ଦ୍ୱିତୀୟ ଟି-୨୦ରେ ହାରିଲା ଭାରତ

ଦ୍ୱିତୀୟ ଟି-୨୦ରେ ଭାରତ ହାରିଲା

Copy Editor RKD | Published On: Oct 10, 2017 10:35 PM IST | Updated On: Oct 10, 2017 10:43 PM IST |   626

ଗୁଆହାଟୀ : ବାମହାତି ଫାଷ୍ଟବୋଲର ଜେସନ୍‌ ବେହେରେନ୍‌ଡର୍ଫଙ୍କ ଘାତକ ବୋଲିଂ ବଳରେ ମଙ୍ଗଳବାର ୨ୟ ଟ୍ୱେଣ୍ଟି୨୦ ମ୍ୟାଚ୍‌ରେ ଭାରତକୁ ୮ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ବେହେରେନ୍‌ଡର୍ଫ ଘରୋଇ ଦଳର ପ୍ରଥମ ୪ଟି ୱିକେଟ ନେବାରୁ ଭାରତ ଶେଷ ବଲ୍‌ରେ ୧୧୮ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା । ପରେ ଅଷ୍ଟ୍ରେଲିଆ ୧୩ ରନ୍‌ରେ ୨ଟି ୱିକେଟ ହରାଇଥିଲେ ହେଁ ଟ୍ରାଭିସ୍‌ ହେଡ୍‌ ଓ ମୋଇଜେସ୍‌ ହେନ୍‌ରିକ୍‌ସ ଅବିଭାଜିତ ୩ୟ ୱିକେଟ ପାଇଁ ୧୦୯ ରନ୍‌ର ଭାଗିଦାରୀ କରି ଅଷ୍ଟ୍ରେଲିଆକୁ ଜିତାଇଥିଲେ । ୧୫.୩ ଓଭରରେ ୨ ୱିକେଟ ହରାଇ ଅଷ୍ଟ୍ରେଲିଆ ମ୍ୟାଚ୍‌ ଜିତି ନେଇଥିଲା । ଏହି ବିଜୟ ସହ ୩ ମ୍ୟାଚ୍‌ର ଟ୍ୱେଣ୍ଟି୨୦ ସିରିଜ୍‌ ଏବେ ୨-୨ ସ୍ଥିତିରେ ପହଞ୍ଚିଯାଇଛି । ଶୁକ୍ରବାର ୩ୟ ତଥା ନିର୍ଣ୍ଣାୟକ ଟି୨୦ ମ୍ୟାଚ୍‌ ଖେଳାଯିବ । ଭାରତ ପାଇଁ ଅଷ୍ଟ୍ରେଲିଆ ମଧ୍ୟ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା । ୩ ଓଭର ମଧ୍ୟରେ ଉଭୟ ଓପ୍‌ନର ଆଉଟ ହୋଇ ଯାଇଥିଲେ । ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୨ ରନ୍‌କରି ଯଶପ୍ରୀତ୍‌ ବୁମ୍‌ରାଙ୍କ ଶିକାର ହୋଇଥିଲେ । ପରେ ସିରିଜ୍‌ ପ୍ରଥମଥର ବିଫଳ ହୋଇ ଆରୋନ୍‌ ଫିଞ୍ଚ୍‌ ୮ ରନ୍‌କରି ବିଦାୟ ନେଇଥିଲେ । ୧୩ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ମୋଇଜେସ୍‌ ହେନ୍‌ରିକ୍‌ସ ଓ ଟ୍ରାଭିସ୍‌ ହେଡ୍‌ ଚମକ୍ରାର ଭାଗିଦାରୀ କରିଥିଲେ ଏବଂ ଦୃଢ଼ତାର ସହ ବ୍ୟାଟିଂକରି ଦଳକୁ ବିଜୟ ଆଡ଼କୁ ନେଇ ଯାଇଥିଲେ । ହେଡ୍‌ ୩୪ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୪୮ ରନ୍‌ ଏବଂ ହେନ୍‌ରିକ୍‌ସ ୪୬ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୨ ରନ୍‌କରି ଅପରାଜିତ ଥିଲେ । ଜୀବନର ୨ୟ ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳିଥିବା ବାମହାତି ଫାଷ୍ଟବୋଲର ଜେସନ୍‌ ବେହେରେନ୍‌ଡର୍ଫ ନୂଆବଲ୍‌ରେ ଚମକ୍ରାର ବୋଲିଂକରି ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଭାରତର ପ୍ରଥମ ୪ଟି ୱିକେଟ ବେହେରେନ୍‌ଡର୍ଫ ହିଁ ନେଇଥିଲେ । ଅଷ୍ଟ୍ରେଲିଆ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା (୮), ଅଧିନାୟକ ବିରାଟ କୋହଲି (୦), ମନୀଷ ପାଣ୍ଡେ (୬), ଶିଖର ଧାୱନ (୨), ମହେନ୍ଦ୍ର ସିଂହ ଧୋନି (୧୩), କେଦାର ଯାଦବ (୨୭), ଭୁବନେଶ୍ୱର କୁମାର (୧), ହାର୍ଦିକ ପାଣ୍ଡ୍ୟାଙ୍କ (୨୫), କୁଲଦୀପ ଯାଦବ (୧୬) ରନ୍‌ କରିଥିଲେ । ଜେସନ୍‌ ବେହେରେନ୍‌ଡର୍ଫ ୨୧ ରନ୍‌ ଦେଇ ୪ଟି ଓ ଆଡାମ୍‌ ଜାମ୍ପା ୨ଟି ୱିକେଟ ନେଇଥିଲେ ।

Tags:

Like Us

Breaking News

ଧନୁ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି କୋଇଲା ଦୁର୍ନୀତି ଅଭିଯୋଗରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୪ ଜଣଙ୍କୁ କାରାଦଣ୍ଡାଦେଶ ଭୁବନେଶ୍ବର: ୧୭ତମ ଫେଡେରସନ୍ କପ୍ କରାଟେ ପ୍ରତିଯୋଗୀତା ଆରମ୍ଭ ଅନୁଗୁଳ: ଖମାର ରେଞ୍ଜ ନିକଟବର୍ତ୍ତି ଅଞ୍ଚଳରେ ହାତୀ ଆକ୍ରମଣରେ ମହିଳା ମୃତ