧୮ ବର୍ଷ ହେଲା ଦିଲ୍ଲୀର ଆଶିଷ ନେହେରା ଆନ୍ତର୍ଜାତିକ କ୍ରିକେଟ ଖେଳୁଛନ୍ତି । ୧୯୯୯ରେ ମହମ୍ମଦ ଆଝାରୁଦ୍ଦିନ୍‌ଙ୍କ ନେତୃତ୍ୱରେ ନେହେରା ଶ୍ରୀଲଙ୍କା ବିରୋଧରେ ଟେଷ୍ଟମ୍ୟାଚ୍‌ ଖେଳିଥିଲେ; ଯାହା ତାଙ୍କର ସର୍ବପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଥିଲା । ଏହି ୧୮ ବର୍ଷରେ ନେହେରା ୧୭ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୬ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳିଛନ୍ତି । ଏଥିରୁ ସେ ୪୪ଟି ଟେଷ୍ଟ, ୧୫୭ଟି ଦିନିକିଆ ଓ ୩୪ଟି ଟ୍ୱେଣ୍ଟି୨୦ ୱିକେଟ ନେଇଛନ୍ତି । ଇଂଲଣ୍ଡ ବିରୋଧରେ ୨୦୦୩ ବିଶ୍ୱକପ୍‌ରେ ମାତ୍ର ୨୩ ରନ୍‌ଦେଇ ୬ଟି ୱିକେଟ ନେହେରାଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ୨୦୧୧ରେ ବିଶ୍ୱ ଚମ୍ପିଆନ୍‌ ହୋଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ ଆଶିଷ ନେହେରା । ସେମିଫାଇନାଲରେ ପାକିସ୍ତାନ ବିରୋଧରେ ଚମକ୍ରାର ବୋଲିଂକରି ଦଳକୁ ନେହେରା ଜିତାଇଥିଲେ ହେଁ ଆଙ୍ଗୁଠି ଆଘାତ ଯୋଗୁଁ ଫାଇନାଲ ମ୍ୟାଚ୍‌ ଖେଳି ପାରିନଥିଲେ । ଅଷ୍ଟ୍ରେଲିଆ ବିରୋଧରେ ଚଳିତ ଘରୋଇ ଟ୍ୱେଣ୍ଟି୨୦ ସିରିଜ୍‌ ପାଇଁ ନେହେରାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଥିଲେ ହେଁ ପ୍ରଥମ ୨ଟି ଟି-୨୦ରେ ତାଙ୍କୁ ଖେଳିବାର ସୁଯୋଗ ମିଳିନାହିଁ । ସେ ଚେନ୍ନଇ ସୁପର କିଙ୍ଗ୍‌ସ, ଦିଲ୍ଲୀ ଡେୟାରଡେଭିଲ୍‌ସ, ମୁମ୍ବଇ ଇଣ୍ଡିଆନ୍‌ସ, ପୁଣେ ୱାରିଅର୍ସ ଓ ସନ୍‌ରାଇଜର୍ସ ହାଇଦରବାଦ ପାଇଁ ଆଇପିଏଲ୍‌ ଖେଳିଛନ୍ତି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି