ଏମସିଏକ୍ସ ସିଟି ଠକେଇ ଘଟଣା: ୨ ଦିନିଆ ରିମାଣ୍ଡରେ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟ

ସମ୍ବଲପୁର: ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସମ୍ବଲପୁରର ଏମସିଏକ୍ସ ସିଟି ସଂସ୍ଥା ଦ୍ୱାରା କରାଯାଇଥିବା ୧ ହଜାର କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଆଚାର୍ଯ୍ୟକୁ ପୁଲିସ ୨ ଦିନିଆ ରିମାଣ୍ଡରେ ଆଣିଛି । ଘଟଣାରେ ଅଧିକ ତଦନ୍ତ, ଟଙ୍କା ଆଦାୟ ଓ ବିନିଯୋଗ ଆଦି ବିଭିନ୍ନ ବିଷୟ ସମ୍ପର୍କରେ ଯାଞ୍ଚ ପାଇଁ ପୁଲିସ ଅଦାଲତଙ୍କ ନିକଟରେ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ଅଦାଲତ ଅଭିଯୁକ୍ତକୁ ୨ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଅନୁମତି ପ୍ରଦାନ କରିଥିବାରୁ ମଙ୍ଗଳବାର ସକାଳ ୧୧ଟାରେ ତାକୁ ଅଣାଯାଇ ପୁଲିସ ପଚରାଉଚୁରା କରୁଛି। ଏଥି ସହ ବୁଧବାର ଅପରାହ୍ନରେ ପୁଲିସ ଅଭିଯୁକ୍ତକୁ ନେଇ କୁଲୁଥକାନୀସ୍ଥିତ କାର୍ଯ୍ୟାଳୟ ଓ ବାସଭବନରେ ବ୍ୟାପକ ଖାନତଲାସି କରି ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର, ହାର୍ଡ ଡିସ୍କ, ପ୍ରିଣ୍ଟର ଆଦି ସାମଗ୍ରୀ ଜବତ କରିଛି। ଅଭିଯୁକ୍ତର କାର୍ଯ୍ୟାଳୟକୁ ମାଜିଷ୍ଟ୍ରେଟ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଜଉମୁଦ କରି ସିଲ କରି ଦିଆଯାଇଛି। ପୁଲିସର ରିମାଣ୍ଡ ଗୁରୁବାର ଦିନ ୧୧ଟାରେ ଶେଷ ହେବାକୁ ଥିବାରୁ ତାକୁ କାଲି ଜେଲ ହାଜତକୁ ପଠାଇ ଦିଆଯିବ ବୋଲି ଧନୁପାଲି ପୁଲିସ ପକ୍ଷରୁ ସୁଚନା ମିଳିଛି । ସୁଚନାଯୋଗ୍ୟ, ଏମସିଏକ୍ସ ସିଟି ନାମକ ସଂସ୍ଥା ଜମାକାରୀମାନଙ୍କୁ ମାସିକ ୩ରୁ ୭ ପ୍ରତିଶତ ସୁଧ ଦେବାର ପ୍ରତିଶ୍ରୁତି ଦେଇ ୧ ହଜାର କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଠକେଇ କରିଛି । ଗତ ଫେବୃଆରୀ ୧୬ରେ ଠକେଇର ଶିକାର ହୋଇଥିବା ଜମାକାରୀମାନେ ଅଭିଯୋଗ କରିଥିବା ବେଳେ ଏହାର ୨ ଦିନ ପରେ ଧନୁପାଲି ପୁଲିସ ବିଭିନ୍ନ ମହଲରୁ ଚାପ ପଡିବା ପରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ଗତ ଫେବୃଆରୀ ୨୫ରେ ସଂସ୍ଥାର ମୁଖ୍ୟ ସନ୍ତୋଷ ଆଚାର୍ଯ୍ୟକୁ ଗିରଫ କରାଯାଇଥିଲା।
Comments are closed.