ସଂକଟରେ ଶ୍ରୀମନ୍ଦିର ବେହେରଣଦ୍ୱାର

ସଂକଟରେ ଶ୍ରୀମନ୍ଦିର ବେହେରଣଦ୍ୱାର

Copy Editor | Published On: Oct 12, 2017 12:48 AM IST |   425

ପୁରୀ : ଶ୍ରୀମନ୍ଦିର ଜଗମୋହନ ପରେ ବେହେରଣଦ୍ୱାର ଏବଂ ନାଟମଣ୍ଡପ କରିଡର ଅସୁରକ୍ଷିତ ହୋଇପଡ଼ିଛି । ଯଥାଶୀଘ୍ର ଲୁହା ବିମ୍‌ ପରିବର୍ତ୍ତନ ପାଇଁ ବୁଧବାର ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କୋର୍‌ କମିଟି ଅଧ୍ୟକ୍ଷ ପ୍ରଫେସର ଆନନ୍ଦପ୍ରାଣ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ୧୧ଜଣିଆ କମିଟି ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ବେହେରଣଦ୍ୱାର ଉପରେ ଥିବା କେତେକ ପଥର ଗଳିପଡିବା ଅବସ୍ଥାରେ ରହିଛି । ଦୁଇଟି ଲୁହା ବିମ୍‌ କଳଙ୍କି ଲାଗିଗଲାଣି । ଯେକୌଣସି ମୁହୂର୍ତ୍ତରେ ପଥର ଖସିବାର ସମ୍ଭାବନା ରହିଛି । ସେହିପରି ଜଗମୋହନ ଓ ନାଟମଣ୍ଡପ ମଝି କରିଡର ତଳେ ଥିବା ଲୁହା ବିମ୍‌ ଗୁଡିକ ନଷ୍ଟ ହୋଇଯାଇଛି । ନାଟମଣ୍ଡପ ଭିତରେ ଫାଟ ସୃଷ୍ଟିହେବା ସହ ଗୋଟିଏ ବିମ୍‌ ଦୁର୍ବଳ ଅବସ୍ଥାରେ ରହିଛି । ଏସବୁର ଜରୁରୀ ମରାମତି ପାଇଁ ଡିଜାଇନ୍‌ ପ୍ରସ୍ତୁତ କରିବାକୁ କୋର୍‌ କମିଟି ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ ପରାମର୍ଶ ଦିଆଯାଇଛି । ଜଗମୋହନ ମରାମତି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କମିଟି ଅନୁଧ୍ୟାନ କରିଛି । ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପଛେଇଥିବାରୁ ବିଶେଷଜ୍ଞମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବେହେରଣଦ୍ୱାର, ଜୟବିଜୟଦ୍ୱାର ଏବଂ ନାଟମଣ୍ଡପ ମରାମତି ସମ୍ପର୍କରେ ଆଲୋଚନା ପାଇଁ ଗୁରୁବାର ଭୁବନେଶ୍ୱରରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ଅଧିକ୍ଷଣ ଯନ୍ତ୍ରୀ ଇଂ ବିନେ୍ଧଶ୍ୱର ପାତ୍ର ସୂଚନା ଦେଇଛନ୍ତି । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଭିତର ପାଶ୍ୱର୍ରେ ଥିବା ଅନେକ ଲୁହା ବିମ୍‌ ନଷ୍ଟ ହୋଇଯାଇଛି । ପର୍ଯ୍ୟାୟକ୍ରମେ ସେଗୁଡିକ ପରିବର୍ତ୍ତନ ପାଇଁ କୋର୍‌ କମିଟି ନିଷ୍ପତ୍ତି ଗ୍ରହଣ କରିଛି । ପ୍ରଫେସର ଗୋପାଳଚନ୍ଦ୍ର ମିତ୍ର, ଏଏସ୍‌ଆଇ ଭୁବନେଶ୍ୱର ମଣ୍ଡଳ ଅଧିକ୍ଷକ ଡଃ ହେମସାଗର ଅଭୟ ନାୟକ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଧର୍ମପ୍ରସାଦ ମିଶ୍ର, ଇଂ ଏନ.ସି ପାଲ, ହାଇକୋର୍ଟ କମିଶନ ସଭ୍ୟ ଏନ.କେ. ମହାନ୍ତି, ଅବସରପ୍ରାପ୍ତ ଯନ୍ତ୍ରୀ ପଦ୍ମଲୋଚନ ମହାପାତ୍ର ଏବଂ ଏଏସ୍‌ଆଇ ବରିଷ୍ଠ ସଂରକ୍ଷକ ଚିତ୍ତରଞ୍ଜନ ଦାଶ ସେଥିରେ ଅଂଶଗ୍ରହଣ କରିଥିଲେ । ବେହେରଣଦ୍ୱାରର ସଂକଟଜନକ ସ୍ଥିତି ଯୋଗୁଁ ସେବକ ଓ ଭକ୍ତଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।