ସିକେ ନାଇଡୁ ଟ୍ରଫି କ୍ରିକେଟ : ମ୍ୟାଚ୍‌ ଅମୀମାଂସିତ

ଛତିଶଗଡ଼କୁ ୩ ଏବଂ ଓଡ଼ିଶାକୁ ୧ ପଏଣ୍ଟ

Copy Editor | Published On: Oct 11, 2017 09:10 PM IST |   49

ବଲାଙ୍ଗିର : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ମ୍ୟାଚ୍‌ ଆଶା ଅନୁସାରେ ବିନା ହାରଜିତ ଫଇସଲାରେ ସମାପ୍ତ ହୋଇଛି । ତେବେ ଘରୋଇ ଓଡ଼ିଶା ପାଇଁ ଏହା ଏକ ଖୁସିର କଥା ଯେ ଦଳର ଦୁଇ ବ୍ୟାଟ୍‌ସମ୍ୟାନ୍‌ ରାଜେଶ ଧୁପର ଓ ଦେବାଶିଷ ସାମନ୍ତରାୟ ଶତକ ହାସଲକରି ଆଗାମୀ ମୁକାବିଲା ପାଇଁ ଫର୍ମ ଫେରି ପାଇଛନ୍ତି । ପ୍ଲେଟ୍‌ ଗ୍ରୁପ୍‌ ‘ବି’ର ଏହି ମ୍ୟାଚ୍‌ରେ ପ୍ରଥମ ଇନିଂସରେ ୧୭୩ ରନ୍‌ ଆଗରେ ରହିବା ପରେ ଘରୋଇ ଓଡ଼ିଶାକୁ ୨ୟ ଇନିଂସରେ ବ୍ୟାଟିଂଦେଇ ଛତିଶଗଡ଼ ଫଳାଫଳର ଆଶା ରଖିଥିଲା । ତେବେ ଓଡ଼ିଶାର ବ୍ୟାଟ୍‌ସମ୍ୟାନ୍‌ ପ୍ରତ୍ୟାକ୍ରମଣ କରି ଛତିଶଗଡ଼କୁ କଡ଼ା ଜବାବ ଦେଇଥିଲେ । ମ୍ୟାଚ୍‌ ସମାପ୍ତି ପାଇଁ ଉଭୟ ଦଳ ରାଜିହେବା ବେଳକୁ ଓଡ଼ିଶା ୨ୟ ଇନିଂସରେ ୩ ୱିକେଟ ହରାଇ ୨୭୨ ରନ୍‌ କରିଥିଲା । ମ୍ୟାଚ୍‌ର ଦେଢ଼ଦିନରୁ ଅଧିକ ସମୟ ବର୍ଷାରେ ଧୋଇଯିବା ଯୋଗୁଁ ମ୍ୟାଚ୍‌ରେ ଫଳାଫଳ ବାହାରି ପାରିନାହିଁ । ତେବେ ପ୍ରଥମ ଇନିଂସରେ ଆଗୁଆ ଥିବାରୁ ଛତିଶଗଡ଼କୁ ୩ ଏବଂ ଓଡ଼ିଶାକୁ ୧ ପଏଣ୍ଟ ମିଳିଛି । ଆସନ୍ତା ୧୫ରୁ ଇନେ୍ଦାରରେ ମଧ୍ୟପ୍ରଦେଶ ବିରୋଧରେ ଓଡ଼ିଶା ୨ୟ ଲିଗ୍‌ ମ୍ୟାଚ୍‌ ଖେଳିବ । ପ୍ରଥମ ଇନିଂସରେ ଓଡ଼ିଶା ମାତ୍ର ୧୧୧ ରନ୍‌ରେ ଅଲ୍‌ଆଉଟ ହୋଇଥିବା ବେଳେ ଛତିଶଗଡ଼ ୭ ୱିକେଟରେ ୨୮୩ ରନ୍‌କରି ପ୍ରଥମ ଇନିଂସ ଘୋଷଣା କରିବାରୁ ୧୭୨ ରନ୍‌ ଆଗରେ ରହିଥିଲା । ୩ୟ ଦିନ ଶେଷରେ ଛତିଶଗଡ଼ ୫ ୱିକେଟ ହରାଇ ୨୪୭ ରନ୍‌ କରିଥିଲା । ବୁଧବାର ୪ର୍ଥ ତଥା ଅନ୍ତିମ ଦିନରେ ଦଳ ଆଉ ୨୬ ରନ୍‌ ଯୋଗକରି ୨ଟି ୱିକେଟ ହରାଇବା ପରେ ଇନିଂସ ଘୋଷଣା କରିଥିଲା । ପରେ ଓଡ଼ିଶା ଦୃଢ଼ତାର ସହ ଇନିଂସ ଆରମ୍ଭ କରିଥିଲା । ଓପ୍‌ନିଂ ଯୋଡ଼ି ୯୯ ରନ୍‌ କରିଥିଲେ । ଓପ୍‌ନର ଅବିନାଶ ନାୟକ ୩୦ ରନ୍‌କରି ଆଉଟ ହୋଇଥିଲେ । ପରେ ରାଜେଶ ଧୁପର ଓ ଦେବାଶିଷ ସାମନ୍ତରାୟ ୨ୟ ୱିକେଟ ପାଇଁ ୧୦୬ ରନ୍‌ ଯୋଡ଼ିଥିଲେ । ୨ ବର୍ଷ ତଳେ ରଣଜୀ ଖେଳିଥିବା ଧୁପର ୨୨୬ ବଲ୍‌ରୁ ୩ଟି ଛକା ଓ ୧୫ଟି ଚୌକା ସହ ୧୨୩ ରନ୍‌କରି ଆଉଟ ହୋଇଥିଲେ । ଦେବାଶିଷ ଆକ୍ରମଣାତ୍ମକ ବ୍ୟାଟିଂକରି ୧୧୦ ବଲ୍‌ରୁ ୫ଟି ଛକା ଓ ୮ଟି ଚୌକା ସହ ୧୦୬ ରନ୍‌କରି ଅପରାଜିତ ରହିଥିଲେ । ଅଧିନାୟକ ଦେବେନ୍ଦ୍ର କୁଅଁର ବିନା ସ୍କୋର୍‌ରେ ୩ୟ ବ୍ୟାଟ୍‌ସମ୍ୟାନ୍‌ ଭାବେ ଆଉଟ ହୋଇ ଯାଇଥିଲେ । ପ୍ରଥମ ଇନିଂସରେ ୬ଟି ୱିକେଟ ନେଇଥିବା ଅଜୟ ମଣ୍ଡଳ ୨ଟି ୱିକେଟ ପାଇଥିଲେ । ଧୁପର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ ।
Tags:

Like Us

Breaking News

ପ୍ରଥମ ଏକ ଦିବସୀୟ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଲା ଭାରତ ଭାରତ ଏସିଆ କପ ହକି ଚାମ୍ପିୟନ, ଫାଇନାଲରେ ମାଲେସିଆକୁ ହରାଇଲା କଟକ: ୬୦୦ ଦେଶୀ ମଦ ବୋତଲ ଉଦ୍ଧାର, ୪ ଗିରଫ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ ଫୁଟବଲ, ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କଲା ମାଲି , କ୍ୱାର୍ଟରଫାଇନାଲରେ ମାଲି ୨-୧ରେ ଘାନାକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ।