ଗେଣ୍ଡୁଫୁଲ ଚାଷ କରି ଆତ୍ମନିର୍ଭରଶୀଳ ହେଉଛନ୍ତି ଚାଷୀ

ସମ୍ବଲପୁର: ବର୍ତ୍ତମାନ ସମୟରେ ବିଭିନ୍ନ ବିଷୟକୁ ନେଇ ରାଜ୍ୟର ବିଭିନ୍ନ ମନ୍ଦିର, ପର୍ଯ୍ୟଟନସ୍ଥଳୀ ସହିତ କଳାକୃତି ଆଦି ସହିତ ଜଡିତ ଗ୍ରାମ ଗୁଡିକ ଚର୍ଚ୍ଚାରେ ରହିବା ସହିତ ପ୍ରସିଦ୍ଧି ପାଉଥିବା ବେଳେ ସମ୍ବଲପୁର ଜିଲାର ଯୁଯୁମୁରା ବ୍ଲକ ଅନ୍ତର୍ଗ ସନାତନପାଲି ଗ୍ରାମ ଏବେ ଗେଣ୍ଡୁ ଫୁଲ ଚାଷ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି। ଏହି ଗ୍ରାମର ଚାଷୀ ମାନେ ସେମାନଙ୍କର ଚାଷ ଜମି ଗୁଡିକରେ ଗେଣ୍ଡୁ ଫୁଲ ଚାଷ କରି ଲାଭବାନ ହେବା ସହିତ ଖ୍ୟାତି ମଧ୍ୟ ଅର୍ଜନ କରୁଛନ୍ତି। ଗତ ୨୦୦୨ ମସିହାରେ ସନତାତନପାଲି ଗ୍ରାମର ଚାଷୀ ନିରାକାର ପ୍ରଧାନ ପାରମ୍ପରିକ ଚାଷ ଅପେକ୍ଷା କିଛି ନୂଆ କରିବା ଉଦ୍ଦେଶ୍ୟ ନେଇ ପ୍ରଥମେ ନିଜର ୨୫ ଡିସିମିଲ ଚାଷ ଜମିରେ ଗେଣ୍ଡୁ ଫୁଲ ଚାଷ ଆରମ୍ଭ କରିଥିଲେ। ପ୍ରଥମ ବର୍ଷରୁ ହିଁ ତାଙ୍କର ଭଲ ପରିମାଣରେ ଫୁଲ ଚାଷ ଏବଂ ରୋଜଗାର ହେବାରୁ ସେ ଏହାକୁ ଆଗକୁ ନେଇଥିଲେ। ଏହା ପରେ ଗ୍ରାମର ଅନେକ ଚାଷୀ ସେମାନଙ୍କର ଚାଷ ଜମିରେ ବ୍ୟାପକ ଭାବରେ ଗେଣ୍ଡୁ ଫୁଲ ଚାଷ କରି ଆସୁଛନ୍ତି। ପୁର୍ବରୁ ଚାଷୀ ମାନେ ଧାନ, ପନିପରିବା ଚାଷ ଆଦି କରୁଥିଲେ। ଧାନ ଚାଷରେ ଏକର ପିଛା ପ୍ରାୟ ୧୫ ହଜାର ଟଙ୍କା ମିଳୁଥିବା ବେଳେ ଗେଣ୍ଡୁ ଫୁଲ ଚାଷ କରିଲେ ପ୍ରାୟ ୬ ମାସରେ ପ୍ରାୟ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳୁଥିବାରୁ ଚାଷୀ ମାନେ ଏଥି ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ସମୟରେ ୨୦ ଏକରରୁ ଊର୍ଦ୍ଧ୍ବ ଚାଷ ଜମି ଗୁଡିକରେ ଚାଷୀ ମାନେ ଗେଣ୍ଡୁଫୁଲ ଚାଷ କରି ଆତ୍ମନିର୍ଭରଶୀଳ ହୋଇ ନୂତନ ପରିଚୟ ସୃଷ୍ଟି କରିଛନ୍ତି।
ପଶ୍ଚିମ ଓଡ଼ିଶାରେ ଧାନ ଓ ପନିପରିବା ଚାଷ ମୁଖ୍ୟ ହୋଇଥିବା ବେଳେ ଏଥିରେ ପରିଶ୍ରମ ମଧ୍ୟ ଅଧିକ ହୋଇଥାଏ। ତେବେ ଗେଣ୍ଡୁ ଫୁଲ ଚାଷ ପାଇଁ କମ ପରିଶ୍ରମ ସହିତ ଅଧିକ ଲାଭ ମିଳୁଥିବାରୁ ଗ୍ରାମର ଚାଷୀ ମାନେ ଏହାକୁ ଏବେ ଅଧିକ ପସନ୍ଦ କରୁଛନ୍ତି। ଏଥି ପାଇଁ ସନାତନପାଲି ଗ୍ରାମରେ ଚାଷୀ ମାନଙ୍କୁ ନେଇ ସବୁଜ ସନାତନପାଲି କୃଷକ ଉତ୍ପାଦନ କମ୍ପାନୀ ପ୍ରାଇଭେଟ ଲିମିଟେଡ ଖୋଲା ଯାଇ ଚାଷୀ ମାନଙ୍କୁ ଫୁଲ ଚାଷ ପାଇଁ ଅଧିକ ତାଲିମ ସହିତ ପ୍ରଶିକ୍ଷଣ ଦିଆଯାଉଛି। ସନାତନପାଲି ଗ୍ରାମରେ ସଫଳତାର ସହିତ ଗେଣ୍ଡୁ ଫୁଲ ଚାଷ ହେଉଥିବାରୁ ବିଭିନ୍ନ ସମୟରେ ଜିଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଉଦ୍ୟାନ ଓ କୃଷି ବିଭାଗର ପ୍ରତିନିଧି ଦଳ ମାନେ ଆସି ପରିଦର୍ଶନ କରୁଛନ୍ତି। ସବୁଜ ସନାତନପାଲି କୃଷକ ଉତ୍ପାଦନ କମ୍ପାନୀ ପ୍ରାଇଭେଟ ଲିମିଟେଡ ଅଧିନରେ ଏବେ ୮ଟି ପଞ୍ଚାୟତର ୬୪ଟି ଗ୍ରାମରେ ୧୦୦ ଏକରରୁ ଅଧିକ ଜମିରେ ଗେଣ୍ଡୁ ଫୁଲ ଚାଷ କରାଯାଉଛି। ଏଥି ପାଇଁ ଲକ୍ଷ୍ନୌର ସିଏସଆଇଆର ନ୍ୟାସନାଲ ବୋଟାନିକାଲ ରିସର୍ଚ୍ଚ ଇନଷ୍ଟିଟ୍ୟୁଟ ଓ ସବୁଜ ସନାତନପାଲି କୃଷକ ଉତ୍ପାଦନ କମ୍ପାନୀ ପ୍ରାଇଭେଟ ଲିମିଟେଡ ମଧ୍ୟରେ ସ୍ୱତନ୍ତ୍ର ଅନୁବନ୍ଧନ କରାଯାଇଛି ଏବଂ ଚାଷୀ ମାନଙ୍କୁ ଗେଣ୍ଡୁ ଫୁଲ ଚାଷ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ, ଆଧୁନିକ ପ୍ରଣାଳି ନେଇ ଜ୍ଞାନ କୌଶଳ ସମ୍ପର୍କରେ ସଚେତନା ଆଦି କରାଯାଉଛି। ଗେଣ୍ଡୁ ଫୁଲର ସଫଳତାକୁ ଧ୍ୟାନ ଦେଇ ଆଗାମୀ ଦିନରେ ରଜନୀଗନ୍ଧା, ଗୋଲାପ, ଗ୍ରୋଡାଲି ସମେତ ବିଭିନ୍ନ ଫୁଲ ଚାଷ କରିବାକୁ ମଧ୍ୟ ଯୋଜନା ରଖାଯାଇଛି ବୋଲି ଚାଷୀ ମାନେ କହିଛନ୍ତି। ଅନ୍ୟ ପଟରେ ସନାତନପାଲି ଗ୍ରାମରେ ହେଉଥିବା ଗେଣ୍ଡୁ ଫୁଲ ଚାଷ ପାଇଁ ଏହି ଗ୍ରାମକୁ ଲୋକେ ଗେଣ୍ଡୁ ଫୁଲର ଗ୍ରାମ ବୋଲି କହୁଥିବା ବେଳେ ଏହା ଗ୍ରାମକୁ ସ୍ୱତନ୍ତ୍ର ପରିଚୟ ଦେଇଛି।
ଏ ସମ୍ପର୍କରେ ଚାଷୀ ମନବୋଧ ବାରିକ କହିଛନ୍ତି ଯେ, ଗ୍ରାମରେ ପ୍ରଥମେ ଚାଷୀ ନିରାକାର ପ୍ରଧାନ ଏହି ଗେଣ୍ଡୁ ଫୁଲ ଚାଷ ଆରମ୍ଭ କରିଥିଲେ। ସେ ଉଦ୍ୟାନ ଓ କୃଷି ବିଭାଗର ପ୍ରୋତ୍ସାହନରେ ଏହା ଆରମ୍ଭ ହୋଇଥିଲା। ଏହା ଦେଖିବା ପରେ ଚାଷୀ ମାନେ ଗ୍ରାମରେ ଗେଣ୍ଡୁ ଫୁଲ ଚାଷ ଆରମ୍ଭ କରିଥିଲେ। ଏହା ପରେ ନାବାର୍ଡ ତରଫରୁ ଏକ କ୍ଲବ ଗଠନ କରାଯାଇ ୧୫ ଜଣ ଚାଷୀଙ୍କୁ ସାମିଲ କରାଯାଇଥିଲା। ଏହାର ପ୍ରଭାବରେ ଆଖପାଖର ଗ୍ରାମରେ ମଧ୍ୟ ଚାଷୀ ମାନେ ଫୁଲ ଚାଷ ଆରମ୍ଭ କରି ଦେଇଥିଲେ। ଏଣୁ ପରବର୍ତ୍ତୀ ସମୟରେ ଗେଣ୍ଡୁ ଫୁଲ ଚାଷର ମାର୍କେଟିଂ ପାଇଁ ଏପିଓ ଗଠନ କରିଥିଲୁ। ଧିରେ ଧିରେ ଆମେ ପାରମ୍ପରିକ ଧାନ, ପନିପରିବା ଆଦି ଚାଷୀ ପରିବର୍ତ୍ତେ ଫୁଲ ଚାଷକୁ ଏବେ ଗ୍ରାମରେ ପ୍ରାଧାନ୍ୟ ଦିଆଯାଉଛି। ଏଥି ସହ ଏହା ହାତୀ ଉପଦ୍ରବ ପ୍ରବଣ ଗ୍ରାମ ହୋଇଥିବାରୁ ହାତୀ ନିୟମିତ ଧାନ, ପନିପରିବା, ତରଭୁଜ ଆଦି ଚାଷ ନଷ୍ଟ କରି ଦେଉଥିବା ବେଳେ କିନ୍ତୁ ଫୁଲ ଚାଷକୁ ନଷ୍ଟ କରୁ ନାହାନ୍ତି ବୋଲି ଚାଷୀ ଶ୍ରୀ ବାରିକ କହିଛନ୍ତି।
Comments are closed.