୩୧ରେ ମରୁଡ଼ି ଘୋଷଣା

୨୬ ଜିଲାର ୯୮ବ୍ଲକରେ ସ୍ୱଳ୍ପ ବୃଷ୍ଟି

Copy Editor | Published On: Oct 12, 2017 10:07 PM IST |   254

ଭୁବନେଶ୍ୱର : ରାଜ୍ୟର ୯୮ଟି ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ସେଥିମଧ୍ୟରୁ ଢ଼େଙ୍କାନାଳ ଜିଲାର ଓଡ଼ପଡା, କେନ୍ଦୁଝର ଜିଲାର ହାଟଡ଼ିହି ଓ ବଲାଙ୍ଗିର ଜିଲାର ଲୋଇସିଂହା ଓ ବେଲପଡା ବ୍ଲକରେ ଆବଶ୍ୟକ ପରିମାଣ ଠାରୁ ପ୍ରାୟ ୬୦ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଥିବାରୁ ଉକ୍ରଟ ପରିସ୍ଥିତି ଦେଖାଦେଇଛି । ଏହିସବୁ ଅଞ୍ଚଳରେ ବାସ୍ତବରେ କେତେ ପରିମାଣର କ୍ଷତି ହୋଇଛି ତାହା ଆକଳନ କରିବା ସମୟ ସାପେକ୍ଷ । ଯଦିଓ ସରକାରଙ୍କ ପକ୍ଷରୁ ଚଳିତମାସ ୧୫ ତାରିଖରେ ମରୁଡ଼ି ଘୋଷଣା କରାଯିବା ପାଇଁ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଏଥିପାଇଁ ଆଉ ୧୫ଦିନ ବିଳମ୍ବ ହେବ । ଆସନ୍ତା ୩୧ ତାରିଖରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କେତେ ଜିଲାରେ ମରୁଡ଼ି ଓ କେତେ ପରିମାଣର ଫସଲ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ କରାଯିବ ବୋଲି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି । ଗୁରୁବାର ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ ମରୁଡ଼ି ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି ଯେ ଗତ ୩ ମାସ ମଧ୍ୟରେ ସ୍ୱଳ୍ପ ବୃଷ୍ଟିପାତ ପାଇଁ ରାଜ୍ୟର କେତେକ ଜିଲାରେ ମରୁଡ଼ି ପରିସ୍ଥିତି ଉପୁଜିଛି । ଏହାର ଅନୁଧ୍ୟାନ କରିବାପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ନେତୃତ୍ୱରେ ଏକ ଟିମ୍‌ କେତେକ ଅଞ୍ଚଳ ଗସ୍ତ କରିବା ପରେ ରାଜ୍ୟର ୯୮ଟି ବ୍ଲକରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଫସଲ ହାନି ହୋଇଛି । ଏହିସବୁ ଅଞ୍ଚଳରେ ବାସ୍ତବରେ କେତେ ଫସଲ କ୍ଷୟକ୍ଷତି ହୋଇଛି ତା’ର ଆକଳନ କରିବାରେ ସମୟ ଲାଗୁଛି । ତେଣୁ ମରୁଡ଼ି ଘୋଷଣା ସମୟ ଚଳିତମାସ ଶେଷ ସୁଦ୍ଧା ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ତେବେ ଯେଉଁସବୁ ଅଞ୍ଚଳରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି ସେଠାରେ ସ୍ଥାନୀୟ ଲୋକଙ୍କ ପାନୀୟ ଜଳ ସଙ୍କଟକୁ ଦୂର କରିବାପାଇଁ ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ ଓ ଅନ୍ୟାନ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି । ସେହିସବୁ ଅଞ୍ଚଳରେ ଗଭୀର ନଳକୂପ ଖନନ କରିବା ଏବଂ ଅଚଳ ନଳକୂପକୁ ଏବେଠାରୁ ମରାମତି କରି ପ୍ରସ୍ତୁତ କରିବା ସହିତ ଉଠାଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାପାଇଁ କୁହାଯାଇଛି । ଆସନ୍ତା ୨୨ ତାରିଖରେ ଏନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି । ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବରଗଡ଼ ଜିଲାର ଅମ୍ବାଭୋନା, ଅତାବିରା, ବରଗଡ଼, ପାଇକମାଳ, ସୋହେଲା, ବିଜେପୁର, ପଦ୍ମପୁର, ବଲାଙ୍ଗିରର ବେଲପଡା, ବଲାଙ୍ଗିର, ଲୋଇସିଂହା, ମୁରିବାହାଲ, ପୁଇତାଲ, ଆଗଲପୁର ଓ ନୂଆପଡାର ଭୋଡେନ, ଖରିଆର ଓ ନୂଆପଡା ସହିତ ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି,କେନ୍ଦ୍ରାପଡା, କନ୍ଧମାଳ, କେନ୍ଦୁଝର, ଖୋରଧା, କୋରାପୁଟ, ମୟୂରଭଞ୍ଜ, ପୁରୀ, ରାୟଗଡା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲାର କେତେକ ବ୍ଲକ ରହିଛି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି