ଜାପାନକୁ ୫-୧ରେ ହରାଇଲା ଭାରତ

ଏସିଆ କପ୍‌ ହକି ଚମ୍ପିଆନ୍‌ସିପ୍‌

Copy Editor | Published On: Oct 11, 2017 10:21 PM IST |   123

ଢାକା : ଚମତ୍କାର ପ୍ରଦର୍ଶନ ସହ ଭାରତୀୟ ଦଳ ବୁଧବାର ଏଠାରେ ଆରମ୍ଭ ହୋଇଥିବା ପୁରୁଷ ଏସିଆ କପ୍‌ ହକିର ୧୦ମ ସଂସ୍କରଣରେ ଅଭିଯାନ ଆରମ୍ଭ କରିଛି । ଟାଇଟଲ ଫେଭରିଟ୍‌ ଭାରତ ତା’ର ପ୍ରଥମ ଲିଗ୍‌ ମ୍ୟାଚ୍‌ରେ ଜାପାନକୁ ୫-୧ ଗୋଲ୍‌ରେ ପରାସ୍ତ କରିଛି । ମଧ୍ୟାନ୍ତର ସୁଦ୍ଧା ଭାରତ ୨-୧ ଗୋଲ୍‌ରେ ଆଗୁଆ ଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଏହା ଆହୁରି ୩ଟି ଗୋଲ୍‌ ଦେଇଥିଲା । ନୂଆ ପ୍ରଶିକ୍ଷକ ମାରିଏନେ ସୋଏର୍ଡଙ୍କ ଅଧୀନରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ଭାରତ ଏହି ବିପୁଳ ବିଜୟ ହାସଲ କରିଛି । ପୁଲ୍‌ ‘ଏ’ର ଏହି ମ୍ୟାଚ୍‌ରେ ଭାରତ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା । ମ୍ୟାଚ୍‌ର ୩ୟ ମିନିଟରେ ଭାରତ ଆଗୁଆ ହୋଇ ଯାଇଥିଲା । ଦୁଇ ଅଭିଜ୍ଞ ପରୱାର୍ଡ ଏସ୍‌.ଭି. ସୁନୀଲ ଓ ଆକାଶଦୀପ ସିଂହ ପରସ୍ପର ମଧ୍ୟରେ ପାସ୍‌ ବିନିମୟ କରି ଜାପାନ ଡିଫେନ୍‌ସକୁ ଭେଦ କରିଥିବା ବେଳେ ସୁନୀଲ ଏଥିରୁ ଗୋଲ୍‌ ସ୍କୋର୍‌୍‌ କରିଥିଲେ । ତେବେ ପରବର୍ତ୍ତୀ ମିନିଟରେ ଜାପାନ ଗୋଲ୍‌୍‌ ସୁଝାଇ ପାରିଥିଲା । କେଞ୍ଜି କିଟାଜାଟୋ ଏହି ଗୋଲ୍‌ଦେଇ ସ୍କୋର୍‌କୁ ୧-୧ କରିଥିଲେ । ଏହାପରେ ଭାରତ ଆକ୍ରମଣ ଜାରି ରଖିଥିବା ବେଳେ ସୁନୀଲ ୨ଟି ସୁଯୋଗ ହାତଛଡ଼ା କରିଥିଲେ । ୨୧ ମିନିଟରେ ଭାରତ ପ୍ରଥମ ପେନାଲ୍‌ଟି କର୍ଣ୍ଣର ପାଇଥିବା ବେଳେ ହରମନପ୍ରୀତ ସିଂହଙ୍କ ପ୍ରୟାସ ବେକାର ହୋଇଥିଲା । ୨୨ ମିନିଟରେ ମ୍ୟାଚ୍‌ରେ ସବୁଠାରୁ ଦର୍ଶନୀୟ ଗୋଲ୍‌ ଦେଇଥିଲେ ଫରୱାର୍ଡ ଲଳିତ ଉପାଧ୍ୟାୟ । ଗତ ହକି ଇଣ୍ଡିଆ ଲିଗ୍‌ରେ କଳିଙ୍ଗ ଲାନ୍‌ସର୍ସ ପାଇଁ ଚମକ୍ରାର ପ୍ରଦର୍ଶନ କରିଥିବା ଲଳିତ ଏହି ଦର୍ଶନୀୟ ଗୋଲ୍‌ଦେଇ ଭାରତକୁ ୨-୧ରେ ଆଗୁଆ କରିଥିଲେ । ୩୨ ମିନିଟରେ ଭାରତ ୩ୟ ଗୋଲ୍‌ ସ୍କୋର୍‌୍‌ କରିଥିଲା । ଏସ୍‌.ଭି. ସୁନୀଲଙ୍କଠାରୁ ପାସ୍‌ ପାଇ ଜୋର୍‌ଦାର ସଟ୍‌ ମାରି ରମଣଦୀପ ସିଂହ ଏହି ଗୋଲ୍‌ ଦେଇଥିଲେ । ଭାରତ ପାଇଁ ଶେଷ ୨ଟି ଗୋଲ୍‌ ପେନାଲ୍‌ଟି କର୍ଣ୍ଣର ବିଶେଷଜ୍ଞ ହରମନପ୍ରୀତ ସିଂହ ଦେଇଥିଲେ । ୪୦ ମିନିଟରେ ଭାରତକୁ ୨ୟ ପେନାଲ୍‌ଟି କର୍ଣ୍ଣର ମିଳିଥିବା ବେଳେ ହରମନପ୍ରୀତ ଏଥିରୁ ବ୍ୟକ୍ତିଗତ ପ୍ରଥମ ଏବଂ ଦଳ ପାଇଁ ୪ର୍ଥ ଗୋଲ୍‌ ସ୍କୋର୍‌ କରିଥିଲେ । ପରବର୍ତ୍ତୀ ମିନିଟରେ ଆକାଶଦୀପ ଏକ ସହଜ ସୁଯୋଗ ହାତଛଡ଼ା କରିଥିଲେ । ଗୋଲ୍‌ପୋଷ୍ଟର ଅତି ପାଖରୁ ଆକାଶଦୀପ ଗୋଲ୍‌ରକ୍ଷକଙ୍କ ପ୍ୟାଡ୍‌କୁ ସଟ୍‌ ମାରିଥିଲେ । ଭାରତ ପାଇଥିବା ୩ୟ ପେନାଲଟି କର୍ଣ୍ଣରରୁ ହରମନପ୍ରୀତ ୫ମ ଗୋଲ୍‌ ଦେଇଥିଲେ । ମ୍ୟାଚ୍‌ର ଶେଷଆଡ଼କୁ ଜାପାନ ୨ଟି ପେନାଲ୍‌ଟି କର୍ଣ୍ଣର ପାଇଥିବା ବେଳେ ଭାରତୀୟ ଡିଫେଣ୍ଡର ଏହାକୁ ବେକାର କରି ଦେଇଥିଲେ । ଶୁକ୍ରବାର ଆୟୋଜକ ବାଂଲାଦେଶ ବିରୋଧରେ ଭାରତ ୨ୟ ଲିଗ୍‌ ମ୍ୟାଚ୍‌ ଖେଳିବ । ଗ୍ରୁପ୍ ‘ଏ’ରେ ୪ର୍ଥ ଦଳ ହେଉଛି ପାକିସ୍ତାନ ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।