ଅକ୍ଷୟ...ତୁମେ ହିଁ ସଦା ଅକ୍ଷୟ

ଅକ୍ଷୟ...ତୁମେ ହିଁ ସଦା ଅକ୍ଷୟ

Copy Editor | Published On: Oct 12, 2017 12:39 AM IST | Updated On: Oct 12, 2017 12:41 AM IST |   287

କଟକ : ହେ ଫଗୁଣ ତୁମେ ଗଲା ପରେ ପରେ ଅନେକ ଯାତନା ଏଠି.... ଏହି ଗୀତର ଭାବ ଏବଂ ମର୍ମ ବର୍ତ୍ତମାନ ସମୟରେ ସଠିକ ବୋଲି ପ୍ରତିଫଳିତ ହେଉଛି । ଓଡିଆ ସଙ୍ଗୀତ ଜଗତର ଏହି କାଳଜୟୀ ସଙ୍ଗୀତ ଶତ ପ୍ରତିଶତ ସତ୍ୟ ବୋଲି ପ୍ରମାଣିତ ହୋଇଛି ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ କ୍ଷେତ୍ରରେ । ହେ ଅକ୍ଷୟ.. ତୁମେ ଗଲା ପରେ ପରେ ଅନେକ ଯାତନା ଏଠି.. ପ୍ରକୃତରେ ଏହା ହିଁ ସତ । ଓଡିଆ ସଙ୍ଗୀତ ଜଗତର ମୁକୁଟବିହୀନ ସମ୍ରାଟ ଅକ୍ଷୟ ମହାନ୍ତି ଆଜି ଆମ ଗହଣରେ ନାହାନ୍ତି ସତ କିନ୍ତୁ ତାଙ୍କର ପ୍ରତିଟି ଗୀତ, ସଙ୍ଗୀତ, ସାହିତ୍ୟ ସମସ୍ତଙ୍କୁ ପ୍ରତି ମୁହୂର୍ତ୍ତରେ ରୋମାଞ୍ଚିତ କରୁଛି ଏବଂ ମନେ ପକାଇ ଦେଉଛି ସେହି ମହାନ ସଙ୍ଗୀତସ୍ରଷ୍ଟାଙ୍କ ଗୋଟି ଗୋଟି ଅମ୍ଳାନ କୃତି । ତାଙ୍କ ସଙ୍ଗୀତର କୌଣସି କ୍ଷୟ ନାହିଁ ଏବଂ ସେ ଚିରଦିନ ପାଇଁ ଅକ୍ଷୟ ହୋଇ ସଙ୍ଗୀତପ୍ରେମୀଙ୍କ ମନରେ ରହିଛି । ବାସ୍ତବିକ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ମଧ୍ୟ ଚିରଦିନ ପାଇଁ ଅକ୍ଷୟ ହୋଇରହିଛି । ୨୦୦୨ ନଭେମ୍ବର ୧୭ ତାରିଖରେ ସେହି ମହାନ ସଙ୍ଗୀତ ସ୍ରଷ୍ଟାଙ୍କ ମହାପ୍ରୟାଣ ଘଟିଥିଲେ ମଧ୍ୟ ସେ ଆଜି ବି ପ୍ରତ୍ୟେକ ସଙ୍ଗୀତପ୍ରେମୀଙ୍କ ମାନସପଟରେ ହୃଦୟରେ ଘର କରି ରହିଛନ୍ତି । ୧୯୬୭ରେ ତାଙ୍କ ବିବାହ ପ୍ରବୀଣା ମହାନ୍ତିଙ୍କ ସହ ହୋଇଥିଲା । ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଥିବାବେଳେ ପୁଅ ଚିତ୍ରଭାନୁ ମହାନ୍ତି ଜଣେ କଣ୍ଠଶିଳ୍ପୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ୧୯୩୬ ମସିହା ଅକ୍ଟୋବର ୧୨ ତାରିଖରେ ଭୂମିଷ୍ଠ ହୋଇଥିଲେ ଓଡ଼ିଆ ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି ବା ସମସ୍ତଙ୍କ ଆଦରର ଖୋକା ଭାଇ । ବାପା ବିଚିତ୍ରାନନ୍ଦ ମହାନ୍ତି ଏବଂ ମାତା ସୁବର୍ଣ୍ଣମଞ୍ଜରୀ ଦେବୀଙ୍କ ପୁଅ ଅକ୍ଷୟ ମହାନ୍ତି ବିଧିବଦ୍ଧ ଭାବେ କୌଣସି ପ୍ରଶିକ୍ଷଣ ନେଇନଥିଲେ ମଧ୍ୟ ସଙ୍ଗୀତ ଜଗତରେ ଏଭଳି କୀର୍ତ୍ତିମାନ ଏବଂ ଉଦାହରଣ ସୃଷ୍ଟି କରିଛନ୍ତି ଯେ,ତାହା ଅନ୍ୟମାନଙ୍କ ପାଇଁ ଯୁଗେ ଯୁଗେ ପ୍ରେରଣାର ଉତ୍ସ ସାଜିଛି । ପ୍ରାଥମିକ ଶିକ୍ଷାଲାଭ ପରେ ଅକ୍ଷୟ କଟକ ଷ୍ଟିୱାର୍ଟ କଲେଜ, ରେଭେନ୍ସା କଲେଜ ଏବଂ ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିଥିଲେ । ଏହାପରେ ସେ କମ୍‌ ବୟସରେ ସରକାରୀ ଚାକିରୀରେ ଯୋଗ ଦେଇଥିଲେ । ସେହି ସମୟରେ ହିଁ ସେ କଟକ ଆକାଶବାଣୀ କେନ୍ଦ୍ରରେ ସ୍ୱୀକୃତିପ୍ରାପ୍ତ ଗୀତିକାର ହୋଇପାରିଥିଲେ ଏବଂ ୧୯୫୯ରେ ଅଳ୍ପ ବୟସରେ ହିଁ ସେ କଟକ ଆକାଶବାଣୀ କେନ୍ଦ୍ରର ସଙ୍ଗୀତ ନିଦେ୍ର୍ଦଶକ ହୋଇପାରିଥିଲେ । ତେବେ ସଙ୍ଗୀତ ପ୍ରତି ତାଙ୍କ ଅହେତୁକ ଦୁର୍ବଳତା ଏବଂ ଆଗ୍ରହ ଯୋଗୁଁ ସେ ସରକାରୀ ଚାକିରୀରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ସମ୍ପୂର୍ଣ୍ଣ ଭାବରେ ସଙ୍ଗୀତରେ ମନୋନିବେଶ କରିଥିଲେ ଏବଂ ସୃଷ୍ଟି କରିଥିଲେ ଅନେକ କାଳଜୟୀ ସଙ୍ଗୀତ । ୧୯୫୯ ମସିହାରେ ଓଡିଆ ଚଳଚ୍ଚିତ୍ର ଜଗତରେ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା । ସେହି ବର୍ଷ ନିର୍ମିତ ମା’ ଚଳଚ୍ଚିତ୍ରରେ ସେ ଜଣେ କଣ୍ଠଶିଳ୍ପୀ ଭାବରେ ‘ଗୋରୀ ଗୋରୀ ଗୋରୀ’ ଗୀତ ପାଇଁ କଣ୍ଠଦାନ କରିଥିଲେ । ଏହାପରେ ୧୯୬୫ରେ ‘ମଲାଜହ୍ନ’ କଥାଚିତ୍ରରେ ସେ ପ୍ରଥମେ ସଙ୍ଗୀତ ନିର୍ଦେଶକ ଦାୟିତ୍ୱ ନିର୍ବାହ କରିଥିଲେ । ସେହି ଫିଲ୍ମର ଗୀତ ‘ରକତ ଟଳମଳ..’ ଗୀତ ସେହି ସମୟରେ ବେଶ୍‌ ଲୋକପ୍ରିୟ ହୋଇଥିବା ବେଳେ ଆଜି ମଧ୍ୟ ସଙ୍ଗୀତପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଆସୁଛି । ଏହାପରେ ସେ ୭୫ଟି ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦେଶନା ଦେଇଥିବା ବେଳେ ୧୨୯ ଫିଲ୍ମରେ ଗାୟକ ଭାବରେ କଣ୍ଠଦାନ କରିଥିଲେ । ଅକ୍ଷୟ ମହାନ୍ତି କେବଳ ଚଳଚ୍ଚିତ୍ର ସଙ୍ଗୀତରେ ସେ ନିଜର ଦକ୍ଷତା ପ୍ରତିପାଦନ କରିନଥିଲେ ବରଂ ଅନେକ ଗୀତିନାଟ୍ୟ, ଅଭୁଲା ଅମର ଆଧୁନିକ ଗୀତ ସଂରଚନା କରି ଅଗଣିତ ସଙ୍ଗୀତପ୍ରେମୀଙ୍କ ମନ ଓ ହୃଦୟକୁ ଛୁଇଁ ପାରିଥିଲେ । ତେବେ ସେ କେବଳ ଜଣେ ସଙ୍ଗୀତଜ୍ଞ ଭାବରେ ଖ୍ୟାତି ହାସଲ କରିନଥିଲେ, ବରଂ ଜଣେ ଅଭିନେତା ଭାବରେ ମଧ୍ୟ ତିନୋଟି ଫିଲ୍ମରେ ଅଭିନୟର ପରାକାଷ୍ଠା ଦେଖାଇଥିଲେ । ନିଜ ଲେଖାକୁ ସେ ଅତି ସୁନ୍ଦର ଭାବରେ ସ୍ୱର ସଂଯୋଜନା କରିବା ସହ ସେଥିପାଇଁ କଣ୍ଠଦାନ ମଧ୍ୟ କରୁଥିଲେ । ବାସ୍ତବିକ ଏଭଳି ଏକ ବିରଳ ବ୍ୟକ୍ତିତ୍ୱ ଓଡିଆ ସଙ୍ଗୀତ ଜଗତରେ ତାଙ୍କ ପୂର୍ବରୁ କେହି ଥିଲେ ନା ତାଙ୍କ ପରେ କେହି ହୋଇଛନ୍ତି ନା ଭବିଷ୍ୟତରେ ହୋଇପାରିବେ । ଜଣେ ସଫଳ ସଙ୍ଗୀତ ସ୍ରଷ୍ଟା ଭାବରେ ତାଙ୍କର ଯେତିକି ପ୍ରସିଦ୍ଧି ରହିଛି ,ଜଣେ ସୁସାହିତ୍ୟିକ ଭାବରେ ମଧ୍ୟ ତାଙ୍କର ପରଚିତି ରହିଛି । ତାଙ୍କ ଦ୍ୱାରା ରଚିତ ଅନେଶ୍ୱତ ରାଣୀ, ବିଚାରା, ବାଃ ବାଃ ରେ ଆମେରିକା,ଆର୍ଯ୍ୟଦାସର ଆତ୍ମଲିପି,ଆର୍ଯ୍ୟଦାସର ଶେଷଲିପି, ବାମପନ୍ଥୀ, ଅଫେରା ନଦୀ, ଗାୟକ, ଜୟା ନୁହେଁ ଜାୟା, ଗୋଟିଏ କୁହୁ ଏନେକ ଉହୁ ଭଳି ଉପନ୍ୟାସ,ଗଳ୍ପ,କବିତା ସଙ୍କଳନ ତାଙ୍କର ଅନନ୍ୟ ପ୍ରତିଭାର ପରିଚୟ ଦିଏ । ଜୀବନବ୍ୟାପୀ ସଙ୍ଗୀତ ସାଧନା ଏବଂ ସଙ୍ଗୀତ ପ୍ରତି ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ । ଓଡିଆ ସଙ୍ଗୀତ ଜଗତର ସର୍ବଶ୍ରେଷ୍ଠ ସମ୍ମାନ ଜୟଦେବ ପୁରସ୍କାର ସହ ଅନେକ ଥର ସିନେ କ୍ରିଟିକ ପୁରସ୍କାର ହାସଲ କରିଥିଲେ । ଜୀବନକାଳ ମଧ୍ୟରେ ସେ ୭ ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଏବଂ ୨ ଥର ଶ୍ରେଷ୍ଠ ସଙ୍ଗୀତ ନିର୍ଦେଶକ ଭାବେ ପୁରସ୍କୃତ ହୋଇଥିଲେ । ଏହାଛଡା ଅନେକ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା । ୨୦୦୨,ନଭେମ୍ବର ୧୭ ତାରିଖରେ ଓଡିଆ ସଙ୍ଗୀତ ଜଗତ ସେହି ଦୀପ୍ତିମନ୍ତ ପ୍ରତିଭା ଚିରଦିନ ପାଇଁ ପ୍ରଶମିତ ହୋଇଯାଇଥିଲା । ଓଡିଆ ସଙ୍ଗୀତ ଜଗତରେ ଘୋଟି ଯାଇଥିଲା ବିଷାଦର କଳାବାଦଲ ଏବଂ ସୃଷ୍ଟି ହୋଇଥିଲା ଏକ ଅପୂରଣୀୟ ଶୂନ୍ୟତା । ସେହି ଶୂନ୍ୟତା ଏବେ ମଧ୍ୟ ରହିଛି ଏବଂ ଓଡିଆ ସଙ୍ଗୀତର ଚିନ୍ତନ ମାତ୍ରକେ ମନେ ପଡନ୍ତି ସମସ୍ତଙ୍କ ଅତିପ୍ରିୟ ଖୋକା ଭାଇ ଅକ୍ଷୟ ମହାନ୍ତି । ତାଙ୍କର ଜନ୍ମ ଜୟନ୍ତୀରେ ସମାଜଲାଇଭ ଡଟ୍‌ ଇନ୍‌ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।