ଅମିତାଭ @୭୫ ନଟ୍‌ଆଉଟ

ଅମିତାଭ @୭୫ ନଟ୍‌ଆଉଟ

Copy Editor RKD | Published On: Oct 11, 2017 12:31 AM IST | Updated On: Oct 11, 2017 09:59 AM IST |   1165

କଟକ : ଗୁରୁ ଗମ୍ଭୀର ସ୍ୱର ଏବଂ ଅନ୍ୟକୁ ପ୍ରଭାବିତ କରୁଥିବା ଭଳି ବ୍ୟକ୍ତିତ୍ୱର କଥା ପଡିଲେ ସ୍ୱତଃ ମନକୁ ଚାଲିଆସେ ଗୋଟିଏ ଛବି । ସେ ହେଉଛନ୍ତି ଭାରତୀୟ ସିନେ ଜଗତର ମହାନାୟକ ପଦ୍ମବିଭୂଷଣ ଅମିତାଭ ବଚ୍ଚନ । କେବଳ ସ୍ୱର ନୁହେଁ ବରଂ ତାଙ୍କର ଅଭିନୟର ପରାକାଷ୍ଠା ମଧ୍ୟ ପ୍ରଭାବିତ କରେ ଭାରତୀୟଙ୍କୁ । ତେବେ କେବଳ କଳା ଓ ଅଭିନୟ କ୍ଷେତ୍ରରେ ନୁହେଁ, ନିଜର ଶାନ୍ତ ଅମାୟିକ ଭଦ୍ର ବ୍ୟବହାର ଏବଂ ସମାଜ ସେବା ପାଇଁ ମଧ୍ୟ ସେ କୋଟି କୋଟି ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଜୀବନର ଅନେକ ଉତ୍‌ଥାନ-ପତନ ବାଧାବିଘ୍ନ ଝଡଝଞ୍ଜାର ସାମ୍ନା କରି ଆଜି ସେ ନିଜକୁ ସଫଳ ବୋଲି ପ୍ରମାଣିତ କରିଛନ୍ତି । ଜୀବନର ୭୪ଟି ବସନ୍ତ ଅତିକ୍ରମ କରି ସେ ୭୫ ବର୍ଷରେ ଉପନୀତ ହୋଇଛନ୍ତି । ତଥାପି ତାଙ୍କ ପାଖରେ ଥିବା ଉତ୍ସାହ ଏବଂ କାର୍ଯ୍ୟ ଏବଂ ଜୀବନ ପ୍ରତି ସମର୍ପଣ ଭାବ ଅନେକଙ୍କୁ ଆଜି ମଧ୍ୟ ପ୍ରେରଣା ଯୋଗଏ । ଦେଶର ସାମ୍ପ୍ରତିକ ପରିସ୍ଥିତିକୁ ହୃଦୟଙ୍ଗମ କରିବା ପରେ ସେ ଚଳିତ ବର୍ଷ ତାଙ୍କର ଜନ୍ମଦିନ କିମ୍ବା ଦୀପାବଳୀକୁ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ତଥାପି ସେହି ମହାନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିବା ସହ ତାଙ୍କ ଚଲାପଥ ସର୍ବଦା କୁସୁମିତ ହେଉ ଏହା ହିଁ ତାଙ୍କ ଜନ୍ମଦିନରେ ଭଗବାନଙ୍କୁ ନିବେଦନ । ୧୯୪୨ ମସିହା,ଅକ୍ଟୋବର ୧୧ ତାରିଖରେ ପ୍ରଖ୍ୟାତ କବି ହରିବଂଶ ରାୟ ବଚ୍ଚନ ଏବଂ ତେଜି ବଚ୍ଚନଙ୍କ କୋଳମଣ୍ଡନ କରିଥିଲେ ଅମିତାଭ । ଅମିତାଭଙ୍କ ବାଲ୍ୟ ନାମ ‘ଇନକିଲାବ’ ଥିଲା ଏବଂ ସାଙ୍ଗିଆ ‘ଶ୍ରୀବାସ୍ତବ’ ଥିଲା । ସେହି ସମୟରେ ‘ଇନକିଲାବ-ଜିନ୍ଦାବାଦ’ ସ୍ଲୋଗାନରେ ପ୍ରଭାବିତ ହୋଇ ହରିବଂଶ ରାୟ ବଚ୍ଚନ ଅମିତାଭଙ୍କ ନାମ ଇନକିଲାବ ରଖିଥିଲେ । ଏହାପରେ ଅନ୍ୟତମ କବି ସୁମିତ୍ରାନନ୍ଦନ ପନ୍ଥଙ୍କ ପରାମର୍ଶ କ୍ରମେ ହରିବଂଶରାୟ ତାଙ୍କ ପୁଅଙ୍କ ନାମ ‘ଅମିତାଭ’ ରଖିଥିଲେ । ଏହାସହ ହରିବଂଶ ରାୟ ତାଙ୍କ ସାଙ୍ଗିଆକୁ ମଧ୍ୟ ବଦଳାଇ ବଚ୍ଚନ କରିଥିଲେ ଯାହାର ଅର୍ଥ ବାଲ୍ୟ-ସୁଲଭ । ଏଭଳି ଭାବରେ ‘ଇନକିଲାବ ଶ୍ରୀବାସ୍ତବ’ଙ୍କ ନାମ ପରବର୍ତ୍ତୀ ସମୟରେ ‘ଅମିତାଭ ବଚ୍ଚନ’ ହୋଇଥିଲା । ଅମିତାଭ ତାଙ୍କ ପ୍ରାଥମିକ ଶିକ୍ଷା ପରେ ନୈନିତାଲର ଶେରୱୁଡ କଲେଜ ଏବଂ ପରେ ଦିଲ୍ଲୀର କିରୋରିମଲ କଲେଜରୁ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇଥିଲେ । ଅଭିନୟ ପ୍ରତି ତାଙ୍କର ସେତେଟା ରୁଚି ନଥିଲେ ମଧ୍ୟ ମା’ ତେଜି ବଚ୍ଚନଙ୍କ କିଛିଟା ପ୍ରଭାବ ତାଙ୍କ ଉପରେ ପଡିଥିଲା । ଶୁଣିବାକୁ ମିଳେ ପ୍ରଥମେ ସେ ବେତାର ଉଦଘୋଷକ ହେବାକୁ ଯାଇଥିଲେ ମଧ୍ୟ ତାଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ନୁହେଁ ବୋଲି ତାଙ୍କୁ ଫେରାଇ ଦିଆଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ସେହି କଣ୍ଠସ୍ୱର ହିଁ ତାଙ୍କୁ ଏକ ଅନନ୍ୟ ପରିଚୟ ଦେଇଥିଲା । ୧୯୬୯ରେ ମୃଣାଳ ସେନଙ୍କ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ଭୁବନ ସୋମେ’ ପାଇଁ ଅମିତାଭ ପ୍ରଚ୍ଛଦପଟ୍ଟ ସ୍ୱର ଦେଇଥିଲେ । ଏହାପରେ ସେହି ବର୍ଷ ହିଁ ତାଙ୍କ ଚଳଚ୍ଚିତ୍ର ଜୀବନ ଆରମ୍ଭ ହୋଇଥିଲା ଏବଂ ‘ସାତ ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ରରେ ସେ ପ୍ରଥମେ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହାପରେ ସେ ଆନନ୍ଦ, ପରୱାନା, ରେଶମା ଔର ଶେରା, ଗୁଡ୍ଡି, ବମ୍ବେ ଟୁ ଗୋଆ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଆନନ୍ଦ ପାଇଁ ସେ ଫିଲ୍ମଫେୟାର ସର୍ବଶ୍ରେଷ୍ଠ ସହ କଳାକାର ପୁରସ୍କାର ହାସଲ କରିଥିଲେ ମଧ୍ୟ ତାଙ୍କୁ ପ୍ରସିଦ୍ଧି ଦେଇଥିଲା ୧୯୭୩ରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ର ଜଞ୍ଜିର । ଏହି ଚଳଚ୍ଚିତ୍ରରେ ତାଙ୍କର ‘ଆଙ୍ଗ୍‌ରି ୟଙ୍ଗମ୍ୟାନ’ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା ଏବଂ ସେହିଠାରୁ ଆରମ୍ଭ ହୋଇଥିଲା ଏକ ନୂଆ ଷ୍ଟାରଡମ୍‌ର ଯୁଗ । ଏହାପରେ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ତାଙ୍କର ଅଭିନୟର ପରାକାଷ୍ଠା ଦେଖାଇଥିଲେ । ଭିନ୍ନ ଭିନ୍ନ ଭୂମିକା ଏବଂ ଚରିତ୍ରରେ ତାଙ୍କ ନିଖୁଣ ଅଭିନୟ ପେରି ଦର୍ଶକଙ୍କୁ ପାଗଳ କରି ଦେଉଥିଲା । ତେବେ ୧୯୮୨ରେ ‘କୁଲି’ ଫିଲ୍ମ ପାଇଁ ଏକ ଫାଇଟ ଦୃଶ୍ୟ ସୁଟିଂ କରୁଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଏପରିକି ତାଙ୍କ ଜୀବନ ପ୍ରତି ମଧ୍ୟ ତାହା ବିପଦପୂର୍ଣ୍ଣ ହୋଇପଡିଥିଲା । ସେହି ସମୟରେ ଡାକ୍ତରଖାନା ଆଗରେ ଦିନ ଦିନ ଧରି ତାଙ୍କ ପ୍ରଶଂସକ ଅପେକ୍ଷା କରି ରହିଥିଲେ । ଅନେକ ପ୍ରଶଂସକ ତାଙ୍କ ରକ୍ତ ଦେଇ ଅମିତାଭଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । କୋଟି କୋଟି ପ୍ରଶଂସକଙ୍କ ଗୁହାରୀ ଭଗବାନ ଶୁଣିଥିଲେ ଏବଂ ଅମିତାଭ ସୁସ୍ଥ ହୋଇଥିଲେ । ଏହାପରେ ସେ ଯେମିତି କିଛି ସମୟ ପାଇଁ ଚଳଚ୍ଚିତ୍ରରୁ ଅବ୍ୟାହତି ନେଇଥିଲେ । ୧୯୮୪ରେ ଅମିତାଭଙ୍କ ବନ୍ଧୁ ତକ୍ରାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅନୁରୋଧ କ୍ରମେ ସେ ରାଜନୀତିରେ ପାଦ ଦେଇଥିଲେ । ଆହ୍ଲାବାଦ ଲୋକସଭା ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ । ଏହାପରେ ଅନ୍ୟତମ ବନ୍ଧୁ ଅମର ସିଂହଙ୍କ ସହ ରାଜନୀତିରେ ସାମିଲ ହୋଇଥିଲେ ଏବଂ ସମାଜବାଦୀ ପାର୍ଟିର ଯୋଗ ଦେଇଥିଲେ । ଏହାପରେ ସେ ୧୯୮୮ରେ ପୁଣି ଚଳଚ୍ଚିତ୍ରକୁ ଫେରିଥିଲେ ଏବଂ ‘ଶେହେନଶାହ’ ଭଳି ସଫଳ ଫିଲ୍ମରେ ଅଭିନୟ କରିଥିଲେ । ଏହି ସମୟରେ ମଧ୍ୟ ସେ ହମ୍‌, ଅଗ୍ନିପଥ, ଖୁଦା ଗୱାହ,ବ୍ଲାକ୍‌,ପାପା,ପିକୁ ଭଳି ଅନେକ ସଫଳ ଫିଲ୍ମରେ ଅଭିନୟ କରିଥିଲେ ଏବଂ ପୁରସ୍କାର ମଧ୍ୟ ହାସଲ କରିଥିଲେ । ୧୯୯୬ରେ ଅମିତାଭ ନିଜର କମ୍ପାନୀ ଏବିସିଏଲ(ଅମିତାଭ ବଚ୍ଚନ କର୍ପୋରେସନ ଲିମିଟେଡ) ଆରମ୍ଭ କରିଥିଲେ ମଧ୍ୟ ତାହା ସେତେଟା ସଫଳ ହୋଇନଥିଲା ଏବଂ ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ । କହିବାକୁ ଗଲେ ୧୯୯୬-୧୯୯୯ ପର୍ଯ୍ୟନ୍ତ ଅମିତାଭ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହାପରେ ସେ ୨୦୦୦ ବେଳକୁ ଏକ ଭିନ୍ନ ରୂପରେ ସେ ଅଭିନୟ ଜଗତକୁ ଫେରିଥିଲେ ଏବଂ ତାଙ୍କ ସେହି ସଫଳ ଯାତ୍ରା ଏବେମଧ୍ୟ ଜାରି ରହିଛି । ଏପରିକି ସେ ୨୦୧୩ରେ ପ୍ରଥମଥର ପାଇଁ ହଲିଉଡ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ୨୦୦୦ ମସିହାରେ ସେ ଟେଲିଭିଜନର ଅନ୍ୟତମ ସଫଳ କାର୍ଯ୍ୟକ୍ରମ ‘କୌନ ବନେଗା କରୋଡପତି’ର ସଂଚାଳକ ରୂପରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କର ଗମ୍ଭୀର କଣ୍ଠସ୍ୱର ଏବଂ ନିଆରା ଶୈଳୀ ପାଇଁ ତାହା ଏକ ସଫଳତମ କାର୍ଯ୍ୟକ୍ରମ ହୋଇପାରିଛି ଏବଂ ଏବେମଧ୍ୟ ତାର ଦଶମ ସଂସ୍କରଣରେ ଅମିତାଭ ହିଁ ତାର ସଂଚାଳକ ରହିଛନ୍ତି । ଅଭିନୟ କ୍ଷେତ୍ରରେ ଅମିତାଭଙ୍କ ସଫଳତା ଏବଂ ଅବଦାନକୁ ଉପଲବ୍ଧ କରି ତାଙ୍କୁ ଅନେକ ପୁରସ୍କାର ଏବଂ ସମ୍ମାନ ମଧ୍ୟ ଦିଆଯାଇଛି । ଅମିତାଭଙ୍କୁ ୧୯୮୪ରେ ‘ପଦ୍ମଶ୍ରୀ’, ୨୦୦୧ରେ ‘ପଦ୍ମଭୂଷଣ’ ଏବଂ ୨୦୧୫ରେ ‘ପଦ୍ମବିଭୂଷଣ’ ସମ୍ମାନରେ ସମ୍ମାନିତ କରାଯାଇଛି । ଏହାଛଡା ଫ୍ରାନ୍ସ ସରକାର ଅମିତାଭଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ସହ ସମ୍ମାନସୂଚକ ନାଗରିକତ୍ୱ ମଧ୍ୟ ପ୍ରଦାନ କରିଛନ୍ତି । ଏହାଛଡା ଇଂଲଣ୍ଡର ମ୍ୟାଡମ ଟୁ୍ୟସେଡଙ୍କ ମହମ ସଂଗ୍ରହାଳୟରେ ପ୍ରଥମ ଜୀବନ୍ତ ଏସୀୟ ଭାବେ ୨୦୦୦ରେ ଅମିତାଭଙ୍କ ପ୍ରତିମୂର୍ତ୍ତି ସ୍ଥାନ ପାଇଥିଲା । ଏହାଛଡା ଏପର୍ଯ୍ୟନ୍ତ ଅମିତାଭ ଶ୍ରେଷ୍ଠ ଅଭିନେତା ଭାବରେ ୪ ଥର ଜାତୀୟ ପୁରସ୍କାର,୧୫ଥର ଫିଲ୍ମ ଫେୟାର ପୁରସ୍କାର ହାସଲ କରିଛନ୍ତି । ସେହିଭଳି ୧୯୯୧ରେ ‘ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’, ୨୦୦୦ରେ ‘ସୁପରଷ୍ଟାର ଅଫ ଦି ମିଲେନିୟମ’ ପୁରସ୍କାର ହାସଲ କରିଛନ୍ତି । ଏହାଛଡା ଅନେକ ବିଶ୍ୱବିଦ୍ୟାାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ସମ୍ମାନ ମଧ୍ୟ ପ୍ରଦାନ କରିଥିବା ବେଳେ ସେ ଅନେକ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ହାସଲ କରିଛନ୍ତି । ୧୯୭୩ ସେ ଅଭିନେତ୍ରୀ ଜୟା ଭାଦୁଡିଙ୍କୁ ବିବାହ କରିଥିଲେ । ତାଙ୍କର ଝିଅ ଶ୍ୱେତା ଏବେ ବିବାହ କରି ସାରିଥିବା ବେଳେ ପୁଅ ଅଭିଷେକ ବଚ୍ଚନ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି । ଅମିତାଭଙ୍କ ଲୋକପ୍ରିୟତାର ପ୍ରମାଣ ଏଥିରୁ ମଧ୍ୟ ମିଳେ ଯେ,କଲକାତାରେ ଏକ ମନ୍ଦିର ରହିଛି ଯେଉଁଠାରେ କି ଅମିତାଭଙ୍କ ପ୍ରତିମୂର୍ତ୍ତିକୁ ପୂଜା କରାଯାଏ । କେବଳ ଅଭିନୟ କ୍ଷେତ୍ରରେ ଅମିତାଭ ସକ୍ରିୟ ନୁହନ୍ତି,ବରଂ ସମାଜସେବା ଅନ୍ୟ ଅନ୍ୟମାନଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ମଧ୍ୟ ସେ ସବୁବେଳେ ତତ୍ପର ଥାନ୍ତି । ଆନ୍ଧ୍ରପ୍ରଦେଶ, ବରୋଦା ଏବଂ ଦେଶର ଅନ୍ୟ ଅଞ୍ଚଳରେ ଚାଷୀଙ୍କୁ ସେ ଆର୍ଥିକ ସାହାଯ୍ୟ କରଛନ୍ତି । ଦିଲ୍ଲୀରେ ଏକ ଘଟଣାରେ ମୃତାହତ ହୋଇଥିବା କନଷ୍ଟେବଳ ସୁଭାଷଚାନ୍ଦ ତୋମରଙ୍କ ପରିବାରକୁ ମଧ୍ୟ ସେ ଆର୍ଥିକ ସାହାଯ୍ୟ କରିଥିଲେ । ଏହାଛଡା ତାଙ୍କ ଦ୍ୱାରା ପ୍ରତିଷ୍ଠିତ ହରିବଂଶରାୟ ବଚ୍ଚନ ଟ୍ରଷ୍ଟ ଓ ଅନେକ ସଂସ୍ଥା ଓ ଅନୁଷ୍ଠାନ ଜରିଆରେ ମଧ୍ୟ ସେ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଆସୁଛନ୍ତି । ଏଭଳି ଏକ ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମଦିନରେ ସମାଜ ଲାଇଭ ଡଟ୍‌ ଇନ୍‌ର ଅନେକ ଅନେକ ଶୁଭକାମନା ।
Tags:

Like Us

Breaking News

ଭୁବନେଶ୍ୱର : ଆଇଏଏସ ସ୍ତରରେ ଅଦଳବଦଳ, ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବଦଳି ହିମାଚଳରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହାରିଲେ ମୋଦିଙ୍କ ଟ୍ୱିଟ ‘ଜିତିଲା ବିକାଶ, ଜିତିଲା ଗୁଜୁରାଟ’ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଶ୍ରୀଲଙ୍କା କ୍ରିକେଟ ଦଳ