ଖୋଳତାଡ଼ ଜାରି, ହଟିଲା ଅବରୋଧ

କୁନ୍ଦୁଲି ଗଣବଳାତ୍କାର ମାମଲା

Copy Editor | Published On: Oct 12, 2017 10:52 PM IST | Updated On: Oct 12, 2017 10:53 PM IST |   898

କୋରାପୁଟ : ପଟାଙ୍ଗି ଥାନାର ମୁଷାଗୁଡା ନିକଟରେ ହୋଇଥିବା ଗଣବଳାତ୍କାର ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆରମ୍ଭ ହୋଇଛି । ସେପଟେ ବ୍ରହ୍ମପୁରର ଏକ ସାଇଣ୍ଟିଫିକ୍‌ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ଚାଲିଥିବା ୨୬ନମ୍ବର ଜାତୀୟ ରାଜପଥ ଅବରୋଧ ଦୀର୍ଘ ୩୬ ଘଣ୍ଟା ପରେ ହଟିଛି । ଫଳରେ ଯାତାୟାତ ସ୍ୱାଭାବିକ ହୋଇଛି । ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଦେଇଥିବା ପଟାଙ୍ଗି ଥାନା ଅନ୍ତର୍ଗତ ମୁଷାଗୁଡା ନିକଟରେ ହୋଇଥିବା ଗଣବଳାତ୍କାର ମାମଲାର ତଦନ୍ତ କରିବାକୁ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଏଠାରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛନ୍ତି । କ୍ରାଇମ୍‌ବ୍ରାଞ୍ଚର ଅତିରିକ୍ତ ଏସପି ଆର.ବି. ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଟିମ୍‌ ଗତ କାଲି ରାତିରେ କୋରାପୁଟରେ ପହଞ୍ଚିଥିଲେ । ପରେ ୩ଟି ଦଳରେ ବିଭକ୍ତ ହୋଇ ପ୍ରଥମେ ଘଟଣାସ୍ଥଳ ପରିଦର୍ଶନ କରି କିଛି ତଥ୍ୟ ସଂଗ୍ରହ କରିଥିଲେ । ପରେ ଗ୍ରାମବାସୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ତେବେ ଘଟଣାରେ ଯବାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବାରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ବିଏସଏଫ ଓ ସିଆରପିଏଫ କ୍ୟାମ୍ପକୁ ଯାଇ ମଧ୍ୟ ପଚରା ଉଚୁରା କରିଥିଲେ । ଏହି ସମୟରେ ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ଏସ. ସାଇନୀଙ୍କ ସମେତ କୋରାପୁଟ ଏସପି କେ.ଭି. ସିଂ ମଧ୍ୟ ଉପସ୍ଥିତ ଥିଲେ । ସେପଟେ ଯବାନଙ୍କ ତାଲିକା ଏବଂ ଘଟଣାଦିନ କେଉଁମାନେ ବାହାରକୁ ଯାଇଥିଲେ ତାହାର ତାଲିକା ମଧ୍ୟ ସଂଗ୍ରହ କରିଥିବା ଜଣାପଡିଛି । ଏହା ସହ ବ୍ରହ୍ମପୁରରୁ ଆସିଥିବା ସାଇଣ୍ଟିଫିକ୍‌ ଦଳ ମଧ୍ୟ ବଳାତ୍କାର ହୋଇଥିବା ସ୍ଥାନ ପରିଦର୍ଶନ କରିଥିବା ଜଣାପଡିଛି । ପରେ କ୍ରାଇବ୍ରାଞ୍ଚ ଟିମ୍‌ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଞ୍ଚି ଘଟଣାର ତଦନ୍ତ କରିଥିବା ସହ ପଚରାଉଚରା କରିଥିଲେ । ତେବେ ଏଭଳି ସମ୍ବେଦନଶୀଳ ଘଟଣାର ଇତିମଧ୍ୟରେ ତିନିଦିନ ବିତିଯାଇଥିଲେ ସୁଦ୍ଧା ପୀଡିତାଙ୍କ ମେଡିକାଲ ରିପୋର୍ଟକୁ ନେଇ ଏବେ ଛକାପଞ୍ଝା ଦେଖାଦେଇଛି । ମେଡିକାଲ ଏଡିଏମ ଚମ୍ପତ୍ତି ରାୟଙ୍କୁ ରିପୋର୍ଟ ସଂକ୍ରାନ୍ତରେ ପଚାରିବାରୁ ସେ ରିପୋର୍ଟକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିବା କହିଛନ୍ତି । ତେବେ ପୀଡିତାଙ୍କ ରିପୋର୍ଟ ପୁଲିସ୍‌ ପାଖରେ ପହଞ୍ଚି ନଥିବା ଖୋଦ୍‌ କୋରାପୁଟ ଏସପି ଶ୍ରୀ ସିଂ କହିଛନ୍ତି । ସେପଟେ ଘଟଣାର ୨୪ ଘଣ୍ଟା ମଧ୍ୟରେ ମେଡିକାଲ ରିପୋର୍ଟ ଦିଆଯିବା ନିୟମ ରହିଥିଲେ ସୁଦ୍ଧା ଏଭଳି ଘଟଣାର ରିପୋର୍ଟକୁ ନେଇ ବର୍ତ୍ତମାନ ସୁଦ୍ଧା ଛକାପଞ୍ଝା ଲାଗିବା ସାଧାରଣରେ ଆଶ୍ଚର୍ଯ୍ୟ ପ୍ରକାଶ ପାଇଛି । ଗୁରୁବାର ରାଜ୍ୟ ମହିଳା ବିଜେପିର ଏକ ୫ଜଣିଆ ଟିମ୍‌ ମଧ୍ୟ କୋରାପୁଟରେ ପହଞ୍ଚିଛନ୍ତି । ସେମାନେ ମେଡିକାଲରେ ପହଞ୍ଚି ଘଟଣାସମ୍ପର୍କରେ ପୁଙ୍ଖାନୁପଙ୍ଖ ପଚାରି ବୁଝିଛନ୍ତି । ସେପଟେ କ୍ରାଇମ୍‌ବ୍ରାଞ୍ଚ ଉପରେ ଭରସା ନଥିବା ଯୋଗୁଁ ଉଚ୍ଚନ୍ୟାୟାଳୟର ଏକ ବିଚାରପତିଙ୍କ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବା ସହ ପୀଡିତାକୁ ସହାୟତା ଦାବି କରିଛନ୍ତି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି